ନୂଆଦିଲ୍ଲୀ,୧୦/୦୩; ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଇସ୍ରାଏଲ ପୁଣି ଭୀଷଣ ଏୟାରଷ୍ଟ୍ରାଇକ୍ କରିଛି । ଇରାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଆକ୍ରମଣ ଚାଲିଥିବା ପର୍ଯ୍ୟନ୍ତ ଆଲୋଚନାର ପ୍ରଶ୍ନ ଉଠୁନାହିଁ । ବର୍ତ୍ତମାନ ଆମେ ନିର୍ଣ୍ଣାୟକ ଜବାବ ଦେବା ଉପରେ ଧ୍ୟାନ ଦେଉଛୁ । ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ର ଉପଦେଷ୍ଟା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ ଜବାରୀ ଆମେରିକାକୁ ହୁଙ୍କାର ଦେଇଛନ୍ତି । କହିଛନ୍ତି, ଆମେରିକା ବିରୋଧରେ ୧୦ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ଲଢ଼ିବାକୁ ଆମେ ପ୍ରସ୍ତୁତ ଅଛୁ । ଇରାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବଘାଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯୁଦ୍ଧ ଲଢ଼ିବାକୁ ଆମର ଇଚ୍ଛା ନାହିଁ । ଆମ ଉପରେ ଜାଣିଶୁଣି ଯୁଦ୍ଧ ଲଦାଯାଇଛି । ତେଣୁ ଆମେ ବାଧ୍ୟହୋଇ ଲଢ଼ୁଛୁ । ନିଜ ଅଖଣ୍ଡତାର ସୁରକ୍ଷା କରିବା ଆମର କର୍ତ୍ତବ୍ୟ । ଆତ୍ମରକ୍ଷା ନିମନ୍ତେ ଆମେ କୌଣସିମତେ ପଛଘୁଞ୍ଚା ଦେବୁନାହୁଁ । ଆକ୍ରମଣ ଜାରି ରହିଥିବା ପର୍ଯ୍ୟନ୍ତ କୌଣସି ପ୍ରକାର ଆଲୋଚନାର ପ୍ରଶ୍ନ ଉଠୁନାହିଁ । ବଘାଇ କହିଛନ୍ତି, ଇରାନର ଲୋକମାନେ ନିଜ ଦେଶର ସୁରକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଦେଶର ଭବିଷ୍ୟତ ଜନତା ସ୍ଥିର କରିବେ ।

ବଘାଇଙ୍କ ଅନୁସାରେ, ଆମେରିକା ଯୋଗୁ କୂଟନୈତିକ ରାସ୍ତା ବନ୍ଦ ହୋଇଯାଇଛି । ଇରାନ ଯେତେବେଳେ କୂଟନୈତିକ ଆଲୋଚନା କରୁଥିଲା, ସେହି ସମୟରେ ଆମ ଉପରେ ଆକ୍ରମଣ ହୋଇଥିଲା । ଆମ ଉପରେ ହମଲା ପାଇଁ ଆମେରିକାକୁ ଇସ୍ରାଏଲ ହିଁ ଉସୁକାଇଛି । ଏହାପରେ ଉଭୟ ଦେଶ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ଆମ ଉପରେ ଆକ୍ରମଣ କଲେ । ଇରାନ ସର୍ବଦା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହ ଉତ୍ତମ ତଥା ମୈତ୍ରୀପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଚାହେଁ । ପଡ଼ୋଶୀ ଦେଶ ଓ ଆଞ୍ଚଳିକ ସହଯୋଗ ଏବଂ ବନ୍ଧୁତା ବଜାୟ ରଖିବା ପାଇଁ ଆମର ସ୍ପଷ୍ଟ ନୀତି ରହିଛି । କିନ୍ତୁ କୌଣସି ଦେଶର ଜମିକୁ ବ୍ୟବହାର କରି ଇରାନ ଉପରେ ଆକ୍ରମଣ କଲେ ବରଦାସ୍ତ କରାଯିବ ନାହିଁ । ଇରାନ ଏହାର କଠୋର ଜବାବ ଦେବାକୁ ପଛାଇବ ନାହିଁ । ତୁର୍କୀ, ସାଇପ୍ରସ ଏବଂ ଆଜରବୈଜାନ ଅଭିମୁଖେ ଇରାନ ମିସାଇଲ କିମ୍ବା ଅନ୍ୟ ଯୁଦ୍ଧାସ୍ତ୍ର ପଠାଇଥିବା ଖବରକୁ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଖଣ୍ଡନ କରିଛନ୍ତି ।

ଏହା ବି ପଢନ୍ତୁ...ଇରାନୀ ଫୁଟବଲ ଟିମ୍ ପାଇଁ ଅଷ୍ଟ୍ରେଲିଆକୁ ଟ୍ରମ୍ପଙ୍କ ଅନୁରୋଧ, କହିଲେ - ପୁଣି ଫେରିଲେ ସେମାନଙ୍କୁ ମାରି ଦେଇ ପାରନ୍ତି !

ସେ କହିଛନ୍ତି, ଗତ ସପ୍ତାହରେ ଏହି ଦେଶଗୁଡ଼ିକ ଆଡ଼କୁ ଇରାନର ମାଟିରୁ କୌଣସି ଆକ୍ରମଣ ଆରମ୍ଭ ହୋଇନାହିଁ । ଶତ୍ରୁ ରାଷ୍ଟ୍ରଗୁଡ଼ିକ ଇରାନ ବିରୋଧରେ ଉସୁକାଇବା ନିମନ୍ତେ ଏଭଳି କରିଥାଇ ପାରନ୍ତି । ଏହାଦ୍ୱାରା ଇରାନ ସହ ପଡ଼ୋଶୀ ଦେଶଗୁଡ଼ିକର ମତଭେଦ ବୃଦ୍ଧି ପାଇବ । ଦେଶରେ ଥିବା ସମସ୍ତ ବିଦେଶୀ ଦୂତାବାସ ଏବଂ ମିଶନକୁ ସୁରକ୍ଷା ଯୋଗାଇବା ପାଇଁ ସରକାର ଶତତ ଚେଷ୍ଟା କରୁଛନ୍ତି । ଇରାନରେ ଏବେ ବି ୧୦୦ରୁ ଅଧିକ ଦେଶର ଦୂତାବାସ ମିଶନ ରହିଛି । ସରକାର ଏଗୁଡ଼ିକର ତଥା କର୍ମଚାରୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ କାମ କରୁଛନ୍ତି ।