ନୂଆଦିଲ୍ଲୀ: କେଉଁଠି ଅଛନ୍ତି ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ପରେ ତେହେରାନର ସର୍ବୋଚ୍ଚ ନେତୃତ୍ୱର ପତନର ଆଶଙ୍କା ସୃଷ୍ଟି କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ସାମରିକ ବାହିନୀ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଏହାର ସର୍ବୋଚ୍ଚ ନେତା ତଥା ସାମରିକ ନେତୃତ୍ୱକୁ ନିପାତ କରାଯାଇଛି। ଏହାରି ମଧ୍ୟରେ ଇରାନରେ ରୁଷର ରାଷ୍ଟ୍ରଦୂତ ଆଲେକ୍ସି ଡେଡୋଭ କହିଛନ୍ତି ଯେ, ମୋଜତାବା ଖାମେନେଇ ଇରାନରେ ଅଛନ୍ତି କିନ୍ତୁ ସାର୍ବଜନୀନ ଭାବରେ ଆସିବାକୁ ଦୂରେଇ ରହିଛନ୍ତି।

କ’ଣ କହିଛନ୍ତି ରୁଷର ରାଷ୍ଟ୍ରଦୂତ ?

ଏକ ସାକ୍ଷାତକାରରେ,ରୁଷର ରାଷ୍ଟ୍ରଦୂତ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଏପର୍ଯ୍ୟନ୍ତ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହ କୌଣସି ଯୋଗାଯୋଗ ହୋଇନାହିଁ। ସେ କହିଛନ୍ତି,"ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଜତାବା ଖାମେନେଇଙ୍କୁ ଅଭିନନ୍ଦନ ଟେଲିଗ୍ରାମ ପଠାଇଥିବା ପ୍ରଥମ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ।

ଟ୍ରମ୍ପ ମୋଜତାବାଙ୍କ ମୃତ୍ୟୁ ଦାବି କରିଥିଲେ...

ଟ୍ରମ୍ପ ପୂର୍ବରୁ କହିଥିଲେ, "ମୁଁ ବିଶ୍ୱାସ କରେ ଯେ ସେମାନଙ୍କର ନୂତନ ସର୍ବୋଚ୍ଚ ନେତା ମଧ୍ୟ ମୃତ କିମ୍ବା ବହୁତ ଖରାପ ଅବସ୍ଥାରେ ଅଛନ୍ତି। କେହି ତାଙ୍କୁ ଦେଖିନାହାଁନ୍ତି କିମ୍ବା ଯୋଗାଯୋଗ କରିନାହାଁନ୍ତି। ମୋଜତାବା ଖାମେନେଇଙ୍କ ଦୀର୍ଘ ନୀରବତା ସୂଚାଇ ଦିଏ ଯେ ସେ ଆଉ ଜୀବିତ ନାହାନ୍ତି। କେହି ତାଙ୍କ ସହିତ ଯୋଗାଯୋଗ କରିନାହାଁନ୍ତି।" ସର୍ବୋଚ୍ଚ ନେତା ହେବା ପର ଠାରୁ ମୋଜତାବା ଥରେ ମଧ୍ୟ ସାର୍ବଜନୀନ ଭାବରେ ଦେଖାଯାଇ ନାହାଁନ୍ତି।

ଆମେରିକା ଇରାନରେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି...

ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକା-ଇରାନ ସଂଘର୍ଷ ବିଶ୍ୱର ଅଧିକାଂଶ ଅଞ୍ଚଳକୁ ପ୍ରଭାବିତ କରିଛି। ଏହା ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଛି ଏବଂ ୟୁରୋପୀୟ ଦେଶ ଗୁଡ଼ିକର ତୈଳ ଯୋଗାଣକୁ ମଧ୍ୟ ସିଧାସଳଖ ପ୍ରଭାବିତ କରିଛି। ଏହି ସମୟରେ, ଆମେରିକା ଇରାନରେ ସ୍ଥଳ ଅଭିଯାନ ପାଇଁ ଇଙ୍ଗିତ କରିଛି ।