ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ,୨୪।୧ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗାଡ଼ାପଲ୍ଲୀ ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।
ସିଙ୍ଗଡ଼ାପଲ୍ଳୀ ଗ୍ରାମ ନିକଟରେ ଥିବା ଏକ କାଜୁ ଫ୍ୟାକ୍ଟ୍ରି ମାଲିକ କେ. ରାମେଶ୍ବର ସେନାପତି ଓ ଉକ୍ତ କାଜୁ ଫ୍ୟାକ୍ଟ୍ରିକୁ ଲାଗି ଘର କରିଥିବା ଏସ୍. ଟୁଟୁ ପାତ୍ରଙ୍କ ସହ ଗତ କିଛି ବର୍ଷ ହେଲା ଘର କାନ୍ଥକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ତେବେ ଆଜି ଏସ୍. ଟୁଟୁ ପାତ୍ର କାଜୁ ଫ୍ୟାକ୍ଟ୍ରି ମାଲିକ କେ. ରାମେଶ୍ବର ସେନାପତିଙ୍କୁ ପୂର୍ବରୁ ଲାଗିଥିବା ବିବାଦର ସମାଧାନ କରିବା ପାଇଁ ନିଜ ଘରକୁ ଡାକିନେଇଥିଲେ । ଘର ଭିତରେ ରାମେଶ୍ୱର ଟୁଟୁଙ୍କ ପତ୍ନୀ ଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ମୁଣ୍ତକୁ ଏକ ଲୁହା ରଡ଼ରେ ଟୁଟୁ ଆକ୍ରମଣ କରିଥିଲେ । ଯାହା ଫଳରେ ରାମେଶ୍ବର ଚିତ୍କାର କରି ତଳେ ପଡ଼ିଯାଇଥିଲେ । ଚିତ୍କାର ଶୁଣି ରାମେଶ୍ବରଙ୍କ ସାନ ଭାଇ ଓ ସ୍ଥାନୀୟ ଲୋକେ ପହଂଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାମେଶ୍ବରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ମୁଣ୍ଡକୁ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ଅଧିକ ଚିକିତ୍ସା କରିବା ପାଇଁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ରେଫର କରିଥିଲେ ମଧ୍ୟ ପରିବାର ଲୋକେ ଭୁବନେଶ୍ବର ନେଇଯାଇ ଥିବା ଜଣାପଡ଼ିଛି । ଆକ୍ରମଣ କରି ଏସ୍. ଟୁଟୁ ପାତ୍ର ଥାନାରେ ଆତ୍ମସମର୍ପଣ କରିଥିଲେ ।
ଏ ସମ୍ପର୍କରେ କେ. ରାମେଶ୍ବରଙ୍କ ସାନଭାଇ କେ. ଧବଳେଶ୍ବର ସେନାପତି ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ଏସ. ଟୁଟୁ ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ।ଆକ୍ରମଣ ରେ ବ୍ୟବହାର କରାଯାଇ ଥିବା ଲୁହା ରଡ଼ କୁ ଘର ଭିତରୁ ଜବତ କରାଯାଇଥିବା ଏସ ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି ।