ନୂଆଦିଲ୍ଲୀ, ୨୭।୪: ବିଶ୍ୱ ଅର୍ଥନୀତିର ପ୍ରାଣକେନ୍ଦ୍ର କୁହାଯାଉଥିବା 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ'କୁ ନେଇ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି ଇରାନ । ରିପୋର୍ଟ ଅନୁଯାୟୀ, ଇରାନ ଆମେରିକାକୁ ଏକ ପ୍ରସ୍ତାବ ଦେଇଛି ଯେଉଁଥିରେ କୁହାଯାଇଛି ଆମେରିକା ପ୍ରଥମେ ହୋର୍ମୁଜ ପ୍ରଣାଳୀରୁ ନୌସେନା ଅବରୋଧ ହଟାଉ ଏବଂ ଇରାନର ତୈଳ ରପ୍ତାନିକୁ ସ୍ୱାଭାବିକ କରିବାକୁ ଦେଉ । ବଦଳରେ ଇରାନ ଯୁଦ୍ଧ ପରିସ୍ଥିତିକୁ ଶାନ୍ତ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନ ଏହି ପ୍ରସ୍ତାବରେ 'ପରମାଣୁ କାର୍ଯ୍ୟକ୍ରମ' ପ୍ରସଙ୍ଗକୁ ପରେ ଆଲୋଚନା କରିବା ପାଇଁ ସ୍ଥଗିତ ରଖିବାକୁ କହିଛି ।

ଟ୍ରମ୍ପଙ୍କ ପାଇଁ ଧର୍ମସଙ୍କଟ ?

ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପ ଏହି ପ୍ରସ୍ତାବକୁ ଗ୍ରହଣ କରିବା ପ୍ରାୟତଃ ଅସମ୍ଭବ । ଏହାର କାରଣ ହେଉଛି ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରୁ ରୋକିବା । ଯଦି ସେ ପରମାଣୁ ଆଲୋଚନା ବିନା ଘେରାବନ୍ଦୀ ହଟାଇ ଦିଅନ୍ତି, ତେବେ ଇରାନ ପୁଣି ଆର୍ଥିକ ସମୃଦ୍ଧ ହୋଇ ନିଜର ପରମାଣୁ ଭଣ୍ଡାର ବଢ଼ାଇବାର ସୁଯୋଗ ପାଇବ । ହୋର୍ମୁଜ ପ୍ରଣାଳୀ ବନ୍ଦ ହେବା ଫଳରେ ଇରାନର ଅଣ୍ଟା ଭାଙ୍ଗି ଯାଇଛି । ଟ୍ରମ୍ପ ଚାହୁଁଛନ୍ତି ଏହି ଚାପ ଜାରି ରଖି ଇରାନକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରାଇବାକୁ ।

ପାକିସ୍ତାନରେ ବିଫଳ ହେଲା କୂଟନୀତି:

ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପାକିସ୍ତାନ ଚେଷ୍ଟା କରୁଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ଭବ ହୋଇନାହିଁ । ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ ନିଜର ଅଧିକାରୀମାନଙ୍କୁ ୧୮ ଘଣ୍ଟାର ବିମାନ ଯାତ୍ରା କରାଇ ପାକିସ୍ତାନ ପଠାଇବେ ନାହିଁ । ଯଦି ଇରାନ କଥା ହେବାକୁ ଚାହୁଁଛି, ତେବେ ସେମାନେ ଆମେରିକା ଆସନ୍ତୁ କିମ୍ବା ସିଧାସଳଖ ଫୋନରେ ଯୋଗାଯୋଗ କରନ୍ତୁ । ସୋମବାର ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି । ଟ୍ରମ୍ପ ତାଙ୍କ ଜାତୀୟ ସୁରକ୍ଷା ଏବଂ ବିଦେଶ ନୀତି ଟିମ୍ ସହ ହ୍ୱାଇଟ୍ ହାଉସର ସିଚୁଏସନ ରୁମ୍‌ରେ ବୈଠକ କରିବେ । ଏଠାରେ ଇରାନର ନୂଆ ପ୍ରସ୍ତାବ ଏବଂ ପରବର୍ତ୍ତୀ ସାମରିକ ପଦକ୍ଷେପ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । 

ଫକ୍ସ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ସେ ବର୍ତ୍ତମାନ ନୌସେନା ଅବରୋଧ ହଟାଇବା ମୁଡ୍ରେ ନାହାଁନ୍ତି । ସେ ଆଶା କରୁଛନ୍ତି ଯେ, ଆଉ କିଛି ସପ୍ତାହ ଏହି ଚାପ ଜାରି ରହିଲେ ଇରାନ ନିଜେ ନଇଁବାକୁ ବାଧ୍ୟ ହେବ । ଇରାନର ଏହି 'ଶାନ୍ତି ଫର୍ମୁଲା' କେବଳ ସମୟ ଗଡ଼ାଇବାର ଏକ କୌଶଳ ବୋଲି ୱାଶିଂଟନ ମନେ କରୁଛି । ଯେପର୍ଯ୍ୟନ୍ତ ଇରାନ ନିଜର ୟୁରେନିୟମ ସମୃଦ୍ଧିକରଣ ବନ୍ଦ କରିବାକୁ ରାଜି ନହୋଇଛି, ସେ ପର୍ଯ୍ୟନ୍ତ ସମ୍ପର୍କ ସ୍ୱାଭାବିକ ହେବା କଷ୍ଟକର । ଏବେ ଦେଖିବାକୁ ବାକି ରହିଲା ଟ୍ରମ୍ପଙ୍କ 'ସିଚୁଏସନ ରୁମ୍' ବୈଠକରୁ କି ବାର୍ତ୍ତା ବାହାରୁଛି । 

ଆହୁରି ପଢ଼ନ୍ତୁ... ସକାଳୁ ସକାଳୁ ଥରିଲା ଜାପାନ, ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