PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କଟକକୁ ଲେଉଟିଲା ଜଣ୍ଡିସ୍ ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

କଟକ,୧୩ା୧(ବ୍ୟୁରୋ): କଟକ ସହରକୁ ପୁଣି ଲେଉଟିଛି ଜଣ୍ଡିସ୍ । ଶିଖରପୁର ଅଞ୍ଚଳରେ ହଠାତ୍ ଜଣ୍ଡିସ୍ ତାର କାୟା ବିସ୍ତାର କରିଛି । ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦ରୁ ଅଧିକ ଲୋକ ଜଣ୍ଡିସ୍ରେ ଆକ୍ରାନ୍ତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଗଲା ସପ୍ତାହେ ହେବ ଏଠାରେ ଜଣ୍ଡିସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ସିଏମ୍ସି କିନ୍ତୁ ଚୁପ୍ ବସିଛି । ଆଜି ସ୍ଥାନୀୟ ଲୋକଙ୍କ ବିରୋଧ ଓ ବିକ୍ଷୋଭ ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ଆରମ୍ଭ ହୋଇଛି । ଘଟଣାକୁ ନେଇ ଶିଖରପୁରରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି ।
ଗତବର୍ଷ ଖରା ଦିନେ ସହରର ଏକାଧିକ ସ୍ଥାନରେ ଜଣ୍ଡିସ୍ ଚିହ୍ନଟ ହୋଇଥିଲା । ତୁଳସୀପୁର ଓ ବିଡ଼ାନାସୀ ଅଞ୍ଚଳରେ ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପାଣି ପାଇପ୍ ବଦଳାଇବା କାମ ଆରମ୍ଭ ହୋଇଥିଲା । ଏପରିକି ‘ଅମୃତ’ ଯୋଜନାରେ ପ୍ରାୟ ସବୁ ୱାର୍ଡରେ ପିଇବା ପାଣି ପାଇପ୍ ବଦଳାଗଲା । କୋଟି କୋଟି ଟଙ୍କାରେ ପାଇପ୍ ବଦଳ କାମ ଏବେ ଚାଲୁ ରହିଛି । ହେଲେ ଶିଖରପୁର ଅଞ୍ଚଳରେ ଏହି ଯୋଜନା ଏକପ୍ରକାର ଅପହଞ୍ଚ ହୋଇ ରହିଛି । ଶିଖରପୁର ସାହି ଭିତରେ ଥିବା ଏକାଧିକ ଗଳିରେ ଗୋଟିଏ ହେଲେ ପିଇବା ପାଣି ପାଇପ୍ ପରିବର୍ତ୍ତନ କରାଯାଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଘରକୁ ଯାଇଥିବା ପାଣି ପାଇପ୍ର କନେକସନ୍ ପଏଣ୍ଟଗୁଡ଼ିକ ଡ୍ରେନ୍ ଭିତରେ ବୁଡ଼ି ରହିଛି । ଏପରିକି ଡ୍ରେନ୍ ପାଣି ସେଠାରୁ ଠିକ୍ ଭାବେ ନିଷ୍କାସିତ ହେଉନଥିବାରୁ ପାଣି ପାଇପ୍ ସବୁବେଳେ ଡ୍ରେନ୍ର ଅସନା ପାଣି ବୁଡ଼ି ରହୁଛି । ଫଳରେ ଡ୍ରେନ୍ ପାଣି ଘରକୁ ଯାଉଛି । ପାଣି ପାଇପ୍ ପରିବର୍ତ୍ତନ ପାଇଁ ଗଲା ୬ ମାସ ହେବ ସ୍ଥାନୀୟ ଲୋକ ଦାବି କରୁଛନ୍ତି । ହେଲେ ପିଏଚ୍ଡି ଓ ସିଏମ୍ସି ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ଫଳ ସ୍ୱରୂପ ଖରା ଦିନ ଆସିବାର ବହୁ ପୂର୍ବରୁ ଶିଖରପୁରରେ ଜଣ୍ଡିସ୍ ବ୍ୟାପିଛି । ଗଲା ସପ୍ତାହକ ମଧ୍ୟରେ ୨୦ରୁ ଅଧିକ କାମଳରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ମଧ୍ୟ ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମାତ୍ର ସିଏମ୍ସି ପକ୍ଷରୁ ଏଯାଏ ସେଠାରେ ସ୍ୱାସ୍ଥ୍ୟ ଶିବିର ଆରମ୍ଭ ହୋଇନି । ତେବେ ସ୍ଥିତି ବିଗୁଡ଼ୁଥିବା ଦେଖି ସ୍ଥାନୀୟ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି ଶିଖରପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ସ୍ଥିତି ବିଷୟରେ ଅବଗତ ହୋଇଛନ୍ତି । ଘଟଣା ନେଇ ବିଧାୟକଙ୍କ ପକ୍ଷରୁ ପିଏଚ୍ଡିକୁ ସୂଚନା ଦିଆଯିବା ପରେ ଅପରାହ୍ନରେ ପିଇବା ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ଆରମ୍ଭ ହୋଇଛି । ଏହା ଛଡ଼ା ପ୍ରଭାବିତ ଗଳିରେ ଥିବା ଘରୋଇ ସଂଯୋଗକୁ ତୁରନ୍ତ କାଟିବା ସହିତ ସେଠାରେ ଥିବା ପିଇବା ପାଇପ୍କୁ ତୁରନ୍ତ ବଦଳାଇବା ପାଇଁ ପିଏଚ୍ଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡ଼ା ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।