ନୂଆଦିଲ୍ଲୀ,୧୨/୦୧: ସାବାଡ୍ ହେବେ ଶତ୍ରୁ । ସୀମାରେ ଲୁଚିପାରିବେନି ପାକିସ୍ତାନୀ ଆତଙ୍କବାଦୀ । କି ଭାରତ ବିରୋଧରେ କୌଣସି ଚାର୍ ଚଳାଇ ପାରିବନି ଚୀନ । ସେମାନଙ୍କ ଗତି ବିଧିରେ ଟିକନିକ ନଜର ରଖିବାକୁ ବଡ଼ ମିଶନ ଆରମ୍ଭ ହୋଇଛି । ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଛି ପିଏସ୍ଏଲ୍ଭି-ସି୬୨ ରକେଟ୍ ପ୍ରକ୍ଷେପଣ ହୋଇଛି । ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ । ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ ସହ ନୂଆ ଇତିହାସ ରଚିଛି ଇସ୍ରୋ ।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୬ର ନିଜ ପ୍ରଥମ ପ୍ରକ୍ଷେପଣ ସହ ଏକ ନୂଆ ଇତିହାସ ରଚିଛି । ପୂର୍ବାହ୍ନ ୧୦ଟା ୧୮ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲ୍ଭି-ସି୬୨ ରକେଟ୍ ପ୍ରକ୍ଷେପଣ କରାଯାଇଛି । ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ । ଏହି ଉପଗ୍ରହ କେବଳ ଜଳବାୟୁ ସ୍ଥିତି ଉପରେ ନଜର ରଖିବ ନାହିଁ, ବରଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତର କ୍ଷମତାକୁ ମଜଭୁତ କରିବ । ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍ଏସିରେ ଚୀନ୍ର ଚାଲ୍ଗୁଡ଼ିକ କୌଣସି ମତେ ଫଳପ୍ରସୂ ହେବନାହିଁ । ତମାମ ଘଟଣା ଉପରେ ଏହା ନଜର ରଖିବ ।
ଏହି ମିଶନରେ ଇଓଏସ୍-ଏନ୍୧ ସମେତ ଅନ୍ୟ ୧୪ଟି ଉପଗ୍ରହ ମଧ୍ୟ ସାମିଲ ରହିଛି । ତନ୍ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କର ସାଟେଲାଇଟ୍ ଅନ୍ତର୍ଭୁକ୍ତ । ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଜରିଆରେ ଏଗୁଡ଼ିକ ପ୍ରକ୍ଷେପଣ ହେବାକୁ ଯାଉଛି । ପିଏସ୍ଏଲ୍ଭି-ସି୬୨ ହେଉଛି ପିଏସ୍ଏଲ୍ଭି ରକେଟ୍ର ୬୪ତମ ପ୍ରକ୍ଷେପଣ । ପିଏସ୍ଏଲ୍ଭି-ଡିଏଲ୍ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍ ସିଙ୍କ୍ରୋନସ୍ ଅର୍ବିଟ୍ (ଏସ୍ଏସ୍ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବ । ଏଠାରେ ଇଓଏସ୍-ଏନ୍୧ ଏବଂ ଅନ୍ୟ ୧୪ ଉପଗ୍ରହ ରଖାଯିବ । ଗୋଟିଏ କେଆଇଡି କ୍ୟାପ୍ସୁଲ୍କୁ ରିଏଣ୍ଟ୍ରି ଟ୍ରାଜେକ୍ଟୋରିରେ ପଠାଯିବ ।