ଭୁବନେଶ୍ୱର/ଯାଁଳା,୨୭ ।୧(ବ୍ୟୁରୋ/ଆ.ପ୍ର): ଜଟଣୀ ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ଗ୍ୟାସ୍ ରିଫିଲିଂ ବେଳେ ନିଆଁ ଲାଗି ଲଗାତର ୪ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଖବରପାଇ ୩ଟି ଦମ୍କଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଫଳରେ ଏକ ବଡ଼ଧରଣର ଅଘଟଣକୁ ରୋକାଯାଇ ପାରିଛି । ବିସ୍ଫୋରଣରେ ବିଶେଷ କିଛି କ୍ଷୟକ୍ଷତି ଘଟି ନଥିଲେ ମଧ୍ୟ ଗ୍ୟାସ ଫିଲିଂ କରୁଥିବା ଦୋକାନୀ ଆହତ ହୋଇଛନ୍ତି । ବେଆଇନ୍ ଗ୍ୟାସ୍ କାରବାର ଅଭିଯୋଗରେ ଯାଁଳା ଫାଣ୍ଡି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।
ପୁଲିସ ସୂଚନା ଅନୁଯାୟୀ, ମଦନପୁରର ଗ୍ରାମର ସୁଶୀଲ୍ ଜେନା ଗାଁ ମୁଣ୍ଡ ମେଳଣ ପଡ଼ିଆରେ ଥିବା ତାଙ୍କ ଘରେ ଏକ ଗ୍ୟାସ୍ ରିଫିଲିଂ ଦୋକାନ କରିଛନ୍ତି । ଗତକାଲି ସନ୍ଧ୍ୟା ସାଢ଼େ ୬ଟାବେଳେ ସେ ଏକ ଛୋଟ ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ରିଫିଲିଂ କରୁଥିଲେ । ଏହି ସମୟରେ ଲାଇନ୍ କଟି ଯାଇଥିଲା । ସୁଶୀଲ୍ ଏକ ମହମବତୀ ଲଗାଇ ସିଲିଣ୍ଡର ଯାଞ୍ଚ କରୁଥିବା ବେଳେ ମହମବତୀରୁ ଛୋଟ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା । ଟାଙ୍କି ହୁତୁହୁତୁ ହୋଇ ଜଳିବା ସହ ସୁଶୀଲଙ୍କ ହାତ ପୋଡ଼ି ଯାଇଥିଲା । ଭୟରେ ସେ ସିଲିଣ୍ଡର ଛାଡ଼ି ଦୂରକୁ ଦୌଡ଼ି ପଳାଇଥିଲେ । ଏହାପରେ ଘର ଭିତରେ ଥିବା ଅନ୍ୟ ସିଲିଣ୍ଡର ଗୁଡ଼ିକରେ ନିଆଁ ବ୍ୟାପିଥିଲା । କିଛି ସମୟ ମଧ୍ୟରେ ଗୋଟାକ ପରେ ଗୋଟାଏ ସିଲିଣ୍ଡର ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଗ୍ୟାସ୍ ଦୋକାନରେ ନିଆଁ ଲାଗିଥିବା ଜାଣି ଭୟଭୀତ ହୋଇ ଲୋକମାନେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ । ବିସ୍ଫୋରଣ ଶଦ୍ଦରେ ପୂରା ଗାଁ ଥରି ଉଠିଥିଲା । ସେତେବେଳକୁ ଦୋକାନ ଘରେ ହୁତୁହୁତୁ ହୋଇ ପ୍ରାୟ ୭/୮ଟି ଛୋଟ ଟାଙ୍କି ମଧ୍ୟ ଜଳିବାକୁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ, ଘରର ଝରକା ଫଟାଇ ନିଆଁ ବାହାରକୁ ବାହାରୁଥିଲା । ଖବରପାଇ ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୩ଟି ଦମ୍କଳ ଗାଡ଼ି ସେଠାରେ ପହଞ୍ଚିଥିଲେ । ସଙ୍ଗେ ସଙ୍ଗେ ସେମାନେ ନିଆଁକୁ ଆୟତ୍ତ କରିଥିଲେ । ଘର ଭିତରେ ସିଲିଣ୍ଡର ଗୁଡ଼ିକ ବିସ୍ଫୋରଣ ହୋଇ ଘରର କାନ୍ଥ ସବୁ ଫଟାଇ ଦେଇଥିଲା । ବେଆଇନ୍ ଭାବେ ଗ୍ୟାସ୍ ସିଲିଣ୍ଡର ରଖିବା ଅଭିଯୋଗରେ ଯାଁଳା ଫାଣ୍ଡି ପୁଲିସ ତଦନ୍ତ ଚଳାଇଛି । ଗାଁ ମୁଣ୍ଡ ମେଳଣ ପଡ଼ିଆରେ ଦୋକାନଟି ଥିବାରୁ ଏକ ବଡ଼ଧରଣର ଅଘଟଣରୁ ସ୍ଥାନୀୟ ଲୋକେ ବର୍ତ୍ତି ଯାଇଛନ୍ତି ।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...