ନୂଆଦିଲ୍ଲୀ,୧୯।୮: ଭାରତୀୟ ମହାକାଶ ଗବେଷଣା ବା ଇସ୍ରୋ ପୁଣି ରଚିବାକୁ ଯାଉଛି ଇତିହାସ। ଏନେଇ ଇସ୍ରୋ ମୁଖ୍ୟ ଭି. ନାରାୟଣନ୍ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି , ମହାକାଶ ସଂସ୍ଥା ୪୦ ମହଲା କୋଠା ପରି ଉଚ୍ଚ ଏକ ରକେଟ୍ ନିର୍ମାଣ କରୁଛି, ଯାହା ୭୫ ହଜାର କିଲୋଗ୍ରାମ ବା ୭୫ ଟନ୍ ପେଲୋଡ୍ ପୃଥିବୀର ନିମ୍ନ କକ୍ଷପଥକୁ ପଠାଇ ପାରିବ। ନାରାୟଣନ୍ ଓସମାନିଆ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି।
ଭି. ନାରାୟଣନ୍ କହିଛନ୍ତି, ଇସ୍ରୋ ପାଖରେ ଏନ୍ଏଭିଆଇସି ଉପଗ୍ରହ, ଏନ୍୧ ରକେଟ ଭଳି ପ୍ରୋଜେକ୍ଟ ରହିଛି। ଏହା ସହ ତାଙ୍କ ପାଖରେ ଆମେରିକାର ୬,୫୦୦ କିଲୋଗ୍ରାମ ସଞ୍ଚାର ଉପଗ୍ରହକୁ ଭାରତୀୟ ରକେଟ ଜରିଆରେ କକ୍ଷକୁ ପଠାଇବାର ମଧ୍ୟ କାମ ରହିଛି। ନାରାୟଣନ୍ କହିଛନ୍ତି ଆପଣ ଜାଣିଛନ୍ତି ପ୍ରଥମ ରକେଟର କ୍ଷମତା କ’ଣ ଥିଲା ? ଡକ୍ଟର ଏପିଜେ ଅବଦୁଲ କଲାମ, ଯେଉଁ ପ୍ରଥମ ଲଞ୍ଚର ତିଆରି କରିଥିଲେ, ଏହାର ଓଜନ ୧୭ ଟନ୍ ଥିଲା ଓ ଏହା ୩୫ କିଲୋଗ୍ରାମର ପେଲୋଡ ପୃଥିବୀର ନିମ୍ନ କକ୍ଷକୁ ପଠାଇ ପାରିଥାନ୍ତା। ଆଜି ଆମେ ୭୫ ହଜାର କିଲୋଗ୍ରାମ ପେଲୋଡ ପଠାଉଥିବା ରକେଟ ତିଆରି କରିଛୁ, ଯାହାର ଉଚ୍ଚତା ୪୦ମହଲା ବିଲ୍ଡିଂ ଭଳି ହେବ ।

ଇସ୍ରୋ ଏହାକୁ ଚଳିତ ବର୍ଷ ଟେକ୍ନୋଲୋଜି ପ୍ରଦର୍ଶନ ଉପଗ୍ରହ ଓ ଭାରତୀୟ ନୌସେନା ପାଇଁ ତିଆରି କରାଯାଇଛି। ସାମରିକ ସଞ୍ଚାର ଉପଗ୍ରହ ଜିସାଟ୍-୭ ଆର ଲଞ୍ଚ କରିବାର ଯୋଜନା ତିଆରି କରାଯାଉଛି। ଯାହାକି ବର୍ତ୍ତମାନ ଜିସାଟ୍-୭ (ରୁକମଣୀ) ଉପଗ୍ରହର ସ୍ଥାନ ନେବ। ସେ କହିଛନ୍ତି, ବର୍ତ୍ତମାନ କକ୍ଷରେ ଭାରତ ୫୫ ଉପଗ୍ରହ ରହିଛି, ଯାହାକି ଆଗାମୀ ତିନି-ଚାରି ବର୍ଷରେ ତିନି ଗୁଣା ବଢିଯିବ। ଦୀକ୍ଷାନ୍ତ ସମାରୋହରେ ତେଲେଙ୍ଗାନାର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ନାରାୟଣ ବିଜ୍ଞାନରେ ଡକ୍ଟରେଟର ସମ୍ମାନ ଜନକ ଉପାଧି ପ୍ରଦାନ କରିଛନ୍ତି। ସେ ଭାରତର ମହାକାଶ କାର୍ଯ୍ୟକ୍ରମରେ ନାରାୟଣନ୍ଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି।