ନୂଆଦିଲ୍ଲୀ, ୧୪/୦୭ : ଗଲୱାନ ଘାଟୀରେ ହୋଇଥିବା ରକ୍ତ ସଙ୍ଘର୍ଷର ୫ ବର୍ଷ ପରେ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ସୋମବାର ସେ ବେଜିଂରେ ପହଞ୍ଚି ଚୀନ ଉପରାଷ୍ଟ୍ରପତି ହାନ ଝୋଙ୍ଗଙ୍କୁ ଭେଟିଛନ୍ତି। ସାକ୍ଷାତକାର ବେଳର ଫଟୋ ପୋଷ୍ଟ କରି ଜୟଶଙ୍କର ଲେଖିଛନ୍ତି, 'ଉପରାଷ୍ଟ୍ରପତି ହାନ ଝୋଙ୍ଗଙ୍କ ସହ ସାକ୍ଷାତ କରି ଖୁସି ଲାଗୁଛି। ସାଙ୍ଘାଇ ସହଯୋଗ ସଙ୍ଗଠନରେ ଚୀନର ଅଧ୍ୟକ୍ଷତାକୁ ଭାରତ ସମର୍ଥନ କରିଛି। ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ଵନ୍ଧରେ ସୁଧାର ହୋଇଛି। ଗତ ଅକ୍ଟୋବରରେ କଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତକାର ପରେ ଦୁଇ ଦେଶର ସମ୍ପର୍କରେ ସୁଧାର ହୋଇଛି। ମୋର ଚୀନ ଗସ୍ତ ସମୟରେ ଆଲୋଚନା ସକାରାତ୍ମକ ରହିବ ବୋଲି ଆଶା କରୁଛି।'

ଏହି ଅବସରରେ ଜୟଶଙ୍କର କହିଛନ୍ତି ଯେ, ୬ ବର୍ଷ ପରେ କୈଳାଶ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ୧୯୮୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କରୋନା ମହାମାରୀ ଏବଂ ଗଲୱାନ ଘାଟୀରେ ହୋଇଥିବା ସଙ୍ଘର୍ଷ ଯୋଗୁଁ ବନ୍ଦ ଥିଲା। ହେଲେ ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବାରୁ ପୁଣି ଥରେ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ଜୁନରୁ ଅଗଷ୍ଟ ମଧ୍ୟରେ ପ୍ରାୟ ୭୫୦ ତୀର୍ଥଯାତ୍ରୀ ତିବ୍ବତରେ କୈଳାଶ ମାନସରୋବର ଯାତ୍ରା କରିବେ। ଏହି ଯାତ୍ରା ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମୀଙ୍କ ପାଇଁ ଏକ ଧାର୍ମିକ ଯାତ୍ରା। 

ଜୟଶଙ୍କର କହିଛନ୍ତି, 'ଆମେ ଆମର କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ପାଳନ କରିଛୁ। କୈଳାସ ମାନସରୋବର ଯାତ୍ରାର ପୁନଃଆରମ୍ଭକୁ ଭାରତରେ ମଧ୍ୟ ବ୍ୟାପକ ଭାବରେ ପ୍ରଶଂସା କରାଯାଉଛି। ଆମ ସମ୍ପର୍କରେ ନିରନ୍ତର ଉନ୍ନତି ପାରସ୍ପର ପାଇଁ ଲାଭଦାୟକ ହେବ। ଏବେ ଅନ୍ତରାଷ୍ଟ୍ରୀୟ ସ୍ଥିତି ଜଟିଳ ରହିଛି। ପଡୋଶୀ ଦେଶ ଏବଂ ବୃହତ ଅର୍ଥବ୍ୟବସ୍ଥା ହୋଇଥିବା ଯୋଗୁଁ ଭାରତ ଏବଂ ଚୀନ ମଧ୍ୟରେ ପାରସ୍ପରିକ ବିଚାର ଆଦାନ-ପ୍ରଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ।' 

ସୂଚନା ଥାଉକି, ଏସ୍. ଜୟଶଙ୍କର ସିଙ୍ଗାପୁରରୁ ସିଧା ବେଜିଂରେ ପହଞ୍ଚିଛନ୍ତି। ସୋମବାର ତିଆନଜିନରେ ଆୟୋଜିତ ଏସସିଓ ବୈଠକରେ ସାମିଲ ହେବେ। ଏହାପରେ ସେ ଚୀନ ସମକକ୍ଷ ୱାଙ୍ଗ ୟିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ଏହି ସମୟରେ ଏଲଏସିରେ ଶାନ୍ତି ଏବଂ ସ୍ଥିରତା, ବ୍ୟାପାର ଏବଂ ନିବେଶ ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିବେ। ଏହା ପୂର୍ବରୁ ଫେବୃଆରୀରେ ଜୋହାନ୍ସବର୍ଗରେ ଜି-୨୦ ବୈଠକ ସମୟରେ ଜୟଶଙ୍କର ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା।