ନୂଆଦିଲ୍ଲୀ, ୧୩।୫: ସାରା ବିଶ୍ୱର ଇଣ୍ଟରନେଟ୍ କ'ଣ ଏବେ ଇରାନ ନିୟନ୍ତ୍ରଣକୁ ଚାଲିଯିବ ? ହ୍ୱାଟସ୍ଆପ୍, ୟୁପିଆଇ ଏବଂ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା କ'ଣ ମଧ୍ୟପ୍ରାଚ୍ୟର ରାଜନୀତି ଯୋଗୁଁ ଠପ୍ ହୋଇଯିବ ? ଗତ କିଛି ଦିନ ହେବ ସମୁଦ୍ର ମଧ୍ୟଭାଗରୁ ଆସୁଥିବା ଏକ ଖବର ଏବେ ସାରା ବିଶ୍ୱର ଟେକ୍ନୋଲୋଜି ଦୁନିଆରେ ହଲଚଲ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ, ଇରାନ ଏବେ ସମୁଦ୍ର ତଳେ ବିଛାଯାଇଥିବା ସେହି ଇଣ୍ଟରନେଟ୍ କେବୁଲ୍ ଗୁଡ଼ିକ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇବାକୁ ପ୍ରସ୍ତୁତି କରୁଛି, ଯାହା ମାଧ୍ୟମରେ ସାରା ପୃଥିବୀର ଅଧିକାଂଶ ଭାଗ ଡିଜିଟାଲ୍ ଦୁନିଆ ସହ ଯୋଡ଼ି ହୋଇ ରହିଛି । ଏହି ମାମଲା କେବଳ ଇଣ୍ଟରନେଟ୍ ସ୍ପିଡ୍ର ନୁହେଁ, ବରଂ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାଟା, କ୍ଲାଉଡ୍ ସର୍ଭିସ ଏବଂ କୋଟି କୋଟି ଡଲାରର ଡିଜିଟାଲ୍ ଅର୍ଥନୀତି ସହ ଜଡ଼ିତ ।

ଡିଜିଟାଲ୍ ଦୁନିଆରେ ଲାଗିବ କି 'ଟୋଲ୍ ଟ୍ୟାକ୍ସ' ?

ସାରା ବିଶ୍ୱ ଜାଣେ ଯେ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ' ଦେଇ ବିଶ୍ୱର ବଡ଼ ବଡ଼ ତୈଳବାହୀ ଜାହାଜ ଯାତାୟାତ କରନ୍ତି । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହି ସାମୁଦ୍ରିକ ରାସ୍ତା ଦେଇ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ଯୋଡ଼ୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଅଣ୍ଡର ସି ଇଣ୍ଟରନେଟ୍ କେବୁଲ୍ ମଧ୍ୟ ଯାଇଛି । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହ ଜଡ଼ିତ ମିଡିଆ ରିପୋର୍ଟ ଅନୁଯାୟୀ, ଇରାନ ଏବେ ଏହି କେବୁଲ୍ ଗୁଡ଼ିକୁ ରୋଜଗାରର ଏକ ମାଧ୍ୟମ କରିବାକୁ ଚାହୁଁଛି । ଯେପରି ସମୁଦ୍ର ପଥରେ ଯାଉଥିବା ଜାହାଜ ଗୁଡ଼ିକଠାରୁ ଟ୍ୟାକ୍ସ ବା 'ଟୋଲ୍' ଆଦାୟ କରାଯାଏ, ସେହିପରି ଏହି କେବୁଲ୍ ମାଧ୍ୟମରେ ଯାଉଥିବା ଡିଜିଟାଲ୍ ଟ୍ରାଫିକ୍ ପାଇଁ ବିଦେଶୀ କମ୍ପାନୀଗୁଡ଼ିକଠାରୁ ଫିସ୍ ଆଦାୟ କରିବାକୁ ଇରାନ ଯୋଜନା କରୁଛି । ଏହାକୁ 'ଡିଜିଟାଲ୍ ଟୋଲ୍ ବୁଥ୍' ବୋଲି କୁହାଯାଉଛି ।

ଇଣ୍ଟରନେଟ୍ କାହିଁକି ବିପଦରେ ?

