ଧଉଳି,୦୧/୧୨(ବିଭୂତି ଭୂଷଣ ପ୍ରଧାନ): କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭିନ୍ନ ଭିନ୍ନ ଫସଲ ପାଇଁ ପରିଚିତ । ଯେମିତି ଆଖୁ ଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି ଭୁବନେଶ୍ୱର ଉପକଣ୍ଠ ଇଟିପୁର ପଞ୍ଚାୟତର ଜୟପୁର ଗ୍ରାମ । ଦିନ ଥିଲା ଆଖୁଚାଷ ଥିଲା ଜୟପୁର ଗ୍ରାମବାସୀଙ୍କ ବାପଅଜା ଅମଳର କୌଳିକ ଚାଷ । ଆଉ ଏହି ଆଖୁରୁ ଚାଷୀମାନେ ନିଜେ ପ୍ରସ୍ତୁତ କରୁଥିଲେ ଗୁଡ଼ । ନା ଥିଲା କୌଣସି ମେସିନ ନା କଳ । ଚାଷୀମାନେ ନିଜେ ଶାଳ କରି ଯେଉଁ ଗୁଡ଼ ପ୍ରସ୍ତୁତ କରୁଥିଲେ ତା’ର ମାନ ଥିଲା ସ୍ୱତନ୍ତ୍ର । ଯେମିତି ନାଲି ଟକଟକ ସେମିତି ସୁଆଦିଆ । ପାଟିରେ ରଖିଲେ କୁଆଡେ ମିଳେଇ ଯାଉଥିଲା । ତେଣୁ ଭୁବନେଶ୍ୱର ସମେତ ଆଖପାଖ ଜିଲ୍ଲାରେ ଜୟପୁର ଗୁଡର ଚାହିଦା ଥିଲା କାହିଁରେ କେତେ । ମାତ୍ର ସମୟ କ୍ରମେ ବିଭିନ୍ନ ସମସ୍ୟା ସହିତ ସଂଘର୍ଷ କରି ବୁଡ଼ିବାକୁ ବସିଲାଣି ଏହି ଗୁଡ଼ ।

ଆଖୁ ଗଛର ସବୁଜିମାରେ ଭରି ରହିଥିଲା ଆଖପାଖ ପାଞ୍ଚଖଣ୍ଡ ଗାଁ ଗହିର । ସୁଲୁସୁଲୁ ପବନରେ ଯେତେବେଳେ ଫସଲ ଦୋଳି ଖେଳୁଥିଲା ସେତେବେଳେ ଚାଷୀଙ୍କ ମନ ସିହରି ଉଠୁଥିଲା । ଜୟପୁର, ବିକିପୁର, ଇଟିପୁର, କୁମାରଢିଅ, ନାଥପୁର ଓ ଶାସନ ଆଦି ଅଞ୍ଚଳର ଚାଷୀମାନେ ହଜାର ହଜାର ଏକରରେ ଆଖୁ ଚାଷ କରୁଥିଲେ । ଆଖୁ ଅମଳ ପରେ ସେମାନେ କୌଣସି ଚିନିକଳକୁ ନେଉନଥିଲେ । ନିଜେ ଶାଳ ପକାଇ ଆଖୁରୁ ଗୁଡ଼ ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ବନମାଳିପୁର, ଜଟଣୀ, ଚନ୍ଦନପୁର, ପିପିଲି ଆଦି ହାଟରେ ଜୟପୁର ଗୁଡର ଭାରି ଚାହିଦା ଥିଲା । ବେପାରିଙ୍କ କଥା ଛାଡ, ଘରଣୀଙ୍କ ପ୍ରଥମ ପସନ୍ଦ ଥିଲା ଜୟପୁର ଗୁଡ଼ । ବର୍ତ୍ତମାନ ଚାଷ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ସତ, ହେଲେ ଆଖୁଚାଷ ଆଉ ଉଧେଇ ପାରୁନି । ଚାଷଜମିର ଅଭାବ, ବିହନ, ସାର, ଜଳସେଚନ ସମସ୍ୟା, ମିଲର ଓ ବଜାର ଅସୁବିଧା ପାଇଁ ଆଖୁଚାଷ ପ୍ରତି ଚାଷୀମାନେ ଆଉ ଆଗଭଳି ଆଗ୍ରହ ଦେଖାଉ ନାହାନ୍ତି ।

