ନୂଆଦିଲ୍ଲୀ,୧୩/୦୫: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବଲୀଳା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ଯୁଦ୍ଧ ଯୋଗୁ ବିଶ୍ୱ ପରିବହନର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ହୋର୍ମୁଜ ଦୀର୍ଘଦିନ ଧରି ବନ୍ଦ ପଡ଼ିଛି । ଫଳରେ ମଧ୍ୟପ୍ରାଚ୍ୟରୁ ତୈଳ, ଗ୍ୟାସ ଏବଂ ସାର ଆଦି ଅନେକ ସାମଗ୍ରୀ ଯୋଗାଣ ଠପ୍ ହୋଇଯାଇଛି । ଏସବୁ ମଧ୍ୟରେ ବିଭିନ୍ନ ସାମଗ୍ରୀ ଏବଂ ଶିଳ୍ପ ପାଇଁ ବ୍ୟବହୃତ କଞ୍ଚାମାଲ ମହଙ୍ଗା ହୋଇଛି । ଦେଶଗୁଡ଼ିକର ଆମଦାନି ବିଲ୍ ବଢ଼ିଯାଇଛି । ଦରଦାମ ଉତ୍କଟ ହୋଇଛି । ସରକାରୀ ଏବଂ ଘରୋଇ ବଜେଟ୍ ବିଗିଡ଼ିଯାଇଛି । ଅନେକ କମ୍ପାନି ଆର୍ଥିକ ଚାପ ମଧ୍ୟରେ ଗତି କରୁଛନ୍ତି । ପାରିବାରିକ ବଜେଟ୍ ବିଗିଡ଼ିଯାଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି କିଛି କମ୍ପାନି ରହିଛନ୍ତି, ଯେଉଁମାନେ ଯୁଦ୍ଧ ପରିସ୍ଥିତିରେ ବହୁ କୋଟି ଡଲାର ଲାଭ ହାତେଇଛନ୍ତି । ଅସ୍ଥିର ଶକ୍ତି ଦର ମଧ୍ୟରେ ଏମାନେ ରେକର୍ଡ ଆୟ କରିଥିବା ଜଣାପଡ଼ିଛି । ବିଶେଷ କରି ତୈଳ ଏବଂ ଗ୍ୟାସ, ପ୍ରତିରକ୍ଷା, ଅକ୍ଷୟଶକ୍ତି ସହ ଜଡ଼ିତ କମ୍ପାନିଗୁଡ଼ିକ ସହ କିଛି ବଡ଼ ବ୍ୟାଙ୍କ ପରିସ୍ଥିତିର ଭରପୂର ଲାଭ ଉଠାଇ ମୋଟା ରାଜସ୍ୱ ହାତେଇଥିବା ଜଣାପଡ଼ିଛି । ଯୁଦ୍ଧ ଚାଲିଥିବା ସମୟରେ ବହୁ କୋଟି ଡଲାର ଆୟ କରିଥିବା ଏହିଭଳି କିଛି ଶିଳ୍ପଗୁଡ଼ିକ ଉପରେ ଏକ ନଜର...

ତୈଳ ଓ ଗ୍ୟାସ୍

ଯୁଦ୍ଧର ସବୁଠାରୁ ବଡ଼ ଅର୍ଥନୈତିକ ପ୍ରଭାବ ଏଯାବତ ଶକ୍ତି କ୍ଷେତ୍ର ଉପରେ ପଡ଼ିଛି । ଶକ୍ତି ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ହୋର୍ମୁଜ ଦେଇ ବିଶ୍ୱର ପାଖାପାଖି ଏକ ପଞ୍ଚମାଂଶ ତୈଳ ଏବଂ ଗ୍ୟାସ ପରିବହନ ହୋଇଥାଏ । ଯୁଦ୍ଧ ଯୋଗୁ ହୋର୍ମୁଜ ମାର୍ଗ ବନ୍ଦ ଥିବାରୁ ପରିବହନ ଠପ । ଏହାର ପ୍ରଭାବ ବିଶ୍ୱ ଶକ୍ତି ଦରରେ ଅନୁଭୂତ ହୋଇଛି । ଦର ବଢ଼ିବା ଯୋଗୁ ବିଶ୍ୱର କେତେକ ବିଶାଳ ତୈଳ ଏବଂ ଗ୍ୟାସ କମ୍ପାନି ଲାଭବାନ ହୋଇଛନ୍ତି । ଅଧିକ ଲାଭ ହାତେଇଛନ୍ତି ୟୁରୋପୀୟ ତୈଳ କମ୍ପାନି, ଯେଉଁମାନଙ୍କ ପାଖରେ ଟ୍ରେଡିଂ ସଂସ୍ଥା ରହିଛି । ତେଣୁ ତୈଳ ଦର ବୃଦ୍ଧି ଯୋଗୁ ଏହି କମ୍ପାନିଗୁଡ଼ିକ ଭଲ ରିଟର୍ଣ୍ଣ ଲାଭ କରିଛନ୍ତି ।

