ନୂଆଦିଲ୍ଲୀ/ୱାଶିଂଟନ, ୧୯।୫: ଆମେରିକାରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । କାଲିଫର୍ଣ୍ଣିଆର ସାନ ଡିଏଗୋ ସହରରେ ଥିବା ଏକ ପ୍ରସିଦ୍ଧ ଇସଲାମିକ ସେଣ୍ଟର, ମସଜିଦ ପରିସର ବାହାରେ ଦିନ ଦ୍ୱିପ୍ରହରରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି । ଦୁଇଜଣ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ଦ୍ୱାରା ହୋଇଥିବା ଏହି ଆଖିବୁଜା ଗୁଳିମାଡ଼ରେ ମସଜିଦର ଜଣେ ସୁରକ୍ଷାକର୍ମଙ୍କ ସମେତ ୩ ଜଣ ନିରୀହ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ ଏହି ରକ୍ତାକ୍ତ କାଣ୍ଡ ଭିଆଇବା ପରେ ଉଭୟ ଆକ୍ରମଣକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏହି ଆତ୍ମଘାତୀ ଆକ୍ରମଣକୁ ମିଶାଇ ସମୁଦାୟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ମସଜିଦ ପରିସରରେ ଖେଳିଗଲା ଆତଙ୍କ:

ସ୍ଥାନୀୟ ସାନ ଡିଏଗୋ କାଉଣ୍ଟି ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ସମୟରେ ଯେତେବେଳେ ମସଜିଦ ପରିସରରେ ନମାଜୀ ଏବଂ ଶିକ୍ଷାର୍ଥୀଙ୍କ ବେଶ ଚହଳଚହଳ ଥିଲା, ସେତିକିବେଳେ ହଠାତ୍ ଗୁଳିଫୁଟିବା ଆରମ୍ଭ ହୋଇଥିଲା । ଦୁଇଜଣ ସନ୍ଦିଗ୍ଧ ଯୁବକ ସେଠାରେ ପହଞ୍ଚି ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ । ଗୁଳିମାଡ଼ର ଶବ୍ଦ ଶୁଣି ମସଜିଦ ମଧ୍ୟରେ ଉପାସନା କରୁଥିବା ନମାଜୀ ଏବଂ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ନିଜ ଜୀବନ ବଞ୍ଚାଇବା ପାଇଁ ଲୋକେ ଏପଟସେପଟ ଦୌଡ଼ିବାକୁ ଲାଗିଥିଲେ ।

ଘଟଣାର ସୂଚନା ପାଇବା ମାତ୍ରେ ଆମେରିକୀୟ ପୁଲିସ ବାହିନୀ ଏବଂ ସ୍ୱାତ (SWAT) ଟିମ୍ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ଯାଇଥିଲେ ଓ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମସଜିଦ ନିକଟସ୍ଥ ଏକ ରାସ୍ତାରେ ଠିଆ ହୋଇଥିବା ସନ୍ଦିଗ୍ଧ ଗାଡ଼ି ଭିତରୁ ପୁଲିସ ଦୁଇଜଣ ଆକ୍ରମଣକାରୀଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତ ଆତତାୟୀଙ୍କ ବୟସ ୧୭ ଏବଂ ୧୯ ବର୍ଷ ବୋଲି ଜଣାପଡ଼ିଛି । ମସଜିଦ ବାହାରେ ହତ୍ୟାକାଣ୍ଡ ଘଟାଇବା ପରେ ସେମାନେ ନିଜେ ନିଜକୁ ଗୁଳି କରି ଉଡ଼ାଇ ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।

'ହେଟ୍ କ୍ରାଇମ୍' ରୁ ଘଟିଛି କି ସଂହାର ?

ସାନ ଡିଏଗୋ କାଉଣ୍ଟିର ଏହି ସବୁଠାରୁ ବଡ଼ ତଥା ପ୍ରମୁଖ ଇସଲାମିକ ସେଣ୍ଟରକୁ ଟାର୍ଗେଟ କରାଯିବା ପରେ ସ୍ଥାନୀୟ ମୁସଲିମ ସମୁଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ଏବଂ ଅସୁରକ୍ଷା ମନୋଭାବ ପ୍ରକାଶ ପାଇଛି । ଏହି ଭୟାବହ ଆକ୍ରମଣକୁ ଆମେରିକୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ 'ହେଟ୍ କ୍ରାଇମ୍' ବା ଘୃଣା ମନୋଭାବରୁ ପ୍ରେରିତ ଅପରାଧ ଭାବେ ଗ୍ରହଣ କରି ତଦନ୍ତ ଚଳାଇଛନ୍ତି । ଦୁଇ କିଶୋର ବନ୍ଧୁକଧାରୀ କୌଣସି ଜାତିଗତ କିମ୍ବା ଧାର୍ମିକ କଠୋରପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ଏଭଳି ବର୍ବରକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ପୁଲିସ ପ୍ରଶାସନ ଆକ୍ରମଣକାରୀଙ୍କ ଗାଡ଼ି ଭିତରୁ କେତେକ ଅତ୍ୟାଧୁନିକ ମାରଣାସ୍ତ୍ର ସହ କିଛି ଆପତ୍ତିଜନକ ସାମଗ୍ରୀ ଏବଂ ଦସ୍ତାବିଜ ମଧ୍ୟ ଜବତ କରିଛି । ଏହି ସାମଗ୍ରୀଗୁଡ଼ିକର ଫରେନ୍ସିକ ଏବଂ ଡିଜିଟାଲ ଯାଞ୍ଚ କରାଯାଉଛି, ଯାହାଦ୍ୱାରା ଏହି ଆକ୍ରମଣ ପଛରେ କୌଣସି ବଡ଼ ସଂଗଠନ କିମ୍ବା ମାଷ୍ଟରମାଇଣ୍ଡର ହାତ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ । ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ଏବଂ ପୁଲିସ ମୁତୟନ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ... ଇରାନ୍‌ରୁ ବାଇକ୍‌ରେ ତେଲ ବୋହୁଛନ୍ତି ପାକିସ୍ତାନୀ, ଦିନକୁ ଚୋରାରେ ଆଣୁଛନ୍ତି ୬୦ ଲକ୍ଷ ଲିଟର ଇନ୍ଧନ​​​​​​​