କଟକ, ୨୦/୧୦: ମାଟ୍ରିକ୍‌ ଫେଲ୍‌ ହେବା ପରେ ଭୁବନେଶ୍ୱରକୁ ଯାଇ କାମ ସନ୍ଧାନ କରିବାକୁ ଚେଷ୍ଟା । କିଛି କାମ ନମିଳିବାରୁ ଶେଷରେ ୟୁନିଟ୍‌-୯ର ବୟାବାବା ମଠ ପାଖରେ ଏକ ଚା’ ଦୋକାନ  ଖୋଲି ବସିଲା । ପାଞ୍ଚ ବର୍ଷ ଭିତରେ କୋଟିପତିରେ ଗଣା ହେଲା ମୁନା ମହାନ୍ତି । ଦାମୀ କାର୍‌, ହାଇୱା,  ଟିପର୍‌, ଟ୍ରାକ୍ଟର, ପୋକ୍‌ଲିନ୍‌ (ମାଟିତଡ଼ା ମେସିନ୍‌)  ଭଳି କୋଟି କୋଟି ଟଙ୍କାର ସମ୍ପତ୍ତି କରିଦେଲା । ଏ  ସବୁ ଗାଡ଼ିର ରେଜିଷ୍ଟ୍ରେସନ୍‌ ୨୦୨୧ ରୁ ୨୦୨୪ ମଧ୍ୟରେ  ରହିଥିବା ଜଣାପଡିଛି । ଏସ୍‌ଆଇ ନିଯୁକ୍ତି କେଳେଙ୍କରୀର  ଅନ୍ୟତମ ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା କଟକ ଜିଲ୍ଲା ବାଙ୍କୀ କଳାପଥର ତଳସାହି ଗ୍ରାମର ମୁନା ମହାନ୍ତି ହଠାତ୍‌ ଏତେ ଟଙ୍କା କେଉଁଠୁ ଆଣିଲା ତାହା ପ୍ରମାଣ କରିବାର  ଆବଶ୍ୟକତା ନାହିଁ । ପିଲାଙ୍କୁ ଚାକିରି ଲୋଭ ଦେଖାଇ ଠକେଇ କରି ରାତାରାତି ବଡଲୋକ ହୋଇଯାଇଥିବା  ମୁନାର ଏ କଚ୍ଚା ଚିଠା ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ହାତରେ ।

ଶଙ୍କର ପୃଷ୍ଟି ସିଣ୍ଡିକେଟ୍‌ର ମୁଖ୍ୟ ସଦସ୍ୟ ମୁନାର  ବି ରହିଥିଲା ନିଜସ୍ୱ ଏକ ସିଣ୍ଡିକେଟ୍‌ । ପିଲାଦିନର  ବନ୍ଧୁମାନଙ୍କୁ ଏକାଠି କରି ଠକେଇ କରିବାର ବ୍ଲୁ ପ୍ରିଣ୍ଟ୍‌  ପ୍ରସ୍ତୁତ କରିଥିଲା ମୁନା । କଟକ କଳାପଥରରୁ ନୟାଗଡ଼  ଦଶପଲ୍ଲା ଯାଏ ପ୍ରାୟ ଛ’ ଜଣ ଯୁବକ, ଯୁବତୀ ମୁନାର  ସିଣ୍ଡିକେଟ୍‌ ମେମ୍ବର ରହିଥିଲେ । ସିଣ୍ଡିକେଟ୍‌ ସମ୍ଭାଳୁଥିଲା  ମୁନାର ପିଲାଦିନର ଖାସ୍‌ ବନ୍ଧୁ ରିଙ୍କୁ । ରିଙ୍କୁର ମାମୁ  ଘର ମୁନାର ଘର ପାଖରେ, ଅର୍ଥାତ୍‌ କଳାପଥରର  ତଳସାହିରେ । ଛୋଟବେଳୁ ରିଙ୍କୁ ମାମୁ ଘରେ ରହି  ପାଠ ପଢୁଥିଲା । ରିଙ୍କୁ ଓ ମୁନାର ଦୋସ୍ତି ବହୁତ ପୁରୁଣା  ହୋଇଥିବାରୁ ଭରସାରେ ରିଙ୍କୁକୁ ସିଣ୍ଡିକେଟ୍‌ ଦାୟିତ୍ୱ  ଦେଇଥିଲା ମୁନା । ମୁନାର ବାପା