ନୂଆଦିଲ୍ଲୀ ୨୮/୦୭: ଭଲପାଇବାର ଆଉ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି ଆଧୁନିକ ପିଢ଼ିର ତରୁଣ/ତରୁଣୀଙ୍କ ମଧ୍ୟରେ । ସିନେମାର କାହାଣୀ ଭଳି ପ୍ରେମ ସଂପର୍କରେ ବିଶ୍ୱାସୀ ନୁହଁନ୍ତି ଏହି ପିଢ଼ି । ଲୋକ ଦେଖାଣିଆ ଭାବଭଙ୍ଗୀ ପରିବର୍ତ୍ତେ ନିତିଦିନିଆ ଛୋଟ ଛୋଟ ଅଭ୍ୟାସ ମାଧ୍ୟମରେ ହିଁ ସେମାନେ ଭଲପାଇବା ଖୋଜୁଛନ୍ତି । ସଂପର୍କର ଏହି ନୂଆ ଟ୍ରେଣ୍ଡର ନାଁ ‘ରୋମାଣ୍ଟିକ୍ ମିନିମାଲିଜମ୍’ । ସରଳ ଭାବରେ କହିବାକୁ ଗଲେ ‘ନିରାଡ଼ମ୍ବର ପ୍ରେମ’ ଯେଉଁଥିରେ ଅନ୍ୟମାନଙ୍କୁ ଦେଖାଇ ହେବାର ପ୍ରବଣତା ନଥାଏ । ‘ନିରାଡ଼ମ୍ବର ଭଲପାଇବା’ରେ ନଥାଏ ‘ପିଡିଏ’ ଅର୍ଥାତ୍ ‘ପବ୍ଲିକ୍ ଡିସ୍ପ୍ଲେ ଅଫ୍ ଆଫେକସନ୍’ । ଯଦି ବାସ୍ତବରେ ଜଣକୁ ଭଲପାଉଛନ୍ତି ତାହା ଅନ୍ୟକୁ ଜଣାଇବା ବା ଦେଖାଇହେବାର କୌଣସି ଅର୍ଥ ନାହିଁ । ବହୁତ ବର୍ଷ ଧରି ନିରୁତା ପ୍ରେମକୁ ନେଇ ରହିଆସିଥିବା ଧାରଣାକୁ ଏବେ ନୂଆ ରୂପରେ ଆଦରି ନେଉଛନ୍ତି ତରୁଣ ପିଢ଼ି ।

ଏକ ଭାରତୀୟ ଡେଟିଂ ଆପ୍ର ସାମ୍ପ୍ରତିକ ସମୀକ୍ଷାରେ ଜାଣିବାକୁ ମିଳିଛି ଏହି ତଥ୍ୟ । ଦେଶର ମେଟ୍ରୋ ସିଟିରୁ ଛୋଟ ସହରର ପ୍ରାୟ ୫୩ ପ୍ରତିଶତ ତରୁଣ-ତରୁଣୀ ଏବେ ‘ଅଳ୍ପ ଅଥଚ ଅର୍ଥପୂର୍ଣ୍ଣ’ ସଂପର୍କରେ ବିଶ୍ୱାସୀ । ଲୋକ ଦେଖାଣିଆ ପ୍ରେମ ବା ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିବାର ମୋହରୁ ଦୂରେଇବାକୁ ଚାହାନ୍ତି ତରୁଣ ପିଢ଼ିଙ୍କ ୩୮ ପ୍ରତିଶତ । ସେହି ଡେଟିଂ ଆପ୍ର ତଥ୍ୟ ଅନୁସାରେ, ତରୁଣ ପ୍ରଜନ୍ମଙ୍କ ମନରୁ ରୋମାନ୍ସ ବା ପ୍ରେମର ଚାହିଦା କମିନାହିଁ । ତେବେ ସେମାନେ ବୁଝିପାରିଛନ୍ତି ସଂପର୍କର ପ୍ରକୃତ ଭିତ୍ତି କ’ଣ ହେବା ଦରକାର । ସେମାନେ ଏବେ ଆକାଶଛୁଆଁ ପ୍ରତିଶ୍ରୁତି ତୁଳନାରେ ମାନସିକ ଶାନ୍ତି ଏବଂ ସଚ୍ଚୋଟପଣିଆକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

‘ରୋମାଣ୍ଟିକ୍ ମିନିମାଲିଜମ୍’ର ପରିଭାଷା :

ସହଜ ଭାଷାରେ କହିବାକୁ ଗଲେ, ଏହା ଏମିତି ଏକ ମାନସିକତା ଯେଉଁଠାରେ ସଂପର୍କର ଗଭୀରତା ମପାଯାଏ ନିତିଦିନିଆ କିଛି ଛୋଟ ଅଭ୍ୟାସ ମାଧ୍ୟମରେ, ରାଜକୀୟ ଆୟୋଜନ ଦ୍ୱାରା ନୁହେଁ । ଅନେକେ ଭାବନ୍ତି, ‘ମିନିମାଲିଜମ୍’ର ଅର୍ଥ ହୁଏତ ପ୍ରତ୍ୟାଶା କମାଇଦେବା ଅଥବା କୌଣସି ଭାବେ ଚଳାଇ ନେବା । କିନ୍ତୁ ତରୁଣ ପିଢ଼ିର ୪୧ ପ୍ରତିଶତ ସ୍ପଷ୍ଟ ଜଣାଇଛନ୍ତି, ବିଷୟଟି ଆଦୌ ସେମିତି ନୁହେଁ । ଲୋକ ଦେଖାଣିଆ ଚାକଚକ୍ୟଠାରୁ ସଂପର୍କର ବନ୍ଧନ କେତେ ଶକ୍ତ, ତାହା ବୁଝି ସେହି ଅନୁସାରେ ସଂପର୍କ ଆଗେଇବାକୁ ପସନ୍ଦ କରୁଛନ୍ତି ତରୁଣ ପିଢ଼ିର ଅନେକ । ସେଥିପାଇଁ ସଂପର୍କରେ ଆଧିକ୍ୟ ନୁହେଁ, ବରଂ ସରଳତା ଉପରେ ଜୋର୍ ଦେଉଛନ୍ତି ସେମାନେ ।

