ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାଂସଦ ମୁସ୍ତାକ ଅହମ୍ମଦ ଖାନଙ୍କୁ ଗିରଫ କରିଛି ଇସ୍ରାଏଲ । ସେ ଗାଜାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଗାଜା ଅଭିମୁଖେ ଯାଉଥିବା ଗ୍ଲୋବାଲ୍ ସୁମୁଦ୍ ଫ୍ଲୋଟିଲାରେ ପାକିସ୍ତାନୀ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ମୁସ୍ତାକ ଅହମ୍ମଦ ଖାନଙ୍କୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗିରଫ କରିଛି। ଇସ୍ରାଏଲୀ ସେନା ଫ୍ଲୋଟିଲାକୁ ଅଟକାଇ ଜାହାଜଗୁଡ଼ିକୁ ଜବତ କରିଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଗାଜା ଅଭିମୁଖେ ଯାଉଥିବା ଗ୍ଲୋବାଲ୍ ସୁମୁଦ୍ ଫ୍ଲୋଟିଲାକୁ ଅଟକାଇଛି । ଏଥିରେ ବିଭିନ୍ନ ଦେଶର ୫୦୦ ରୁ ଅଧିକ ରାଜନେତା ଏବଂ କର୍ମୀ ଥିଲେ । ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପୂର୍ବତନ ସାଂସଦ ମୁସ୍ତାକ ଅହମ୍ମଦ ଖାନଙ୍କୁ ଗିରଫ କରାଯାଇଛି । ପାକିସ୍ତାନ-ପାଲେଷ୍ଟାଇନ୍ ଫୋରମ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛି, ‘ଇସ୍ରାଏଲୀ ସେନା ମୁସ୍ତାକ ଅହମ୍ମଦ ଖାନଙ୍କୁ ଗିରଫ କରିଛି। ଲୋକମାନେ ଘରୁ ବାହାରକୁ ଆସି ତାଙ୍କର ମୁକ୍ତି ପାଇଁ ଦାବି କରିବାର ସମୟ ଆସିଛି।’

 ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ପ୍ରତିନିଧିମଣ୍ଡଳୀକୁ ନେଇ ଯାଉଥିବା ଏକ ଡଙ୍ଗା ଅନ୍ୟମାନଙ୍କୁ ଛାଡି ପଳାଇଯାଇଛି। ପାକିସ୍ତାନୀ ପ୍ରତିନିଧିମଣ୍ଡଳୀ ସୟଦ ଉଜୈର ନିଜାମି ଏଥିରେ ଥିଲେ ଏବଂ ସେ ସାଂସଦ ଖାନ ଗିରଫ ହୋଇଥିବା ସ୍ପଷ୍ଟ କରିଛନ୍ତି। ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଗାଜା ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଶାନ୍ତି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ହମାସ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିବା ବିଶ୍ୱାସ କରାଯାଉଛି। ଏପରି ମଧ୍ୟ ରିପୋର୍ଟ ଆସିଛି ଯେ, ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ଚୁକ୍ତିରେ ସହମତ ହେବାକୁ କହିଛନ୍ତି। ଏହାର ଅର୍ଥ ହେଉଛି, ପାକିସ୍ତାନ ଇସ୍ରାଏଲକୁ ମାନ୍ୟତା ଦେଉ ବୋଲି ଟ୍ରମ୍ପ ଚାପ ପକାଉଛନ୍ତି । ପାକିସ୍ତାନ ଏବେ ବି ଇସ୍ରାଏଲକୁ ମାନ୍ୟତା ଦେଇନାହିଁ ଏବଂ ଇସ୍ରାଏଲ ସର୍ବଦା ପାକିସ୍ତାନୀମାନଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଆସିଛି । 

ରିପୋର୍ଟ ଅନୁଯାୟୀ, ଗ୍ଲୋବାଲ୍ ସୁମୁଦ ଫ୍ଲୋଟିଲାରେ ୪୫ଟି ଜାହାଜ ଥିଲା। ଏହାର ଲକ୍ଷ୍ୟ ଥିଲା ଇସ୍ରାଏଲୀ ଅବରୋଧ ଭାଙ୍ଗି ଗାଜା ଷ୍ଟ୍ରିପରେ ପ୍ରବେଶ କରିବା। ଏହି ଜାହାଜଗୁଡ଼ିକ ଗାଜା ପଟିର ପରିସ୍ଥିତିକୁ ପ୍ରତ୍ୟକ୍ଷ ଭାବରେ ଦେଖିବା ଏବଂ ଏହାର ଦୁର୍ଦ୍ଦଶା ବିଷୟରେ ବିଶ୍ୱକୁ ଜଣାଇବାକୁ ଚାହୁଁଥିଲେ। ଗ୍ରେଟା ଥନବର୍ଗ ମଧ୍ୟ ଏହି ଜାହାଜ ମଧ୍ୟରେ ଥିଲେ। ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ହାମାସ-ସୁମୁଦ ଫ୍ଲୋଟିଲାର ଅନେକ ଜାହାଜକୁ ସୁରକ୍ଷିତ ଭାବରେ ଅଟକାଯାଇଛି ଏବଂ ସେମାନଙ୍କର ଯାତ୍ରୀମାନଙ୍କୁ ଇସ୍ରାଏଲ ବନ୍ଦରକୁ ଅଣାଯାଉଛି। ଗ୍ରେଟା ଏବଂ ତାଙ୍କ ସାଥିମାନେ ସୁରକ୍ଷିତ ଅଛନ୍ତି। 

ଇସ୍ରାଏଲୀ ଅଧିକାରୀମାନେ ମଧ୍ୟ ଦାବି କରିଛନ୍ତି ଯେ, ସେମାନେ ଗାଜା ପଟିରୁ ଏପରି କାଗଜପତ୍ର ପାଇଛନ୍ତି, ସେଥିରୁ ଜଣାପଡ଼ିଛି ଜାହାଜରେ ଆସୁଥିବା ଅନେକ ଲୋକଙ୍କର ସିଧାସଳଖ ସମ୍ପର୍କ ହମାସ ସହିତ ଅଛି। ଇସ୍ରାଏଲ ଏପରି ବ୍ୟକ୍ତିଙ୍କ ସଂପର୍କରେ ତଦନ୍ତ କରୁଛି। ପାକିସ୍ତାନର ପୂର୍ବତନ ସାଂସଦଙ୍କ  ହମାସ ସହିତ ସମ୍ପର୍କ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାନାହିଁ। ଏନେଇ ତଦନ୍ତ ଜାରି ରହିଛି ।