ସାଧୁଆ ମହାନ୍ତି ଦିନ  ମଜୁରିଆ ଥିବାରୁ ମୁନା ପରିବାର ଛାଡ଼ି କାମ ସନ୍ଧାନରେ  ଭୁବନେଶ୍ୱର ପଳାଇ ଯାଇଥିଲା । ରିଙ୍କୁର ଭୁବନେଶ୍ୱରରେ  ସୁସମ୍ପର୍କ ଥିବାରୁ ତା ସହାୟତାରେ ୟୁନିଟ୍‌ ୯ ପାଖରେ  ଚା’ ଦୋକାନ କରିଥିଲା ମୁନା । ସେଠାରେ ଶଙ୍କର,  ରିଙ୍କୁ ଓ ମୁନାର ଭେଟଘାଟ ହୋଇଥିବା ଜଣାପଡିଛି ।  

ଗତ ପାଞ୍ଚ ବର୍ଷ ଭିତରେ ନିଯୁକ୍ତି ବାବଦ ଠକେଇର  ସବୁ ସୀମା ଅତିକ୍ରମ କରିଯାଇଥିଲା ଏ ସିଣ୍ଡିକେଟ୍‌ ।  ଯେଉଁଥିରେ ସମସ୍ତେ କୋଟିପତି ହୋଇଯାଇଥିଲେ ।  ଖାସ୍‌ କରି ମୁନାର ଚଳଣି ବଦଳି ଯାଇଥିଲା ।  କଳାପଥର ତଳସାହିରେ ରହିଥିବା ମୁନାର ଘରର  କିଛି ଫଟୋ ଏବେ ‘ପ୍ରମେୟ’ର ହସ୍ତଗତ ହୋଇଛି ।  ଜଣେ ସାଧାରଣ ଚା’ ଦୋକାନୀ ଏତେ ବିଳାସପୂର୍ଣ୍ଣ  ଘର କେମିତି କରିପାରିଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ଶାଗୁଆନ୍‌ କାଠରେ ଇଣ୍ଟେରିୟର୍‌, ଛାତରେ ଜିପସମ୍‌  ସିଲିଂ, ରଙ୍ଗୀନ ଲାଇଟ୍‌, ଝୁମର, ଦାମୀ ଆସବାବପତ୍ର  ସାଙ୍ଗକୁ ୫ ଲକ୍ଷ ଟଙ୍କିଆ ରିମୋଟରେ ପରିଚାଳିତ ଖଟ  ଏବେ ଚର୍ଚ୍ଚାରେ । ସବୁ କବାଟ ଓ ଝରକା ରିମୋଟ୍‌  ଦ୍ୱାରା ଅପରେଟ୍‌ କରାଯାଉଥିଲା । ମୁନାର ଘରର ମୂଲ୍ୟାୟନ କରାଗଲେ ଅତିକମ୍‌ରେ ଦୁଇ କୋଟି  ଟଙ୍କା ହେବ ବୋଲି କୁହାଯାଉଛି । କୋଟି କୋଟି  ଟଙ୍କାର ଗାଡ଼ିଘୋଡା ବି ସେ କିଣିଥିଲା । ନିଜ ନାଁରେ  ଥାର୍‌ କାର୍‌ କରିବା ସହ ସମ୍ପର୍କୀୟଙ୍କ ନାଁରେ ଅନେକ  ଗୁଡାଏ ଗାଡ଼ି କରିଥିଲା ମୁନା । ୩ଟା ଟ୍ରାକ୍ଟର, ୨ଟି  ହାଇୱା, ୨ଟା ଟିପର୍‌ ଭଳି ଗାଡ଼ି ରହିଥିଲା ତାର ।  ଦଶପଲ୍ଲାର ଏକ ବାଲିଘାଟ ବୁଝାଶୁଝା କରିବା ସହ  କିଛି ନେତାଙ୍କ ଲିଙ୍କ୍‌ରେ ରହି କଳା ସାମ୍ରାଜ୍ୟ ପ୍ରତିଷ୍ଠା  କରିଥିଲା ମୁନା । ଏବେ ଏସବୁ ଦିଗକୁ କ୍ରାଇମବ୍ରାଞ୍ଚ୍‌  ଖୋଳତାଡ଼ କରୁଥିବା ବେଳେ ମୁନାର ସିଣ୍ଡିକେଟ୍‌ ଓ  ସମସ୍ତ ସମ୍ପତ୍ତି ତଦନ୍ତକାରୀ ଟିମ୍‌ର ସ୍କାନର୍‌ରେ ରହିଛି ।