ନୂଆଦିଲ୍ଲୀ,୧୩/୦୭: ଇସ୍ରାଏଲ ପୁଣି ଗାଜାରେ ଧ୍ୱଂସ ଲୀଳା ରଚିଛି । ଗାଜା ପଟ୍ଟିର ୨୫୦ ଠିକଣା ଉପରେ ଭୟଙ୍କର ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ । ପାଲେଷ୍ଟାଇନୀ ହସ୍ପିଟାଲ ଅଧିକାରୀ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗାଜାର ଏକ ରିଲିଫ୍‌ କେନ୍ଦ୍ରକୁ ଯାଉଥିବା ସମୟରେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ଏଥିରେ ୧୧୦ ପାଲେଷ୍ଟାନୀୟଙ୍କର ମୃତ୍ୟୁ ହୋଇଛି ।  ସେମାନଙ୍କ ମଧ୍ୟରେ ୩୪ ଜଣ ରାସନ୍‌ ପାଇଁ ଅପେକ୍ଷା କରିଥିଲେ । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡିଛି ।

୩୪ ଜଣ ପାଲେଷ୍ଟାଇନୀ ଦକ୍ଷିଣ ଗାଜାର ରାଫା ନିକଟରେ ଏକ ରିଲିଫ୍ କେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ଏୟାରଷ୍ଟ୍ରାଇକ୍ ହୋଇଥିୃଲା । ଅଲ-ଆକସା ସହିଦ ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, କେନ୍ଦ୍ରୀୟ ଗାଜାର ଦିର ଅଲ-ବାଲାହରେ ବିମାନ ଆକ୍ରମଣରେ ୪ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ନାସିର ହସ୍ପିଟାଲ ଅନୁଯାୟୀ, ଦକ୍ଷିଣରେ ଖାନ ୟୁନିସରେ ଆଉ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତର ଗାଜାର ବେତ ହନୁନ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ବଡ଼ ଏୟାରଷ୍ଟ୍ରାଇକ୍ ହୋଇଛି । ୨୧ ମାସ ଧରି ଚାଲିଥିବା ଯୁଦ୍ଧରେ ଗାଜାର ୨୦ ଲକ୍ଷରୁ ଅଧିକ ଜନସଂଖ୍ୟାକୁ ବାହ୍ୟ ସହାୟତା ଉପରେ ନିର୍ଭରଶୀଳ କରିଦେଇଛି ।  ଖାଦ୍ୟ ସୁରକ୍ଷା ବିଶେଷଜ୍ଞମାନେ ଦୁର୍ଭିକ୍ଷର ଚେତାବନୀ ଦେଇଛନ୍ତି । ମାର୍ଚ୍ଚରେ ଯୁଦ୍ଧବିରତି ଶେଷ ହେବା ପରେ, ଇସ୍ରାଏଲ ସାହାଯ୍ୟ ପ୍ରବେଶକୁ ଅବରୋଧ କରିଥିଲା ଏବଂ ପରେ ସୀମିତ କରିଥିଲା ।

କ’ଣ କହିଲା ଇସ୍ରାଏଲ ସେନା ?

ଇସ୍ରାଏଲୀ ସେନା କହିଛି ଯେ, ସନ୍ଦେହଜନକ ଆଚରଣ କରୁଥିବା ଲୋକଙ୍କୁ ପାଖକୁ ଆସିବାରୁ ରୋକିବା ପାଇଁ ସେମାନେ ସେମାନଙ୍କ ଉପରେ ଚେତାବନୀମୂଳକ ଗୁଳି ଚଳାଇଛନ୍ତି । ଏହି ଘଟଣାରେ କୌଣସି ମୃତାହତଙ୍କ ବିଷୟରେ କୌଣସି ସୂଚନା ନାହିଁ । ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (GHF)କହିଛି ଯେ, ବଣ୍ଟନ କେନ୍ଦ୍ର ନିକଟରେ କୌଣସି ଘଟଣା ଘଟିନାହିଁ ।

ଗାଜା ଷ୍ଟ୍ରିପରେ ୨୫୦ଟି ଠିକଣାରେ ଆକ୍ରମଣ

ଇସ୍ରାଏଲୀ ସେନା ଏକ ବିବୃତ୍ତିରେ କହିଛି ଯେ, ଗତ ୪୮ ଘଣ୍ଟା ମଧ୍ୟରେ ସୈନ୍ୟମାନେ ଗାଜା ଷ୍ଟ୍ରିପରେ ପ୍ରାୟ ୨୫୦ଟି ଠିକଣାରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ଆତଙ୍କବାଦୀ, ଗୋଳାବାରୁଦ ଡିପୋ, ଟ୍ୟାଙ୍କ ଆଣ୍ଟି-ଟ୍ୟାଙ୍କ ମିସାଇଲ ଲଞ୍ଚ ପୋଷ୍ଟ, ସ୍ନାଇପର ପୋଷ୍ଟ, ସୁଡ଼ଙ୍ଗ ଏବଂ ଅନ୍ୟାନ୍ୟ ହମାସ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଭୂମଧ୍ୟସାଗର ଉପକୂଳରେ କଡ଼ା କଟକଣା ଜାରି କରାଯାଇଛି ।

 ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମଧ୍ୟରେ ଦୁଇ ଦିନିଆ ବୈଠକ ପରେ ଯୁଦ୍ଧବିରତି ଆଲୋଚନା ନେଇ କୌଣସି  ଅଗ୍ରଗତି ହେବାର ସଙ୍କେତ ମିଳିନାହିଁ । ଟ୍ରମ୍ପ କହିଥିଲେ ଯେ, ସେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଚୁକ୍ତିର ନିକଟତର, ଯାହା ଯୁଦ୍ଧର ଅନ୍ତ କରିପାରିବ । ହେଲେ ସେପରି କିଛି ହୋଇନାହିଁ ।