ଆନ୍ଦୋଳନରେ ମାଷ୍ଟରକ୍ୟାଣ୍ଟିନ୍ ଅଣନିଶ୍ୱାସୀ, ୨ ଘଣ୍ଟା ପାଇଁ ଜନପଥ ବନ୍ଦ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଆନ୍ଦୋଳନକାରୀଙ୍କ ଯୋଗୁଁ ଆଜି ପୁଣି ଅଣନିଶ୍ୱାସୀ ହୋଇପଡିଛି ମାଷ୍ଟରକ୍ୟାଣ୍ଟିନ୍ ଛକ । ଗୋଟିଏ ଓଳି ଟ୍ରାଫିକ୍ ଜାମରେ ଫସିଯାଇଥିଲେ ରାଜଧାନୀବାସୀ । ଦୁଇ ଘଣ୍ଟା ପାଇଁ ଜନପଥରେ ଚକାଜାମ ହୋଇଥିଲା । ଟ୍ରାଫିକ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ରାଜଧାନୀର ଏହି ପ୍ରମୁଖ ଛକ । ଦୁର୍ଦଶା ସେତିକିରେ ଥମିନଥିଲା, ଟ୍ରାଫିକ ଜାମରେ ଫସିଥିବା ଲୋକଙ୍କୁ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହେବାକୁ ମଧ୍ୟ ପଡିଥିଲା ।
ଲୋୟର ପିଏମ୍ଜିରେ ଆଜି ପାଖ।।ପାଖି ୭ରୁ ଅଧିକ ସଂଗଠନ ଆନ୍ଦୋଳନ କରିଥିଲା । ସମସ୍ତ ସଂଘର ହଜାର ହଜାର ଆନ୍ଦୋଳନକାରୀ ରେଳଷ୍ଟେସନ ପଟୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚୁଥିଲେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଯାଏଁ ଏହି ଶୋଭାଯାତ୍ରା ଚାଲିଥିଲା । ଫଳରେ ମାଷ୍ଟରକ୍ୟାଣ୍ଟନର ଗୋଲେଇ ଛକରେ ଅସମ୍ଭାଳ ଟ୍ରାଫିକ ଜାମ ଦେଖାଦେଇଥିଲା । ପ୍ରତି ସଂଘର ଶୋଭାଯାତ୍ରା ପାଇଁ ଉଭୟ ପାଶ୍ୱର୍ରେ ଅଧଘଣ୍ଟାଏ ଧରି ଗାଡିମଟର ଅଟକି ରହୁଥିଲା ।
ଆଜି ଜୀବିକା ମିଶନ ଏମ୍ବିକେ ଓ ସିଆର୍ପିର ମହିଳାଙ୍କ ସଂଘ ସବୁଠୁ ବଡ ଶୋଭାଯାତ୍ରା କରିଥିଲା । ହଜାର ହଜାର ମହିଳା ଏକାସାଙ୍ଗରେ ଶୋଭାଯାତ୍ରାରେ ବାହାରିଥିଲେ । ମଧ୍ୟାହ୍ନ ୧୨ଟାରୁ ୨ ଯାଏଁ ଜନପଥକୁ ପୁରା କବଜା କରିନେଇଥିଲେ । ରାସ୍ତାର ଏପାଖ ସେପାଖରେ କାହାରିକୁ ଛାଡିନଥିଲେ । କଂଗ୍ରେସ ଭବନ ସାମ୍ନାରେ ମଧ୍ୟ ରାସ୍ତାଉପରେ ବସିରହି ପ୍ରତିବାଦ କରିଥିଲେ । ଶେଷରେ ଗାଡିମଟରଗୁଡିକ ରାଜମହଲରୁ ଏଜି ଛକ ଦେଇ ରାମମନ୍ଦିର ରାସ୍ତାରେ ବାହାରିଥିଲେ । ଏହି ଆନ୍ଦୋଳନ ପର୍ବରେ ଲୋୟର ପିଏମ୍ଜିରେ ଥିବା କ୍ୱାଟର୍ସ ବାସିନ୍ଦାଙ୍କ ହାଲତ ମଧ୍ୟ ଖରାପ ଥିଲା । ଦିନ ତମାମ ଗୃହବନ୍ଦୀ ହୋଇ ରହିବା ପରିସ୍ଥିତି ଉପୁଜିଥିଲା ।