ପାଣିକୋଇଲି,୦୮/୦୫: ସାରା ବିଶ୍ୱରେ ଚହଳ ପକାଇଥିଲା ନଗଡ଼ା । ଏକାଧିକ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ଚିହ୍ନଟ ସାରା ଯାଜପୁରକୁ ନିନ୍ଦିତ କରିଥିଲା । ନଗଡ଼ାକୁ ସଜାଡ଼ିବାରେ ସରକାର ସବୁ କିଛି ଏକାଠି କରିଦେଲେ । ରାତି ଦିନ ଲାଗି ରାସ୍ତା ଫିଟାଇଲେ । ନଗଡ଼ାରେ ରହୁଥିବା ଆଦିବାସୀଙ୍କ ଜୀବନ ଶୈଳୀ ପରିବର୍ତ୍ତନ କରାଇବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେଲେ । ବିଗତ କିଛି ବର୍ଷ ମଧ୍ୟରେ ଏଠାକାର ସ୍ଥିତି ସୁଧୁରିଛି । ଆଉ ଆଗ ଭଳି ଅପପୁଷ୍ଟି ଆକ୍ରାନ୍ତ ଶିଶୁ ଚିହ୍ନଟ ହେଉନାହାନ୍ତି । ମାତ୍ର ପରିତାପର ବିଷୟ ଜିଲ୍ଲାର କେନ୍ଦ୍ରସ୍ଥଳ କୁହାଯାଉଥିବା ପାଣିକୋଇଲି ଠୁ ସ୍ୱଳ୍ପ ଦୂର ପଥରପଦା ପଞ୍ଚାୟତର ବେଙ୍ଗାସାହି ଏବେ ଆଉ ଏକ ନଗଡ଼ା ପାଲଟିବାକୁ ବସିଛି । ଗୋଟିଏ ପରେ ଗୋଟିଏ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ଚିହ୍ନଟ ହେବା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ନିଦ ହଜାଇ ଦେବାକୁ ବସିଛି ।
ପାଣିକୋଇଲି ଥାନା ତଥା ପଥରପଦା ପଞ୍ଚାୟତ ବେଙ୍ଗାସାହିରେ ପୁଣି ୩ ଜଣ ଆଦିବାସୀ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚଳିତ ମାସ ୬ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ସାମ୍ ରୋଗୀ ଓ ଦୁଇଜଣ ମାମ୍ ରୋଗୀ ଥିଲେ । ଦୁଇ ମାମ୍ ରୋଗୀଙ୍କୁ ଏନ୍ଆର୍ସିରେ ଭର୍ତ୍ତି କରାଯାଇଛି । ମାତ୍ର ସାମ୍ ରୋଗୀ ଏଯାବତ୍ ଏନ୍ଆର୍ସି ଯାଇନଥିବା ସୂଚନା ମିଳିଛି । ଶିଶୁଟିର ଅଭିଭାବକ ତାଙ୍କ ଶିଶୁ ଠିକ୍ ଥିବା କହି ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଫେରାଇ ଦେଇଛନ୍ତି । ପୂର୍ବରୁ ମାର୍ଚ୍ଚ ୨୫ତାରିଖ ୬ଜଣ ଶିଶୁ ଅପପୁଷ୍ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ଏନ୍ଆରସିରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ସରକାରୀସ୍ତରରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି କ୍ରମରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଦଳ ବେଙ୍ଗାସାହିର ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ୩ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଥିଲା ।
ସୂଚନା ମୁତାବକ, ବେଙ୍ଗାସାହିରେ ପ୍ରାୟ ୫୦ରୁ ଅଧିକ ଆଦିବାସୀ ପରିବାର ବାସ କରୁଛନ୍ତି । ଦମ୍ପତି ପ୍ରତିଦିନ ମଜୁରୀ ଲାଗିବାକୁ ଘରୁ ବାହାରି ଆସନ୍ତି । ପିଲାମାନେ ଘରେ ରୁହନ୍ତି । ସାହିର ୨୧ଜଣ ପିଲା ଅଙ୍ଗନବାଡ଼ି ଯାଉଥିବା ବେଳେ ୩୮ଜଣ ନିକଟସ୍ଥ ତାଜପୁର ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି । ଛୋଟ ଛୋଟ ଶିଶୁଙ୍କ ବାପା, ମା’ କାମକୁ ବାହାରି ଯିବା ପରେ ସେମାନଙ୍କ ଖାଦ୍ୟପେୟର କେହି ଯତ୍ନ ନେବାକୁ ପ୍ରାୟତଃ ଘରେ ରହୁନାହାନ୍ତି । ଅବହେଳାରୁ ଏହି ସାହିରେ ଅପପୁଷ୍ଟି ବଢ଼ିବାରେ ଲାଗୁଥିବା ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି । ଖାଲି ଏତିକି ନୁହେଁ, ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରଚେଷ୍ଟା କରୁଥିଲେ ହେଁ ଅଭିଭାବକମାନେ ସଚେତନ ନଥିବାରୁ ସେମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ସଠିକ୍ ଢଙ୍ଗରେ ପହଞ୍ଚି ପାରୁନାହିଁ । ଏଣୁ ଏହି ସାହିରେ ଅପପୁଷ୍ଟି ରୋକିବାକୁ ସ୍ୱତନ୍ତ୍ର କ୍ୟାମ୍ପ୍ କରାଯାଇ ସଚେତନ କରାଯିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ନଚେତ୍ ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ ।
ଅଧିକ ପଢନ୍ତୁ- ବାଲିଅନ୍ତା ବର୍ବରତା : ଅଭିଯୋଗକାରିଣୀ କହିଲେ କେହି ହତ୍ୟା କରି ନାହାଁନ୍ତି, ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