ୱାଶିଂଟନ ଡିସି, ୧୯/୫: ପଶ୍ଚିମ ଏସିଆ ସଙ୍କଟ ବଢ଼ିବାରେ ଲାଗିଛି । ବିଶେଷକରି ହୋର୍ମୁଜ ପ୍ରଣାଳୀ ବନ୍ଦ ରହିବା ଯୋଗୁ ବିଶ୍ୱବ୍ୟାପୀ ତୈଳ ଓ ଗ୍ୟାସ ସଙ୍କଟ ବଢ଼ୁଛି । ଇରାନ ଏହାର ଜିଦ୍‌ ଛାଡ଼ିବାକୁ ନାରାଜ । ଇସ୍ରାଏଲ୍‌ର ପ୍ରବଳ ଚାପ ଯୋଗୁ ଆମେରିକା ମଧ୍ୟ ପଛଘୁଞ୍ଚା ଦେଉନାହିଁ । ଦୁଇଦେଶ ମଧ୍ୟରେ ଏଭଳି ଟଣାଓଟରା ଯୋଗୁ ବିଶ୍ୱବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ଇସ୍ରାଏଲ୍‌ର ଚାପ ଯୋଗୁ ଆମେରିକା ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ନେଇ ଆଶଙ୍କା ଦେଖାଦେଇଛି ।

​​​​​​​

ଦୋହା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଗ୍ରାଜୁଏଟ୍‌ ଷ୍ଟଡିଜ୍‌ର ପ୍ରଫେସର ମହମ୍ମଦ ଏଲ୍‌ମସରୀ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଇସ୍ରାଏଲ୍‌ ଏବଂ ନିଜ ପ୍ରଶାସନରେ କଠୋର ଆଭିମୁଖ୍ୟ ରଖୁଥିବା କିଛି ନେତାଙ୍କ ପକ୍ଷରୁ ପ୍ରବଳ ଚାପ ପଡୁଛି । ଇରାନକୁ କୌଣସିମତେ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ନ ଦେବା ପାଇଁ ସେମାନେ ଚାହୁଁଛନ୍ତି । ବିଶ୍ୱ ତୈଳ ସଙ୍କଟକୁ ସେମାନେ ଅଣଦେଖା କରି କେବଳ ଇରାନକୁ ସାବାଡ୍‌ କରିବା ଲାଗି ଟ୍ରମ୍ପ୍‌ଙ୍କୁ କହୁଛନ୍ତି । ଅଲ୍‌ ଜଜିରାକୁ ଦେଇଥିବା ସାକ୍ଷାତକାରରେ ଏଲ୍‌ମସରୀ କହିଛନ୍ତି, ଟ୍ରମ୍ପ୍‌ ବର୍ତ୍ତମାନ ନିଜ ଇଚ୍ଛା ଅନୁସାରେ କାମ କରୁନାହାନ୍ତି । ଅନେକ ପୃଥକ ନେତାଙ୍କ ପ୍ରଭାବରେ ସେ ଅଛନ୍ତି । ଏମାନଙ୍କ ମଧ୍ୟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ଆମେରିକା ପ୍ରଶାସନର ‘ହକିଶ୍‌’ ଅଧିକାରୀ ଅନ୍ତର୍ଭୁକ୍ତ । ଏହି କାରଣରୁ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆମେରିକା ପଟୁ ନୂଆ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା ଉପୁଜିଛି ।

ଇରାନ ଓ ଆଲୋଚନା ପ୍ରକ୍ରିୟା ଉପରେ ଟ୍ରମ୍ପ୍‌ଙ୍କର ଅନେକ ଆଶା ଥିଲା । ତାଙ୍କର ସଦ୍ୟ ଚୀନ୍‌ ଗସ୍ତ ଓ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ ବୈଠକ ବେଳେ ବି ଟ୍ରମ୍ପ୍‌ ଉନ୍ନତ ରଣନୀତିକ ପରିଣାମର ଆଶା କରୁଥିଲେ । ବିଶ୍ଳେଷକଙ୍କ ଅନୁସାରେ, ବର୍ତ୍ତମାନର ସଙ୍ଘର୍ଷ ଆମେରିକା ଓ ଟ୍ରମ୍ପ୍‌ ପ୍ରଶାସନ ଲାଗି ଉଭୟ ରାଜନୈତିକ ଏବଂ ଆର୍ଥିକ କ୍ଷତିର କାରଣ ସାଜିପାରେ । କିନ୍ତୁ ଆମେରିକା ରାଷ୍ଟ୍ରପତି ବର୍ତ୍ତମାନ କାହା ଚାପରେ ନଇଁବା ଉଚିତ ନୁହେଁ । ସେ ଭାବିଚିନ୍ତି ନିଷ୍ପତ୍ତି ନେବା ଜରୁରି । ତାଙ୍କର ସକାରାତ୍ମକ ପଦକ୍ଷେପ ଯୁଦ୍ଧକୁ ସମାପ୍ତ କରିବା ଲାଗି ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ରମ୍ପ୍‌ ସିଧାସଳଖ ଭାବେ ପଛକୁ ହଟିବା ସହଜ ନୁହେଁ ।

ଅଧିକ ପଢ଼ନ୍ତୁ-America Firing: ଆମେରିକାର ସାନ ଡିଏଗୋରେ ବର୍ବରକାଣ୍ଡ: ମସଜିଦ ବାହାରେ ଆଖିବୁଜା ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ସମେତ ୫ ମୃତ