ନୂଆଦିଲ୍ଲୀ,୧୦/୦୧:ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ୧୫ ଜଣିଆ ଆୟର୍ଲାଣ୍ଡ ଦଳ ଘୋଷଣା ହୋଇଛି । ଅଭିଜ୍ଞ ବ୍ୟାଟର ପଲ୍ ଷ୍ଟର୍ଲିଂଙ୍କୁ ଅଧିନାୟକ ଏବଂ ଲୋର୍କାନ ଟକରଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଦଳରେ ୩ଜଣ ନୂଆମୁହଁଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଟିମ୍ ଟେକ୍ଟର, ବେନ୍ କାଲିଜ ଓ ମାଥ୍ୟୁ ହମ୍ଫ୍ରେୟସ । ଆୟର୍ଲାଣ୍ଡ ନବମ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବାକୁ ଯାଉଛି ।

ଫେବୃଆରୀ ୭ରୁ ଆରମ୍ଭ ହେବ ବିଶ୍ୱକପ ମୁକାବିଲା । ଭାରତ ଓ ଶ୍ରୀଲଙ୍କା ଏହି ମେଗା ଇଭେଣ୍ଟର ଆୟୋଜକ ରହିବେ । ଆୟର୍ଲାଣ୍ଡ ଦଳ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଓମାନ ଓ ଜିମ୍ବାୱେ ସହ ସ୍ଥାନ ପାଇଛି । ଆଗାମୀ ଫେବ୍ରୁଆରୀ ୮ ତାରିଖରେ ଦଳ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ୧୧ ତାରିଖରେ ଅଷ୍ଟ୍ରେଲିଆ, ୧୪ରେ ଓମାନ ଓ ୧୭ ତାରିଖରେ ଜିମ୍ବାୱେ ବିପକ୍ଷରେ ଖେଳିବ । ଏହି ଫର୍ମାଟରେ ଦଳର ସର୍ବାଧିକ ରନ୍ ସଂଗ୍ରହକାରୀ ପଲ୍ ଷ୍ଟର୍ଲିଙ୍ଗ ପୁଣି ଥରେ ଟିମ୍‌ର ନେତୃତ୍ୱ ନେବେ ଏବଂ ଲୋର୍କାନ ଟକର ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଏହି ମେଗା ଇଭେଣ୍ଟ ପାଇଁ ଘୋଷିତ ୧୫ ଜଣିଆ ଆୟର୍ଲାଣ୍ଡ ଖେଳାଳିଙ୍କ ମଧ୍ୟରୁ ୧୨ ଜଣ  ପୂର୍ବ ସଂସ୍କରଣରେ ମଧ୍ୟ ସ୍ଥାନ ପାଇଥିଲେ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରୁଛନ୍ତି ।

ଆଇପିଏଲ ଷ୍ଟାରଙ୍କୁ ଦଳରେ ସ୍ଥାନ ମିଳିଛି- ଦେଶର ପ୍ରତିଷ୍ଠିତ ଇଣ୍ଡିଆନ୍ ପ୍ରିମିୟର ଲିଗରେ ପୂର୍ବରୁ ଅଂଶଗ୍ରହଣ କରିଥିବା ଜୋସ୍ ଲିଟିଲଙ୍କୁ ମଧ୍ୟ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଆୟର୍ଲ୍ୟାଣ୍ଡ ଦଳରେ ସାମିଲ କରାଯାଇଛି । ତାଙ୍କୁ ୨୦୨୩ ଆଇପିଏଲରେ ଗୁଜରାଟ ଟାଇଟାନ୍ସ ୪.୪୦ କୋଟିରେ କିଣିଥିଲା । ସେ ୨୦୨୪ ଆଇପିଏଲରେ ସମାନ ମୂଲ୍ୟରେ ସମାନ ଦଳ ସହିତ ରହି।

ଆୟର୍ଲାଣ୍ଡ ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡେୟର, ରସ୍ ଆଡେୟର, ବେନ୍ କାଲିଜ, କର୍ଟିସ କ୍ୟାମ୍ଫର, ଗାରେଥ ଡେଲାନି, ଜର୍ଜ ଡକରେଲ, ମାଥ୍ୟୁ ହମ୍ଫ୍ରେୟସ, ଜୋସ୍ ଲିଟିଲ, ବେରୀ ମ୍ୟାକ୍କାର୍ଥି, ହ୍ୟାରୀ ଟେକ୍ଟର, ଟିମ୍ ଟେକ୍ଟର, ଲୋର୍କାନ ଟକର (ଉପଅଧିନାୟକ), ବେନ୍ ହ୍ୱାଇଟ୍, କ୍ରେଗ ୟଙ୍ଗ୍ ।