ଜସପ୍ରୀତ ବୁମରାହଙ୍କ ପିଠିରେ ସର୍ଜରୀ ସଫଳ, ଖେଳି ପାରିବେନି ଏହି ବଡ ଟୁର୍ଣ୍ଣାମେଣ୍ଟ: ସୁସ୍ଥ ହେବାକୁ ଲାଗିବ…

ନୂଆଦିଲ୍ଲୀ ୦୮/ ୦୩: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ସର୍ଜରୀ ଶେଷ ହୋଇଛି । ନ୍ୟୁଜିଲାଣ୍ଡର କ୍ରୀଷ୍ଟଚର୍ଚ୍ଚରେ ଥିବା ଏକ ହସ୍ପିଟାଲରେ ବୁମରାହଙ୍କ ପିଠି ସର୍ଜରୀ ସଫଳ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ସର୍ଜରୀ ପରେ ସେ ଭଲ ଥିବା ଏବଂ ସୁସ୍ଥ ହେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ଜସପ୍ରୀତ ବୁମରାହ ଗତ ବର୍ଷ ଖେଳାଯାଇଥିବା ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ସମେତ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ରୁ ବାଦ୍ ପଡିଥିଲେ । କେବଳ ସେତିକି ନୁହେଁ ବର୍ଡର ଗାଭାସ୍କର ଟ୍ରଫି ସିରିଜରୁ ମଧ୍ୟ ବାଦ୍ ପଡିଥିଲେ ବୁମରାହ । ଆଉ କିଛିଦିନ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଆରମ୍ଭ ହେବାକୁ ଥିବା ବେଳେ ବୁମରାହ ନଖେଳିବାର ସମ୍ଭାବନା ଅଧିକ । କାରଣ ଆଇପିଏଲ ଆରମ୍ଭ ହେବା ସମୟରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବେ ।

ବିସିସିଆଇ ସୂତ୍ରାନୁସାରେ, ଜସପ୍ରୀତ ବୁମରାହ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ଅତି ବେଶିରେ ୨୪ ସପ୍ତାହ ଲାଗିପାରେ । ଏହା ହେଲେ ସେ ଆସନ୍ତା ଅଗଷ୍ଟ ମାସରେ ଯାଇ ପଡିଆକୁ ଓହ୍ଲାଇବେ । ଆଗାମୀ ଏସିଆ କପ୍ରୁ ମଧ୍ୟ ବାଦ୍ ପଡିପାରନ୍ତି ବୁମରାହ । ତେବେ ସେପ୍ଟେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ସେ ପୂରାପୂରି ଭାବେ ଫିଟ୍ ହୋଇଯାଇଥିବେ ।

ସୂଚନା ଥାଉକି, ଗତ ବର୍ଷ ସେପ୍ଟେମ୍ବର ମାସରୁ ଦଳରୁ ବାଦ୍ ପଡିଛନ୍ତି ଜସପ୍ରୀତ ବୁମରାହ । ପରବର୍ତ୍ତୀ ସମୟରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲେ ସୁଦ୍ଧା ପୁଣି ବାଦ୍ ପଡିଥିଲେ । ଗୁରୁତ୍ବପୂର୍ଣ୍ଣ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ୨୦୨୨ରୁ ମଧ୍ୟ ବାଦ୍ ପଡିଥିଲେ । ଯାହା କି ଭାରତୀୟ ଦଳକୁ ଶକ୍ତ ଝଟ୍କା ଦେଇଥିଲା । ତେବେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦିନିକିଆ ବିଶ୍ବକପ ଖେଳାଯିବାକୁ ଥିବାରୁ ବୁମରାହ ଦଳରେ ସାମିଲ ହେବା ନିହାତି ଆବଶ୍ୟକ ହୋଇପଡିଛି ।