ପୁଲୱାମାରେ ପୁଣି ଆତଙ୍କୀ ହମଲା, ୫ ଯବାନ ଆହତ

ପୁଲୱାମା ୧୭/୬: ଜମ୍ମୁ କଶ୍ମୀରର ପୁଲୱାମାରେ ପୁଣି ଆତଙ୍କୀ ହମଲା ହୋଇଛି । ଏଥିରେ ଆତଙ୍କୀ ଆଇଇଡି ବ୍ଲାଷ୍ଟ କରିଛନ୍ତି । ଆର୍ମିର ୪୪ ରାଷ୍ଟ୍ରୀୟ ରାଇଫଲ୍ସକୁ ଟାର୍ଗେଟ୍ କରିବା ପାଇଁ ଚେଷ୍ଟା କରାଯାଇଛି । ଏହି ହମଲାରେ ସେନାର ୫ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପୁଲୱାମାର ଅରିହଲ ଗାଁର ଅରିହଲ-ଲସିପୁରା ରୋଡରେ ହୋଇଛି । ସେନା ଓ ଆତଙ୍କୀଙ୍କ ମଧ୍ଯରେ ଭାରି ମାତ୍ରାରେ ଗୁଳିକାଣ୍ଡ ମଧ୍ଯ ହୋଇଛି । କହିରଖୁଛୁ ଜମ୍ମୁ ଓ କଶ୍ମୀରରେ ଦିନେ ପୂର୍ବରୁ ଆଇଇଡି ହମଲାର ଆଲର୍ଟ ଜାରି କରାଯାଇଥିଲା ।
Jammu & Kashmir: An IED blast took place while a security forces' vehicle was moving in Arihal, Pulwama. Police at the spot ascertaining the facts. More details awaited. pic.twitter.com/GgKkSaym9u
— ANI (@ANI) June 17, 2019
ଏହା ପରେ ସୁରକ୍ଷା ମଧ୍ଯ ବଢାଇ ଦିଆଯାଇଥିଲା । ରିପୋର୍ଟ ଅନୁସାରେ ପାକିସ୍ତାନ ପୁଲୱାମାରେ ଆକ୍ରମଣର ଧମକ ସମ୍ପର୍କରେ ଭାରତ ଓ ଆମେରିକାକୁ ସୂଚନା ଦେଇଥିଲା । ସୂଚନା ଅନୁସାରେ ଆତଙ୍କୀ ଜାକିର୍ ମୁସାର ହତ୍ଯାର ପ୍ରତିଶୋଧ ନେବା ପାଇଁ ଚାହୁଁଛନ୍ତି । ସୂଚନା ମିଳିବା ପରେ ଜମ୍ମୁ ଓ କଶ୍ମୀର ସୁରକ୍ଷାବଳଙ୍କୁ ଆଲର୍ଟ ରହିବା ପାଇଁ ସୂଚନା ଦିଆଯାଇଥିଲା ।
ପାକିସ୍ତାନ ଭାରତ ଓ ଆମେରିକାକୁ ସୂଚନା ଦେଇଥିଲା ଯେ ପୁଣି ଆଇଡି ଆଟାକ୍ ହୋଇପାରେ । ସୂଚନା ମିଳିବା ପରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଜମ୍ମୁ କଶ୍ମୀରର ସମସ୍ତ ସୁରକ୍ଷାବଳ ସତର୍କ ହୋଇଯାଇଥିଲେ । ସୂଚନା ଥିଲା ଯେ ସାଉଥ୍ କଶ୍ମୀରରେ ଆତଙ୍କୀ ହମଲା ହୋଇପାରେ । କହିରଖୁଛୁ ୧୪ ଫେବୃୟାରୀରେ ପୁଲୱାମାରେ ଏକ ବଡ ଆତଙ୍କୀ ହମଲା ହୋଇଥିଲା । କାର୍ ସୁସାଇଡ୍ ବମ୍ ମାଧ୍ଯମରେ ବିସ୍ଫୋରଣ କରାଯାଇଥିଲା । କିଛି ଦିନ ପୂର୍ବରୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଏକ ବଡ ଆତଙ୍କୀ ହମଲା ହୋଇଥିଲା । ଆତଙ୍କୀ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତ୍ମଘାତୀ ହମଲା କରିଥିଲେ ଯେଉଁଥିରେ ସିଆରପିଏଫର ୫ ଯବାନ ସହିଦ ହୋଇଥିଲେ ।