ଢେଙ୍କାନାଳ,୧୩।୫ : ଢେଙ୍କାନାଳ ଜିଲ୍ଲାରେ ପୋଖରୀ ପୁନଃଉଦ୍ଧାର ନାଁରେ ବ୍ୟାପକ ଅନିୟମିତତା। ଆବଶ୍ୟକ ମୁତାବକ ପଙ୍କ, ମାଟି କଢ଼ା ଯାଉନାହିଁ। ଯେତିକି କଢ଼ା ହେଉଛି ତାହାକୁ ବାହାରକୁ ଉଠାଇବା ପରିବର୍ତ୍ତେ ପୋଖରୀ ହୁଡାରେ ଗଦା କରି ରଖାଯାଉଛି। ଏହାଦ୍ୱାରା ପୋଖରୀ ସଂକୁଚିତ ହୋଇଯାଉଛି। ଜଳଧାରଣା କ୍ଷମତା କମିଯାଉଛି। ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ। ଯାହାର ପ୍ରତିବାଦରେ ମଙ୍ଗଳବାର ସକାଳ ୯ ଘଟିକାଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।
ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି ସାମୁହିକ ଗଣଧାରଣାରେ ପୂର୍ବତନ ଏମପି ମହେଶ ସାହୁ, ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ଆବାହକ ପଙ୍କଜ କୁମାର ନାୟକଙ୍କ ସମେତ ସହରର ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ବକ୍ତାମାନେ ଉଦବୋଧନ ଦେଇ ସରକାର ଓ ସ୍ଥାନୀୟ ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି। ସହରର ମଧ୍ୟଭାଗରେ ରହିଥିବା ଭାଗିରଥି ସାଗର ଭିତରେ ଦ୍ୱିତୀୟ ହୁଡ଼ା କରି ପଙ୍କ ମାଟି ଜମାଇ ୩୦ ରୁ ୭୦ ଫୁଟ ନପୋତିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୧ ଏପ୍ରିଲ ଦିନ ଲିଖିତ ଭାବେ ଜଣାଇଥିଲେ। ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସୁରକ୍ଷା ସମିତି ଆନ୍ଦୋଳନ କରିବ ବୋଲି ଜଣାଇଥିଲେ। ଏହା ପରେ ସମସ୍ତଙ୍କ ସହିତ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ। ମାତ୍ର ୧୫ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ହସ୍ତକ୍ଷେପ କରିନାହାନ୍ତି କି ପଦକ୍ଷେପ ନେଲେନାହିଁ। ଭାଗୀରଥୀ ସାଗରର ଜଳଧାରଣ କ୍ଷମତା ହ୍ରାସ ଓ ପ୍ରାକୃତିକ ପରିବେଶ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ପ୍ରତିବାଦରେ ସମିତି ଏହି ଆନ୍ଦୋଳନର ପଥ ଅବଲମ୍ବନ କରିଛି। ତଥାପି ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନିଅନ୍ତି ଜିଲ୍ଲାରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ଢେଙ୍କାନାଳ ବନ୍ଦ ଡାକରା ଦିଆଯିବ ବୋଲି ଗଣ ଧାରଣାରେ ସୂଚନା ଦିଆଯାଇଛି।
ଏହି ଖବରଟିକୁ ପଢନ୍ତୁ-ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, କଡ଼ା ସୁରକ୍ଷାରେ ହାଜର ହେଲା ପୁଞ୍ଜିଲାଲ, ଆଜି ଶେଷ ପର୍ଯ୍ୟାୟ ଶୁଣାଣୀ