ଟୋକିଓ,୦୯/୦୨; ଜାପାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲ୍ଡିପି)କୁ ବୃହତ ବିଜୟ ମିଳିଛି । ନିମ୍ନ ସଦନରେ ଥିବା ୪୬୫ ଆସନ ଲାଗି ଭୋଟିଂ ହୋଇଥିଲା । ବହୁମତ ସଂଖ୍ୟା ୨୩୩ ଥିଲା । ଏଲ୍ଡିପି ଏହି ଅଙ୍କ ପାର୍ କରି ୩୦୦ରୁ ଅଧିକ ଆସନ ହାତେଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏହା ପୂର୍ବରୁ ବିଭିନ୍ନ ଏକ୍ଜିଟ୍ ପୋଲ୍ରେ ବି ତାକାଇଚିଙ୍କ ବିଜୟକୁ ନେଇ ଅନୁମାନ କରାଯାଇଥିଲା ।
ଏଲ୍ଡିପି ନେତୃତ୍ୱରେ ଗଠିତ ମେଣ୍ଟ ସହଯୋଗୀ ଜାପାନ ଇନୋଭେସନ ପାର୍ଟି ମଧ୍ୟ ଆଖିଦୃଶିଆ ଆସନ ହାସଲ କରିଛି । ତାକାଇଚିଙ୍କ ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ଏକ୍ସ’ରେ ମୋଦି ଲେଖିଛନ୍ତି, ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସ ନିର୍ବାଚନରେ ବୃହତ୍ ବିଜୟ ପାଇଁ ସାନେ ତାକାଇଚିଙ୍କୁ ଅଭିନନ୍ଦନ । ଆମର ସ୍ୱତନ୍ତ୍ର ରଣନୀତିକ ତଥା ବୈଶ୍ୱିକ ସହଯୋଗିତା ବର୍ଦ୍ଧିତ ବିଶ୍ୱ ଶାନ୍ତି, ସ୍ଥିରତା ଓ ସମୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।
Congratulations Sanae Takaichi on your landmark victory in the elections to the House of Representatives!
— Narendra Modi (@narendramodi) February 8, 2026
Our Special Strategic and Global Partnership plays a vital role in enhancing…
ଉଲ୍ଲେଖଯୋଗ୍ୟ, ୨୦୨୪ରେ ଜାପାନରେ ଅନୁଷ୍ଠିତ ନିର୍ବାଚନରେ ଏଲ୍ଡିପି କ୍ଷତିର ସମ୍ମୁଖୀନ ହୋଇଥିଲା । ଫଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସରକାର ସଂଖ୍ୟାଲଘୁକୁ ଚାଲିଆସିଥିଲା । ଏହାପରେ ୨୦୨୫ରେ ଏଲ୍ଡିପିର ଅଧ୍ୟକ୍ଷ ନିର୍ବାଚନରେ ତାକାଇଚି ବିଜୟୀ ହୋଇଥିଲେ ଏବଂ ଜାପାନ ଇନୋଭେସନ ପାର୍ଟି ସହ ମେଣ୍ଟ କରି ସରକାର ଗଢ଼ିଥିଲେ । ୨୦୨୬ ଜାନୁଆରୀରେ ଯେତେବେଳେ ସଂସଦୀୟ ଅଧିବେଶନ ଆରମ୍ଭ ହେବାର ଥିଲା, ତାକାଇଚି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ଭଙ୍ଗ କରି ସାନି ନିର୍ବାଚନ ଘୋଷଣା କରିଥିଲେ । ରବିବାର ମତଦାନ ହୋଇଥିଲା । ସାଧାରଣ ନିର୍ବାଚନରେ ବୃହତ୍ ବିଜୟ ହାସଲ କରିଛି ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ମେଣ୍ଟ। ତାକାଇଚିଙ୍କ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ନିମ୍ନ ସଦନର ୪୬୫ ଆସନରୁ ଏକୁଟିଆ ୨୩୩ରୁ ଅଧିକ ଆସନରେ ବହୁମତ ହାସଲ କରିଛି । ଜାପାନରେ ଆମେରିକା ରାଷ୍ଟ୍ରଦୂର ଜର୍ଜ ଏଡୱାର୍ଡ ମଧ୍ୟ ସାନାଏ ତାକାଇଚିଙ୍କ ବିଜୟକୁ ନେଇ ଶୁଭେଚ୍ଛା ଦେଇଛନ୍ତି । ସେ କହିଛନ୍ତି ସେ ତାଙ୍କ ସରକାରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ କାମ କରିବାକୁ ଉତ୍ସୁକ । ସାନାଏ ତାକାଇଚି ଗତବର୍ଷ ଅକ୍ଟୋବରରେ ତାଙ୍କ ପାର୍ଟିର ନେତୃତ୍ୱ ନିର୍ବାଚନ ଜିତିବା ପରେ ୩୬ ବର୍ଷରେ ପ୍ରଥମ ଥର ଦେଶରେ ମଧ୍ୟଭାଗ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ଏହି ନିର୍ବାଚନର ଉଦ୍ଦେଶ୍ୟ ଥିଲା ନୂଆ ଜନାଦେଶ ହାସିଲ କରିବା ।