ମୋହନା, ୧୦।୫: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ମାଙ୍କଡ଼ଡିଆଁ ଜଳପ୍ରପାତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି l ଏଥିସହ କିଛି ଦୂରରେ ଗୋଟିଏ ବାଇକ ଥିବା ଦେଖିବାକୁ ମିଳିଛି l ମୃତକ ଜଣକ ହେଲେ ବ୍ରହ୍ମପୁର ସ୍ଥିତ ରୟାଲ କଲେଜର ଏମଫାର୍ମା ବିଭାଗ ଅଧ୍ୟାପକ ଅଭିଜିତ ଦାସ ।
ସ୍ଥାନୀୟ ଅଞ୍ଚଳର କିଛି ଲୋକ ମାଙ୍କଡ଼ଡିଆଁ ଜଳ ପ୍ରପାତ ନିକଟକୁ ଯାଇଥିଲେ l ତେବେ ଜଳ ପ୍ରପାତରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ l ରା.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା l ତଦନ୍ତ ପରେ ମୃତଦେହଟି ବ୍ରହ୍ମପୁର ସ୍ଥିତ ରୟାଲ କଲେଜର ଏମଫାର୍ମା ବିଭାଗ ଅଧ୍ୟାପକ ଅଭିଜିତ ଦାସ ବୋଲି ପୋଲିସ ଚିହ୍ନଟ କରିଛି l ମୃତଦେହଟି ଜଳ ପ୍ରପାତ ଆଗରେ ଥିବା ପଥର ଚଟାଣ ଉପରେ ପଡ଼ିଥିବା ବେଳେ କିଛି ଦୂରରେ ଗୋଟିଏ ବାଇକ ଅଛି l
ମୃତ ଅଭିଜିତଙ୍କ ନିଜ ଘର ଜଗତସିଂହପୁର ହୋଇଥିବା ବେଳେ ଗତ ଏକ ସପ୍ତାହ ହେଲା ବ୍ରହ୍ମପୁର ରୟାଲ କଲେକ ରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ l ତେବେ ମାଙ୍କଡ଼ଡିଆଁ ଜଳ ପ୍ରପାତ ରେ ତାଙ୍କର କିଭଳି ମୃତ୍ୟୁ ଘଟିଛି l ତାଙ୍କୁ କେହି ହତ୍ୟା କରିଛି ନା ଘଟଣା ପଛରେ ଅନ୍ୟ କଣ କାରଣ ରହିଛି l ସେ ଏକା ଆସିଥିଲେ ନା ତାଙ୍କ ସାଥିରେ ଅନ୍ୟ କେଉଁମାନେ ଆସିଥିଲେ ତାହାର ତଦନ୍ତ କରୁଛି ପୋଲିସ l