କଟକ,୨୯/୪ : ଅନେକ ବିବାଦରେ ଫସିଥିବା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦେଶ ଦେବାକୁ ସେ ନିଜ ଆବେଦନରେ ଦର୍ଶାଛନ୍ତି ।
ସୋନାଲିଙ୍କ ଆବେଦନ ମୁତାବକ, ଯେବେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା, ତେବେ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହାଘର ହୋଇଥିଲା ଏବଂ ୨୦୧୪ ମସିହାରେ ସେ ନାବାଳିକା ଥିବା ଅବସ୍ଥାରେ ମା’ ହୋଇଥିଲେ। ପରେ ଉକ୍ତ ବିବାହକୁ ସେ ଗ୍ରହଣ କରିନଥିଲେ ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିବା ସମସ୍ତ କାର୍ଯ୍ୟ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ସେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହା ଭିତରେ ସୋନାଲିଙ୍କ ପ୍ରଥମ ସ୍ୱାମୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ କଥା ସାମ୍ନାକୁ ଆଣିଛନ୍ତି। ଯାହାକୁ ନେଇ ଯାତ୍ରା ଜଗତରେ ଖୁବ୍ ହଲଚଲ ସୃଷ୍ଟି ହୋଇଛି।