ଜଳେଶ୍ୱର, ୧୩।୬: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚାଲିଥିବା ବେଆଇନ ଗୋରୁ ଚାଲାଣ କାରବାର ଉପରେ ପୁଲିସ ଏକ ବଡ଼ ପ୍ରହାର କରିଛି । ସ୍ଥାନୀୟ ଅଞ୍ଚଳର କୁଖ୍ୟାତ ଗୋରୁ ମାଫିଆ ସେକ୍ ସଫିରୁଦ୍ଦିନ ଘରେ ଜିଲ୍ଲା ପୁଲିସ ଓ ଜଳେଶ୍ୱର ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ପେଶାଲ୍ ରେଡ୍ କରାଯାଇଛି । ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ସଫିରୁଦ୍ଦିନର ଘରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏବଂ ଡକୁମେଣ୍ଟସ୍ ଯାଞ୍ଚ କରାଯାଉଛି । ସୂଚନା ଅନୁଯାୟୀ, ସେକ୍ ସଫିରୁଦ୍ଦିନ ଦୀର୍ଘ ଦିନ ହେବ ଜଳେଶ୍ୱର ଅଞ୍ଚଳରେ ରହି ବେଆଇନ ଗୋରୁ ବେପାର ଏବଂ ଚାଲାଣର ଏକ ବଡ଼ ନେଟୱର୍କ ଚଲାଉଥିଲା । ଏହି ବେଆଇନ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏହି ସମସ୍ତ ଅଭିଯୋଗକୁ ଆଧାର କରି ପୁଲିସ ପ୍ରଶାସନ ତରଫରୁ ଏକ ବଡ଼ ରଣନୀତି ପ୍ରସ୍ତୁତ କରାଯାଇ ଆଜି ଏହି ଆକସ୍ମିକ ଚଢ଼ାଉ କରାଯାଇଛି ।
ଚଢ଼ାଉ ସମୟରେ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଲାଗିଛି । ମାଫିଆ ସଫିରୁଦ୍ଦିନ ଘରୁ, ବ୍ୟାଙ୍କ ପାସବୁକ୍, ଆର୍ଥିକ କାରବାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଅନ୍ୟାନ୍ୟ ସନ୍ଦେହଜନକ ଦଲିଲ୍ ଜବତ କରାଯାଇଛି । ଏହି ସମସ୍ତ ଦସ୍ତାବିଜ୍ରୁ ବେଆଇନ କାରବାରର ଅର୍ଥ ହେରଫେର ଏବଂ କଳା ସାମ୍ରାଜ୍ୟର ଅନେକ ରହସ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । ପୁଲିସର ଏହି ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଗୋରୁ ମାଫିଆ ସେକ୍ ସଫିରୁଦ୍ଦିନ ଘରୁ ଫେରାର ହୋଇଯାଇଛି । ବର୍ତ୍ତମାନ ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ହାଇପ୍ରୋଫାଇଲ୍ ରେଡ୍କୁ ସଫଳ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଚଢ଼ାଉ ସମୟରେ ଜଣେ ଆଡିସନାଲ ଏସପି, ଜଳେଶ୍ୱର SDPO, ଦୁଇ ଜଣ ଆଇଆଇସି ଥାନା ଅଧିକାରୀ ଏବଂ ଏକ ପ୍ଲାଟୁନ ପୁଲିସ ଫୋର୍ସ ସାମିଲ ହୋଇ ସମଗ୍ର ଅଞ୍ଚଳକୁ କର୍ଡନ କରି ରଖିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗୋରୁ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଆହୁରି ପଢ଼ନ୍ତୁ... ଖଜା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ସୋହନକୁ ଗିରଫ କଲା ପୁଲିସ