ନୂଆଦିଲ୍ଲୀ,୨୫/୦୧:ସଞ୍ଜୁ ସାମସନଙ୍କ ଉପରେ ଭାରତର ଟି-୨୦ ଦଳରେ ତାଙ୍କର ଓପନିଂ ସ୍ଥାନ ବଜାୟ ରଖିବା ପାଇଁ ପ୍ରବଳ ଚାପ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ, ଇଶାନ କିସନଙ୍କ ପ୍ରଦର୍ଶନ ଏବଂ ତିଲକ ବର୍ମାଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ପରିଚାଳନା ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି । ଯଦି ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ମଧ୍ୟରେ ସାମସନ ଶୀଘ୍ର ରନ ନକରନ୍ତି, ତେବେ ତାଙ୍କୁ ଦଳରୁ ବାହାର କରାଯାଇପାରେ । ଏ ନେଇ ପୂର୍ବ କ୍ରିକେଟର ଆକାଶ ଚୋପ୍ରା ପୂର୍ବାନୁମାନ କରିଛନ୍ତି ।
ବିପଦରେ ସଞ୍ଜୁ- ଉପଅଧିନାୟକ ଶୁବମନ ଗିଲଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ସଞ୍ଜୁ ସାମସନଙ୍କ କ୍ରମାଗତ ବିଫଳତା ତାଙ୍କୁ ବିପଦକୁ ଠେଲି ଦେଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୨ଟି ମ୍ୟାଚରେ ସେ ସର୍ଟବଲ ଖେଳିବାକୁ ଯାଇ ମିଡୱିକେଟ ଓ ମିଡଅନରେ କ୍ୟାଚ ଆଉଟ ହୋଇଛନ୍ତି । ଏପରିକି ୨୦୨୫ ପରଠାରୁ ସେ ୮ ଥର ଇନିଂସ ଓପନ କରିଥିବାବେଳେ ୭ ଥର ପାୱାର ପ୍ଲେରେ ଆଉଟ୍ ହୋଇଛନ୍ତି । ଇଶାନ କିସାନ ବ୍ୟାଟିଂ ଫର୍ମକୁ ଫେରିବା ପରେ ସାମସନଙ୍କ ସ୍ଥାନ ୱିକେଟରକ୍ଷକ ଭାବେ ସୁରକ୍ଷିତ ନୁହେଁ ବୋଲି ଆଶଙ୍କା କରାଯାଉଛି । ୨୦୨୪ରେ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮ଟି ମ୍ୟାଚ ଖେଳି ୫ଟିରେ ପରାଜିତ ହୋଇଛି । ଅନ୍ୟ ୩ଟି ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇନାହିଁ । ଉଭୟ ସାମସନ ଓ ନ୍ୟୁଜିଲାଣ୍ଡ ଏହି ସିରିଜରେ ତିଷ୍ଠି ରହିବେ କି ନାହିଁ ତାହା ତୃତୀୟ ତଥା ଆଜି ହେବାକୁ ଥିବା ମ୍ୟାଚ ପରେ ସ୍ପଷ୍ଟ ହେବ ।
ସାମସନଙ୍କୁ ସ୍କୋର କରିବାକୁ ପଡ଼ିବ- ସଞ୍ଜୁ ସାମସନଙ୍କ ପ୍ରଦର୍ଶନକୁ ନେଇ ପୂର୍ବ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି, ଗୌହାଟୀରେ ସଞ୍ଜୁଙ୍କୁ ବଡ଼ ସ୍କୋର କରିବାକୁ ପଡ଼ିବ । ନଚେତ୍ ତିଲକ ବର୍ମା ଆସିବା କ୍ଷଣି ମେନ୍ ୱିକେଟ କିପର ଥିଲେ ବ୍ୟାକଅପ କିପର ହୋଇଯିବେ । ପ୍ଲେଇଙ୍ଗ ଇଲେଭେନରୁ ଆଉଟ୍ ହେବା ବିପଦ ରହିଛି । ବାଂଲାଦେଶ ଏବଂ ସାଉଥ୍ ଆଫ୍ରିକା ବିପକ୍ଷରେ ୨୦୨୪ରେ ୭ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ । ସେଥିରେ ୩ଟି ଶତକ ଥିଲା । ଏହା ପରେ ସଞ୍ଜୁଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ ଥିବାବେଳେ ସଞ୍ଜୁଙ୍କୁ କମବ୍ୟାକ କରିବାକୁ ପଡ଼ିବ ବୋଲି କହିଛନ୍ତି ଆକାଶ ଚୋପ୍ରା ।
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଗୌହାଟୀରେ ରାତି ୭ଟାରୁ ଆରମ୍ଭ ହେବ ମୁକାବିଲା । ପ୍ରଥମ ଦୁଇ ମ୍ୟାଚ ଜିତି ସାରିଥିବା ଭାରତ ତୃତୀୟ ମ୍ୟାଚ ଜିତି ଆଗୁଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତି ହୋଇଛି । କମବ୍ୟାକ କରିବାକୁ ପ୍ରୟାସ କରିବ କିୱି ଟିମ୍ । ଆଜିର ମ୍ୟାଚରେ ସଞ୍ଜୁକୁ କିଛି ବଡ଼ ସ୍କୋର କରିବାକୁ ପଡ଼ିବ ।ଶେଷ ୪ଟି ଟି-ଟ୍ୱେଣ୍ଟିରେ ସଞ୍ଜୁ ୬(୫), ୩୭(୨୨), ୧୦ (୭), ୨ (୪) ରନ୍ କରିଛନ୍ତି ।