ଶ୍ରୀହରିକୋଟା, ୧୨/୦୧ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୬ର ନିଜ ପ୍ରଥମ ପ୍ରକ୍ଷେପଣ ସହ ଏକ ନୂଆ ଇତିହାସ ରଚିବାକୁ ଯାଉଛି।ସୋମବାର ପୂର୍ବାହ୍ନ ୧୦ଟା ୧୭ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲ୍ଭି-ସି୬୨ ରକେଟ୍ ପ୍ରକ୍ଷେପଣ କରାଯିବ । ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ ।

ଅନ୍ୱେଷା ଉପଗ୍ରହ ଜଳବାୟୁ ସ୍ଥିତି ଉପରେ ନଜର ରଖିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତାକୁ ମଜଭୁତ କରିବ। ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍ଏସିରେ ଚୀନ୍ ର ଚାଲବାଜି ଫେଲ୍ ମାରିବ। ତମାମ ଘଟଣା ଉପରେ ଏହା ନଜର ରଖିବ । ଏହି ମିଶନରେ ଇଓଏସ୍-ଏନ୍୧ ସମେତ ଅନ୍ୟ ୧୪ଟି ଉପଗ୍ରହ ମଧ୍ୟ ସାମିଲ ରହିଛି । ତନ୍ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କର ସାଟେଲାଇଟ୍ ଅନ୍ତର୍ଭୁକ୍ତ । ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଜରିଆରେ ଏଗୁଡ଼ିକ ପ୍ରକ୍ଷେପଣ ହେବାକୁ ଯାଉଛି । ପିଏସ୍ଏଲ୍ଭି-ସି୬୨ ହେଉଛି ପିଏସ୍ଏଲ୍ଭି ରକେଟ୍ର ୬୪ତମ ପ୍ରକ୍ଷେପଣ । ପିଏସ୍ଏଲ୍ଭି-ଡିଏଲ୍ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍ ସିଙ୍କ୍ରୋନସ୍ ଅର୍ବିଟ୍ (ଏସ୍ଏସ୍ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବ । ଏଠାରେ ଇଓଏସ୍-ଏନ୍୧ ଏବଂ ଅନ୍ୟ ୧୪ ଉପଗ୍ରହ ରଖାଯିବ । ଗୋଟିଏ କେଆଇଡି କ୍ୟାପ୍ସୁଲ୍କୁ ରିଏଣ୍ଟ୍ରି ଟ୍ରାଜେକ୍ଟୋରିରେ ପଠାଯିବ ।