ଚଳିତବର୍ଷର ପ୍ରଥମ ୩ ମାସରେ ବ୍ରିଟିଶ ପେଟ୍ରୋଲିୟମ(ବିପି) ର ଲାଭ ଦୁଇ ଗୁଣାରୁ ଅଧିକ ବଢ଼ି ୩.୨ ବିଲିୟନ ଡଲାର ରହିଛି । କମ୍ପାନିର ଟ୍ରେଡିଂ ଡିଭିଜନ୍‌ରେ ଏହା ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ । ସେଲ୍ ମଧ୍ୟ ପ୍ରଥମ ତ୍ରୟମାସରେ ତଗ୍ଡ଼ା ଲାଭ ହାସଲ କରିଛି । ଆଲୋଚ୍ୟ ସମୟରେ କମ୍ପାନିର ଲାଭ ରହିଛି ୬.୯୨ ବିଲିୟନ ଡଲାର । ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଆଉ ଏକ କମ୍ପାନି ଟୋଟାଲ ଏନର୍ଜିସ୍‌ର ଲାଭ ଏକ ତୃତୀୟାଂଶ ବଢ଼ି ୫.୪ ବିଲିୟନ ଡଲାରରେ ପହଞ୍ଚିଛି । ତୈଳ ଏବଂ ଶକ୍ତି ବଜାରରେ ଅନିଶ୍ଚିତତା ମଧ୍ୟରେ କମ୍ପାନିଗୁଡ଼ିକ ଭଲ ଲାଭ ହାସଲ କରିଛନ୍ତି ।

ବ୍ୟାଙ୍କ

ଇରାନ ଯୁଦ୍ଧ ସମୟରେ କେତେକ ବଡ଼ ବ୍ୟାଙ୍କ ଭଲ ଲାଭ ହାସଲ କରିଛନ୍ତି । ୨୦୨୬ର ପ୍ରଥମ ତ୍ରୟମାସରେ ଜେପି ମୋର୍ଗାନ୍ର ଟ୍ରେଡିଂ ଆର୍ମ ରେକର୍ଡ ୧୧.୬ ବିଲିୟନ ଡଲାର ରାଜସ୍ୱ ହାସଲ କରିଛି । ଅନ୍ୟ ବଡ଼ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ୍ ଅଫ୍ ଆମେରିକା, ମୋର୍ଗାନ ଷ୍ଟାନ୍ଲି, ସିଟି ଗ୍ରୁପ୍, ଗୋଲ୍ଡମ୍ୟାନ୍ ସାକ୍ସ ଏବଂ ୱେଲ୍ସ ଫାର୍ଗୋ ଆଦି ରହିଛନ୍ତି, ଯେଉଁମାନଙ୍କ ଲାଭ ପ୍ରଥମ ତ୍ରୟମାସରେ ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ହାରାହାରି ଭାବେ ଆଲୋଚ୍ୟ ସମୟରେ ବ୍ୟାଙ୍କଗୁଡ଼ିକ ୪୭.୭ ବିଲିୟନ ଡଲାରର ଲାଭ ହାସଲ କରିଛନ୍ତି । ଅତ୍ୟଧିକ ଟ୍ରେଡିଂ ଭଲ୍ୟୁମ୍ରୁ ନିବେଶ ବ୍ୟାଙ୍କଗୁଡ଼ିକ ବିଶେଷ କରି ମୋର୍ଗାନ ଷ୍ଟାନ୍ଲେ ଏବଂ ଗୋଲ୍ଡମ୍ୟାନ୍ ସାକ୍ସ ଲାଭବାନ ହୋଇଥିବା ୱେଲ୍ଥ କ୍ଲବ୍ର ଚିଫ୍ ଇନ୍ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ସୁଜେନ୍ ଷ୍ଟ୍ରିଟର ପ୍ରକାଶ କରିଛନ୍ତି ।