କାହିଁକି ବଢ଼ୁଛି ଏହି ଟ୍ରେଣ୍ଡର ଲୋକପ୍ରିୟତା :

ଆଜିର ବ୍ୟସ୍ତ ଜୀବନଶୈଳୀ ଏହାର ଅନ୍ୟତମ ବଡ଼ କାରଣ । ମେଟ୍ରୋ ସହରର ୨୨ ପ୍ରତିଶତ ତରୁଣ-ତରୁଣୀ ଜଣାଇଛନ୍ତି, ସେମାନଙ୍କ ଦୈନନ୍ଦିନ ଜୀବନ ଏତେ ମାତ୍ରାରେ ବ୍ୟସ୍ତ ଓ କ୍ଲାନ୍ତିକର ଯେ, ସେଠାରେ ସଂପର୍କ ନାଁରେ ନାଟକ ଦେଖାଇବା ଭଳି ଶକ୍ତି ବା ସାମର୍ଥ୍ୟ ଆଉ ଅବଶିଷ୍ଟ ନାହିଁ । ଆଜି ଖୁବ୍ ଭଲପାଇବା ଦେଖାଇବା, କାଲି ଅଚାନକ ଗାଏବ୍ ହୋଇଯିବା(ଘୋଷ୍ଟିଂ)- ଏହି ଧରଣର ଲୁଚକାଳି ଖେଳ ମନକୁ ଆହୁରି କ୍ଲାନ୍ତ କରିଦେଉଛି । ସେହି କାରଣରୁ ଶାନ୍ତ ଅଥଚ ସ୍ଥିର ସଂପର୍କ ଆଡ଼କୁ ଢଳୁଛନ୍ତି ଏହି ପ୍ରଜନ୍ମର ଅନେକ ତରୁଣ-ତରୁଣୀ ।

ଆହୁରି ପଢ଼ନ୍ତୁ...Priyanka Chopra Net Worth: ବଢ଼ିଚାଲିଛି ‘ଦେଶୀ ଗର୍ଲ’ଙ୍କ ସଂପତ୍ତି, ଜାଣନ୍ତୁ ନିକ୍-ପ୍ରିୟଙ୍କାଙ୍କ ନେଟ୍ ୱର୍ଥ

ଭଲପାଇବାର ନୂଆ ସଂଜ୍ଞା :

ସମୀକ୍ଷାରେ ଦେଖିବାକୁ ମିଳିଛି, ୫୫ ପ୍ରତିଶତ ତରୁଣୀ ମନେ କରନ୍ତି, ଅଚାନକ ଦିନେ ଡେଟ୍ରେ ରେସ୍ତୋରାଁ ଯିବାଠାରୁ ସାଥୀ ଯଦି ପ୍ରତିଦିନ ନିୟମିତ ଭାବେ ଟିକେ ଖୋଜଖବର ରଖନ୍ତି, ତେବେ ତାହା ଗୋଟିଏ ସୁସ୍ଥ ଭାବନାତ୍ମକ ସଂପର୍କ ପାଇଁ ଅଧିକ ମୂଲ୍ୟବାନ ହୋଇଥାଏ । ସମୀକ୍ଷାରେ ସାମିଲ ହୋଇଥିବା ୩୦ରୁ ୩୫ ବର୍ଷର ୪୨ ପ୍ରତିଶତ ପୁରୁଷ ଜଣାଇଛନ୍ତି, ସେମାନେ ମୂଲ୍ୟବାନ ଉପହାର ପାଇବା ପରିବର୍ତ୍ତେ ସାଥୀ ସହିତ ଭଲ ସମୟ ବିତାଇବାକୁ ଅଧିକ ପସନ୍ଦ କରନ୍ତି । ସମୀକ୍ଷାର ନିଷ୍କର୍ସ ଥିଲା, ‘ଆପଣଙ୍କ ପ୍ରିୟ ମଣିଷଟି ଆପଣଙ୍କ ଛୋଟ ଛୋଟ ପସନ୍ଦ-ଅପସନ୍ଦ ଖିଆଲ ରଖୁଛନ୍ତି କି ନାହିଁ ତାହା ଏବେ ଭଲପାଇବାର ନୂଆ ସଂଜ୍ଞା’ । ସାଥୀର ଖୁସି ପାଇଁ କେବଳ ପକେଟ୍ରୁ ମୁଠା ମୁଠା ଟଙ୍କା ଖର୍ଚ୍ଚ କଲେ ଯେ ଜୀବନରେ ଶାନ୍ତି ବିରାଜମାନ କରିବ ତାହା ନୁହେଁ, ବରଂ ବ୍ୟସ୍ତ ଦିନଚର୍ଯ୍ୟା ମଧ୍ୟରେ ସାଥୀର ଭଲମନ୍ଦ ବୁଝିପାରିଲେ ହିଁ ତାହା ସଂପର୍କକୁ ଆହୁରି ମଧୁର ଓ ମଜଭୁତ କରିପାରିବ ।