ନୂଆଦିଲ୍ଲୀ, ୨୧।୭: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ । ଆମେରିକା ସେନା ଲଗାତାର ୧୦ମ ରାତିରେ ଇରାନର ବିଭିନ୍ନ ସାମରିକ ଠିକଣାକୁ ଏୟାରଷ୍ଟ୍ରାଇକ୍ କରିଛି । ମଙ୍ଗଳବାର ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି ଯେ, ଇରାନର ସାମରିକ କମାଣ୍ଡ ସେଣ୍ଟର, ଉପକୂଳ ନଜର ରଖିବା କେନ୍ଦ୍ର, ମିସାଇଲ୍ ଓ ଡ୍ରୋନ୍ ଲଞ୍ଚ ସାଇଟ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍ ଉପରେ ଏହି ନିର୍ଣ୍ଣାୟକ ଆକ୍ରମଣ କରାଯାଇଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଦାବି କରାଯାଇଛି ଯେ, ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ଯାତାୟାତ କରୁଥିବା ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ ଇରାନ ଯେପରି ଆକ୍ରମଣ ନ କରିପାରିବ, ସେଥିପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମେ ମାସ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ସେଣ୍ଟକମ୍ ବଳ ପ୍ରାୟ ୯୦୦ଟି କମର୍ସିଆଲ୍ ଜାହାଜ ଏବଂ ୪୫ କୋଟି ବ୍ୟାରେଲ୍ ଅଶୋଧିତ ତୈଳର ସୁରକ୍ଷିତ ପରିବହନରେ ସାହାଯ୍ୟ କରିସାରିଛି ।

ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ:

ଜୋର୍ଡାନରେ ଦୁଇଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଶକ୍ତ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, "ଯଦି ଇରାନର ଆକ୍ରମଣରେ ଜଣେ ବି ଆମେରିକୀୟ ସୈନିକଙ୍କ ଜୀବନ ଯାଏ, ତେବେ ଇରାନକୁ ସେଥିପାଇଁ ବହୁ ଗୁଣା ବଡ଼ କ୍ଷତି ସହିବାକୁ ପଡ଼ିବ ।" ସେ ଏହି ନିର୍ଦ୍ଦେଶ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍, ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଚେୟାରମ୍ୟାନ୍ ଡାନିଏଲ୍ କେନ୍ ଏବଂ ସେନାର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପଠାଇ ସାରିଥିବା ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ... Iran-America War : ମଧ୍ୟସ୍ଥି ନୁହେଁ …ଏବେ ଇରାନ-ଆମେରିକା ଯୁଦ୍ଧରେ ଫସିଲା ପାକିସ୍ତାନ !

ଆମେରିକୀୟ ଘାଟି ଉପରେ ଇରାନର ପାଲଟା ଜବାବ:

ଅନ୍ୟପଟେ ଇରାନର 'ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କୋର୍' (IRGC) ଦାବି କରିଛି ଯେ, ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ସୈନ୍ୟ ଘାଟିଗୁଡ଼ିକ ଉପରେ ସେମାନେ ବ୍ୟାପକ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରିଛନ୍ତି । IRGC ର ନୌସେନା "ଅପରେସନ୍ ନସ୍ର-୨" ଅଧୀନରେ ତିନୋଟି ପର୍ଯ୍ୟାୟରେ ଆମେରିକା ବାହିନୀକୁ ବିପୁଳ କ୍ଷତି ପହଞ୍ଚାଇଥିବା ଦାବି କରିଛି । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଏହି ଯୁଦ୍ଧାବସ୍ଥା ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।