ମାଲ୍ୟାଙ୍କ ପ୍ରତ୍ୟର୍ପଣ ସହଜ ନୁହେଁ

source:http://www.newindianexpress.com
ନୂଆଦିଲ୍ଲୀ,୫ା୨(ଏଜେନ୍ସି): ମଦସମ୍ରାଟ ବିଜୟ ମାଲ୍ୟାଙ୍କ ସମେତ ଇଂଲଣ୍ଡରେ ଅନେକ ଭାରତୀୟ ଅଭିଯୁକ୍ତ ଶରଣାପନ୍ନ ଅଛନ୍ତି । କିନ୍ତୁ ସେମାନଙ୍କୁ ଭାରତ ଫେରାଇ ଆଣିବା ସହଜ ହୋଇନାହିଁ । ଏହାର କାରଣ ହେଉଛି ବ୍ରିଟେନ୍ର କୋହଳ ପ୍ରତ୍ୟର୍ପଣ ଆଇନ । ୨୦୦୨ ପରଠାରୁ ଭାରତ ବ୍ରିଟେନ୍କୁ ୨୮ ଅଭିଯୁକ୍ତଙ୍କୁ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର୍ର ଜଣେ – ସମୀରଭାଇ ବିନୁଭାଇଙ୍କୁ ଅଣାଯାଇ ପାରିଛି । ସେହି ଦୃଷ୍ଟିରୁ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ସେତେ ସହଜ ହେବନାହିଁ ।
ତା’ଛଡ଼ା ବ୍ରିଟେନ୍ରୁ ମାଲ୍ୟାଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅନୁରୋଧ କରିବାର ଦୁଇବର୍ଷ ପରେ ଏହାକୁ ମଞ୍ଜୁରି ମିଳିଛି । ବ୍ରିଟେନ୍ର ବୈଦେଶିକ ମନ୍ତ୍ରାଳୟ ଗତକାଲି ଏଥିପାଇଁ ସବୁଜ ସଂକେତ ଦେଇଛି । ଏହାକୁ ନେଇ କେନ୍ଦ୍ର ସରକାର ବେଶ୍ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏହାକୁ ନେଇ ଏତେ ଉତ୍ସାହିତ ହେବାର କୌଣସି ମାନେ ନାହିଁ । କାରଣ ମାଲ୍ୟା ଆଗକୁ ନିଜ ପ୍ରତ୍ୟର୍ପଣକୁ ବିରୋଧ କରି ନ୍ୟାୟିକ ରାସ୍ତା ଆପଣାଇବେ । ଏହି ପ୍ରକ୍ରିୟା ମଧ୍ୟ ମାତ୍ରାଧିକ ଭାବେ ଧିମା । ମାଲ୍ୟାଙ୍କ ନିକଟରେ ନ୍ୟାୟିକ ରାସ୍ତା ଆପଣାଇବା ପାଇଁ ଅନେକ ସୁଯୋଗ ରହିଛି । ସେହି ପର୍ଯ୍ୟାୟ ଦେଇ ଯିବା ବେଳକୁ ବର୍ଷ ବର୍ଷ ସମୟ ଲାଗିଯିବ ।
ମାଲ୍ୟା ବ୍ରିଟେନ୍ ସରକାରଙ୍କ ରାୟକୁ ଚାଲେଞ୍ଜ୍ କରିବେ ବୋଲି କହିଛନ୍ତି । ଏବେ ସେ ଗୋଟିଏ ପରେ ଗୋଟିଏ ୩ଟି କୋର୍ଟରେ ଦ୍ୱାରସ୍ଥ ହୋଇ ରାୟକୁ ନିଜ ପକ୍ଷକୁ ନେବା ପାଇଁ ଉଦ୍ୟମ କରିପାରିବେ । ତା’ଛଡ଼ା ସବୁ କୋର୍ଟ ଯେ ତାଙ୍କ ବିରୋଧରେ ରାୟ ଦେବେ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ଏବେ ମାଲ୍ୟା କ୍ରାଉନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ସେଠାରେ ନିରାଶ ହେଲେ ତାଙ୍କୁ କୁଇନ୍ସ ବେଞ୍ଚ୍ ଅଫ୍ ହାଇକୋର୍ଟ ଯିବାକୁ ପଡ଼ିବ । ଶେଷରେ ବ୍ରିଟେନ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ମାଲ୍ୟା । ଏମିତି କି ସୁପ୍ରିମ୍କୋର୍ଟ ଯଦି ନକାରାତ୍ମକ ରାୟ ଦିଅନ୍ତି, ସେ ଏହାର ପୁନର୍ବିଚାର ପାଇଁ ଆବେଦନ ମଧ୍ୟ କରିପାରିବେ । ବ୍ରିଟେନ୍ର କ୍ରାଉନ୍ କୋର୍ଟ ଏକ ମାମଲାର ରାୟ ଦେବା ଲାଗି ହାରାହାରି ୧୭୫ ଦିନ ନେଇଥାନ୍ତି, ଯାହା କି ୫ ମାସରୁ ଅଧିକ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମାଲ୍ୟା ଭାରତ ଫେରିବା ପ୍ରଶ୍ନ ଉଠୁନାହିଁ । ରାଜନୈତିକ ଫାଇଦା ଉଠାଇବା ପାଇଁ ମୋଦି ସରକାରଙ୍କ ନିକଟରେ କମ୍ ସୁଯୋଗ ରହିଛି । ନ୍ୟାୟିକ ରାସ୍ତା ଆପଣାଇବା ପାଇଁ ମାଲ୍ୟାଙ୍କ ନିକଟରେ ଏବେ ୧୪ ଦିନ ସମୟ ରହିଛି ।