ନୂଆଦିଲ୍ଲୀ: ଇରାନରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୨,୦୦୦ରେ ପହଞ୍ଚିଥିବା ଦାବି କରାଯାଉଛି। ଇରାନ ଇଣ୍ଟରନ୍ୟାସନାଲ ନାମକ ଏକ ବିରୋଧୀ ୱେବସାଇଟ୍ ଏହି ଦାବି କରିଛି। ଇରାନ ବାହାରେ କାର୍ଯ୍ୟ କରୁଥିବା ଏହି ୱେବସାଇଟ୍ ଦାବି କରିଛି ଯେ, ସରକାର ବିରୋଧୀ ପ୍ରତିବାଦ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ସମୟରେ ସୁରକ୍ଷା ବାହିନୀ ଗୁଳିମାଡରେ ଅତି କମରେ ୧୨,୦୦୦ ଲୋକଙ୍କ ମୃତ୍ୟୁ ହୋଇ ସାରଲାଣି । ଏହି ୱେବସାଇଟ୍ ଏହାକୁ ଇରାନର ଇତିହାସରେ ସବୁଠାରୁ ବଡ଼ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିଛି। ହେଲେ ଏହି ସଂଖ୍ୟା ଗ୍ଲୋବାଲ ନ୍ୟୁଜ ଏଜେନ୍ସି ଗୁଡିକର ଆକଳନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେଉଁଥିରେ କୁହାଯାଇଛି ଯେ ଇରାନରେ ପ୍ରତିବାଦ ସମୟରେ ଏପର୍ଯ୍ୟନ୍ତ ପ୍ରାୟ ୨୦୦୦ ଲୋକଙ୍କ ମୃତ୍ୟୁ ହୋଇଛି।
ମୃତ୍ୟୁସଂଖ୍ୟାକୁ ନେଇ କିଏ କ’ଣ କହୁଛି ?
ଇରାନ ଇଣ୍ଟରନ୍ୟାସନାଲର ସଂଖ୍ୟା ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇଥିବା ସଂଖ୍ୟା ଅପେକ୍ଷା ବହୁତ ଅଧିକ। ମାନବାଧିକାର ଗୋଷ୍ଠୀ ଏବଂ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ନିଶ୍ଚିତ କରିଥିବା ମୃତ୍ୟୁ ସଂଖ୍ୟା ଏହି ସଂଖ୍ୟାଠାରୁ ଯଥେଷ୍ଟ କମ୍ । ତେବେ ଏହି ସଂସ୍ଥା ଗୁଡିକ ଉଲ୍ଲେଖ କରିଛନ୍ତି ଯେ, ଇରାନ ମଧ୍ୟରେ ଇଣ୍ଟରନେଟ୍ ଅବରୋଧ ଏବଂ ଗଣମାଧ୍ୟମ ପ୍ରତିବନ୍ଧକ ଯୋଗୁଁ ସ୍ୱାଧୀନ ଭାବେ ଯାଞ୍ଚ କରିବା କଷ୍ଟକର ହୋଇପଡୁଛି। ଇରାନ ଇଣ୍ଟରନ୍ୟାସନାଲ କହିଛି ଯେ, ଏହି ମୃତ୍ୟୁ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଜାନୁଆରୀ ୮ ଏବଂ ୯ ରାତିରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ବାସିଜ ଫୋର୍ସ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ଘଟିଛି। ଏହା ମଧ୍ୟ ଉଲ୍ଲେଖ କରିଛି ଯେ, ଗୁଳିମାଡ଼ ଜାଣିଶୁଣି କରାଯାଇଥିଲା, ଯାହାର ଲକ୍ଷ୍ୟ ଥିଲା ଯଥା ସମ୍ଭବ ଅଧିକ ଲୋକଙ୍କୁ ହତ୍ୟା କରିବା।
IRGC ଗୁଳିକାଣ୍ଡରେ ସର୍ବାଧିକ ମୃତ୍ୟୁ...
ଆଉଟଲେଟ୍ ଏହା ମଧ୍ୟ ଦାବି କରିଛି ଯେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ନିର୍ଦ୍ଦେଶରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ବାସିଜ୍ ଫୋର୍ସ ସିଧାସଳଖ ଗୁଳିକାଣ୍ଡ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଗୁଳିକାଣ୍ଡକୁ ଅନୁମତି ଦେବା ପାଇଁ ସିଧାସଳଖ ନିର୍ଦ୍ଦେଶ ଜାରି କରିଛି। ଇରାନ ଇଣ୍ଟରନ୍ୟାସନାଲ୍ କହିଛି ଯେ ଅତି କମରେ ୧୨ ହଜାର ମୃତ୍ୟୁର ଆକଳନ ଇରାନର ନିଜସ୍ୱ ସୁରକ୍ଷା ଏଜେନ୍ସି ଗୁଡ଼ିକରୁ ଉପଲବ୍ଧ ତଥ୍ୟ ଉପରେ ଆଧାରିତ।
ଏହା ସହ ପଢନ୍ତୁ : ଖାମେନି ଯଦି କ୍ଷମତା ହରାନ୍ତି, ତେବେ କେଉଁ ଦେଶରେ ନେବେ ଶରଣ ? ସୋସିଆଲ ମିଡିଆରେ ଏହି ଦେଶକୁ ନେଇ ଚର୍ଚ୍ଚା…