ଜୟପୁରର ପୁରୁଖା ଚାଷୀ ଲଳିତ କୁମାର ସାହୁ କୁହନ୍ତି, ଜେଜେ ଓ ବାପାଙ୍କ ସମୟରେ ଆମ ଗହୀରରେ ୧୪ଟି ଆଖୁଶାଳରେ ଗୁଡ଼ ରନ୍ଧା ହେଉଥିଲା । ସେତେବେଳେ ଗ୍ରାମରେ ସମସ୍ତଙ୍କ ଘରେ ବଳଦ ଥିଲା । ଧିରେ ଧିରେ ବଳଦ କମିବାକୁ ଲାଗିଲେ । ଶ୍ରମିକ ମିଳିବା କଷ୍ଟକର ହେଲା । ଗୁଡ଼ କମାଣ ଭାରି କଷ୍ଟକର ପାଠ । ଆଖୁ କାଟିବା, ତାକୁ ଚାଞ୍ଛିବା, ଗଜ ମାରିବା, ବୋହିକି ଶାଳକୁ ଆଣିବା, ସେଥିରୁ ଦୋରୁହ (ଆଖୁ ରସ) ବାହାର କରିବା, ତାକୁ ରାନ୍ଧିବା, ପୁଣି ଆଖୁ ଛେଦାକୁ ବୋହି ନେଇ ଶୁଖାଇବା ଆଦି ବହୁ ପରିଶ୍ରମ କାମ। ତଥାପି ଆମେ ଗୋଟିଏ ଦିନରେ ଦେଢ଼ କୁଇଣ୍ଟାଲ ଗୁଡ଼ ଶାଳରୁ ବାହାର କରୁଥିଲୁ । ମଝିରେ ଏକ ସୁଗାର ମିଲ୍ ଆସି ଆଖୁନେବା ପାଇଁ କଥାବର୍ତ୍ତା କଲା । ଗୋଟିଏ ବର୍ଷ ନେଲା, ହେଲେ ଟଙ୍କା ଠିକ ସମୟରେ ଦେଲା ନାହିଁ । ଆଖୁ ବି ଠିକ୍ ସମୟରେ ନେଲା ନାହିଁ ।

ବିଲରେ ଆଖୁ କଟାହୋଇ ପଡ଼ି ଶୁଖିଲା । ବଳଦ ନମିଳିବାରୁ ଆମେ ଏକ ୧୨ଏଚ୍ପି ମୋଟର ଆଣି ଲଗାଇବା ପରେ ଏକା ସଙ୍ଗେ ୪ଟି ଶାଳକୁ ଦୋରୁହ ଯୋଗାଉଥିଲୁ । ହେଲେ ମେସିନକୁ ଆଖୁ ପହଞ୍ଚାଇବା କଷ୍ଟକର ହେଲା । ଶେଷରେ ଶାଳ ବନ୍ଦ କରିବାକୁ ପଡ଼ିଲା । ଆଉ କେତେକ ଚାଷୀ ବିଲକୁ ଶାଗମାଛ ଦରରେ ବିକ୍ରି କରିଦେଲେ । ଏବେ ପ୍ରାୟ ୬୦ ଏକର ଜମିରେ ଆଖୁଚାଷ ହେଉଛି । ଯଦି ସରକାରଙ୍କ ତରଫରୁ ସହାୟତା ମିଳିପାରନ୍ତା, ତେବେ ଚାଷୀମାନେ ଚାଷପ୍ରତି ଆଗ୍ରହ ପ୍ରକାଶ କରନ୍ତେ ।