ପ୍ରତିରକ୍ଷା

ଆର୍‌ଏସ୍ଏମ୍ ୟୁକେର ବରିଷ୍ଠ ବିଶ୍ଳେଷକ ଏମିଲି ସାୱିକ୍ଜଙ୍କ କହିବାନୁସାରେ, ଯୁଦ୍ଧ ଯୋଗୁ ଅନ୍ୟତମ ପ୍ରମୁଖ ଲାଭାର୍ଥୀ ହୋଇଛି ପ୍ରତିରକ୍ଷା କ୍ଷେତ୍ର । ଯୁଦ୍ଧ ଯୋଗୁ ଆମେରିକା ଏବଂ ୟୁରୋପରେ ମିସାଇଲ୍ ଡିଫେନ୍ସ, କାଉଣ୍ଟର ଡ୍ରୋନ୍ ସିଷ୍ଟମ ଏବଂ ମିଲିଟାରି ହାର୍ଡୱେର କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଛି । ପ୍ରତିରକ୍ଷା କମ୍ପାନିଗୁଡ଼ିକର ଗୁରୁତ୍ୱ ବଢ଼ିଛି । ଅସ୍ତ୍ରଶସ୍ତ୍ର ଚାହିଦା ବଢ଼ିଛି । ପ୍ରତିରକ୍ଷା କମ୍ପାନିଗୁଡ଼ିକର ଷ୍ଟକ୍ ମୂଲ୍ୟ ବୃଦ୍ଧି ପାଇଛି ।

ଏଫ୍୩୫ ଫାଇଟର ଜେଟ୍ ଉପକରଣ ପ୍ରସ୍ତୁତ କରୁଥିବା କମ୍ପାନି ବିଏଇ ସିଷ୍ଟମ୍ସ ଅନୁସାରେ, ଚଳିତବର୍ଷ ଏହା ବିକ୍ରି ଏବଂ ଲାଭରେ ମଜଭୁତ ଅଭିବୃଦ୍ଧି ଆଶା କରୁଛି । ଏମିଲି ସାୱିକ୍ଜଙ୍କ କହିବାନୁସାରେ, ବିଶ୍ୱବ୍ୟାପୀ ସୁରକ୍ଷାକୁ ନେଇ ଉପୁଜିଥିବା ରିସ୍କ ଯୋଗୁ ଦେଶଗୁଡ଼ିକ ପ୍ରତିରକ୍ଷା ବ୍ୟୟ ବଢ଼ାଇଛନ୍ତି । ଏହା କମ୍ପାନିଗୁଡ଼ିକ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେଉଛି ।

ଅକ୍ଷୟଶକ୍ତି

ଯୁଦ୍ଧ ସ୍ଥିତିରେ ଅକ୍ଷୟ ଶକ୍ତିର ଆବଶ୍ୟକତାକୁ ସମସ୍ତେ ହୃଦୟଙ୍ଗମ କରିସାରିଲେଣି । ଫଳରେ ଏହି କ୍ଷେତ୍ରକୁ ନେଇ ଆଗ୍ରହ ବଢୁଛି । ସ୍ଥିରତା ଏବଂ ବାହ୍ୟ ଝଟ୍କାରୁ ବର୍ତ୍ତିବା ପାଇଁ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା କେତେକ ଅକ୍ଷୟଶକ୍ତି କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଚଳିତବର୍ଷ ଏଯାବତ ଫ୍ଲୋରିଡାଭିତ୍ତିକ ନେକ୍ସଟଏରା ଏନର୍ଜିର ସେୟାର ମୂଲ୍ୟରେ ୧୭% ବୃଦ୍ଧି ଘଟିଛି । ଡେନ୍ମାର୍କର ପବନ ଶକ୍ତି କମ୍ପାନି ଭେଷ୍ଟାଜ୍ ଏବଂ ଅର୍ଷ୍ଟେଡ୍ର ଲାଭ ମଧ୍ୟ ଭଲ ଆକାରରେ ବଢ଼ିଛି । ବ୍ରିଟେନ୍‌ର ଅକ୍ଟୋପସ୍ ଏନର୍‌ଜି ପ୍ରକାଶ କରିଛି ଯେ, ଫେବ୍ରୁଆରୀ ଶେଷ ଭାଗରୁ ସୌର ପ୍ୟାନେଲ ବିକ୍ରି ୫୦% ବୃଦ୍ଧି ପାଇଛି । ପେଟ୍ରୋଲ ଦରରେ ବୃଦ୍ଧି ଯୋଗୁ ଇ-ଯାନ ଚାହିଦା ମଧ୍ୟ ବଢ଼ିଛି ।