ବିଶ୍ୱର ପ୍ରାୟ ୯୫ ରୁ ୯୯ ପ୍ରତିଶତ ଇଣ୍ଟରନେଟ୍ ଟ୍ରାଫିକ୍ ସାମୁଦ୍ରିକ ଫାଇବର କେବୁଲ୍ ମାଧ୍ୟମରେ ଗତି କରିଥାଏ । ଏଥିରେ ପ୍ରତିଦିନ ଆରବ ଆରବ ଟଙ୍କାର ବ୍ୟାଙ୍କିଙ୍ଗ୍ ଟ୍ରାଞ୍ଜାକସନ୍, ସୋସିଆଲ୍ ମିଡିଆ ଡାଟା ଏବଂ AI ସର୍ଭିସ ପରିଚାଳିତ ହୁଏ । ଯଦି ଏହି କେବୁଲକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଯାଏ ବା ନିୟନ୍ତ୍ରଣ କରାଯାଏ, ତେବେ ଅନ୍ଲାଇନ୍ ପେମେଣ୍ଟ ମାଧ୍ୟମଗୁଡ଼ିକ ସମ୍ପୂର୍ଣ୍ଣ ଠପ୍ ହୋଇଯିବ । ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟ୍ରାଗ୍ରାମ ପରି ଆପ୍ କାମ କରିବା ବନ୍ଦ କରିଦେବ । ଭାରତ ପାଇଁ ଏସିଆ ଓ ୟୁରୋପ ସହ ସଂଯୋଗ ରଖୁଥିବା ଏହି କେବୁଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏଠାରେ ତିକ୍ତତା ବଢ଼େ, ତେବେ ଭାରତୀୟ ଡିଜିଟାଲ୍ ବଜାର ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ ।

ଜିଓପଲିଟିକାଲ୍ ଅସ୍ତ୍ର ସାଜିବ କି ଇଣ୍ଟରନେଟ୍ ?

ବିଶେଷଜ୍ଞଙ୍କ ମତରେ, ଏପର୍ଯ୍ୟନ୍ତ ବିଭିନ୍ନ ଦେଶ ପରସ୍ପର ଉପରେ ଚାପ ପକାଇବା ପାଇଁ ତେଲ ଯୋଗାଣ ବନ୍ଦ କରିବାର ଧମକ ଦେଉଥିଲେ । କିନ୍ତୁ ଭବିଷ୍ୟତରେ ଇଣ୍ଟରନେଟ୍ କେବୁଲ୍ ଏକ ବଡ଼ 'ଜିଓପଲିଟିକାଲ୍ ୱେପନ୍' ବା ଅସ୍ତ୍ର ସାଜିବାକୁ ଯାଉଛି । ଯଦି ଇରାନ ଏହି କେବୁଲ୍ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ନିୟନ୍ତ୍ରଣ ନିଜ ହାତକୁ ନିଏ, ତେବେ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀ ଯେପରିକି ଗୁଗୁଲ୍, ମେଟା, ମାଇକ୍ରୋସପ୍ ଆଦି କମ୍ପାନୀମାନଙ୍କୁ ଇରାନର ନିୟମ ମାନିବାକୁ ପଡ଼ିପାରେ । ଯେଉଁ ଇଣ୍ଟରନେଟ୍କୁ ଆମେ କେବଳ ୱାଇଫାଇ କିମ୍ବା ମୋବାଇଲ୍ ଡାଟା ବୋଲି ଭାବୁଛୁ, ତାହା ପ୍ରକୃତରେ ସମୁଦ୍ର ତଳେ ଥିବା ହଜାର ହଜାର କିଲୋମିଟରର ନେଟୱାର୍କ ଉପରେ ନିର୍ଭରଶୀଳ । ଏବେ ଏହି ନେଟୱାର୍କ ଉପରେ ରାଜନୀତିର କଳାବାଦଲ ଘୋଟିବାରେ ଲାଗିଛି, ଯାହା ଡିଜିଟାଲ୍ ଦୁନିଆ ପାଇଁ ଏକ ବଡ଼ ଚେତାବନୀ ।

ଆହୁରି ପଢ଼ନ୍ତୁ... Middle East War Tensions: ତୈଳ, ପ୍ରତିରକ୍ଷା, ଅକ୍ଷୟଶକ୍ତି କମ୍ପାନି ମାଲାମାଲା, ଆଶାଠାରୁ ଅଧିକ ଲାଭ ହାସଲ କରିଛନ୍ତି