ଭୁବନେଶ୍ୱର,୧୮/୬ : ବଡ଼ଗଡ଼ ବ୍ରିଟ୍ ଇଏ କଲୋନି ପାଣିରେ ଜଣ୍ଡିସ୍ ଭୂତାଣୁ। ବ୍ରିଟ୍ କଲୋନୀରୁ ବିଏମ୍ସି ଓ ୱାଟକୋ ପକ୍ଷରୁ ସଂଗ୍ରହ ହୋଇଥିବା ସବୁ ଜଳ ନମୁନା କୋଇଲା ଭଳି କଳା ପାଲଟି ଯାଇଛି । ପାଇପ ପାଣି ଅତି ପ୍ରଦୂଷିତ । ତେଣୁ ସେ ପାଣି ବ୍ୟବହାର କରିବାକୁ ୱାଟକୋ କର୍ତ୍ତୃପକ୍ଷ କଲୋନି ଲୋକଙ୍କୁ ବାରଣ କରିଛନ୍ତି । ତା’ ବଦଳରେ ବିଶୁଦ୍ଧ ପିଇବା ପାଣି ଟ୍ୟାଙ୍କର ପଠାଇବେ ବୋଲି କହିଛନ୍ତି ।
ବିଏମ୍ସି ୱାର୍ଡ ନଂ ୪୪ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ଲୋକେ ବ୍ୟବହାର କରୁଥିବା ସରକାରୀ ପାଇପ୍ ପାଣିରେ ଜଣ୍ଡିସ ଭୂତାଣୁ ଥିବା ପ୍ରମାଣିତ ହୋଇଛି । ଫଳରେ ଲୋକେ ଆତଙ୍କରେ ଟ୍ୟାପ୍ ପାଣି ବ୍ୟବହାର କରିବା ଛାଡ଼ି ଦେଇଛନ୍ତି । ଏପଟେ ୱାଟକୋ ଏ ପର୍ଯ୍ୟନ୍ତ ଟ୍ୟାଙ୍କରରେ ପାଣି ପଠାଇ ନ ଥିବାରୁ ଲୋକେ ସ୍ନାନ, ଶୌଚ ହୋଇ ନପାରି ଟ୍ୟାଙ୍କର ପାଣିକୁ ଅପେକ୍ଷା କରି ବସିଛନ୍ତି । ଘରେ ରୋଷେଇ ନକରି ହୋଟେଲରୁ ମିଲ୍ ଓ ଜଳଖିଆ ମଗାଇ ଖାଉଛନ୍ତି । ବଜାରରୁ ବୋତଲ ପାଣି କିଣି ଆଣି ପିଉଛନ୍ତି । ବାସନ କୁସନ ସେମିତି ଅମଜା ହୋଇ ପଡ଼ିରହିଛି । ବହୁ ପ୍ରତୀକ୍ଷା ପରେ ସନ୍ଧ୍ୟାରେ ପାଣି ଟ୍ୟାଙ୍କର ଆସିଥିବା ଜଣାପଡ଼ିଛି । କଲୋନି ଲୋକେ ହାଣ୍ଡି, ଡେକଚିରେ ପାଣି ନେଇ ବ୍ୟବହାର କରିଛନ୍ତି ।
ଏହି କଲୋନିରେ ୧୪୮ ଘର । ଏଠାରେ ଜଣ୍ଡିସ୍ ବ୍ୟାପିଥିବା ଖବର ପ୍ରଥମେ ପ୍ରମେୟ ଖବରକାଗଜରୁ ଜାଣି ବିଏମସି ଓ ୱାଟକୋର ୨ଟି ଟିମ୍ ଶନିବାର ଦିନ କଲୋନିରେ ପହଞ୍ଚିଥିଲେ । ସେମାନେ ଜଣ୍ଡିସରେ ଆକ୍ରାନ୍ତ ଲୋକମାନଙ୍କ ଘରକୁ ଯାଇ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବୋତଲ ଧରାଇ ଥିଲେ । ଟିମ୍ ସେଥିରେ ଲୋକେ ବ୍ୟବହାର କରୁଥିବା ଟ୍ୟାପ ପାଣି ପୂରାଇଥିଲେ । ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କହିଥିଲେ ୨୪ରୁ ୪୮ ଘଣ୍ଟା ଭିତରେ ଏହି ବୋତଲ ଭିତରେ ଥିବା ପାଣି ଯଦି କଳା ପଡ଼ିଯାଏ, ତେବେ ଆମକୁ ଜଣାଇବ । ସତକୁ ସତ ଯେତେ ଲୋକ ବୋତଲ ପାଣି ରଖିଥିଲେ ତାହା ଗତକାଲି ଅପରାହ୍ନରେ ଦେଖିଲା ବେଳକୁ କୋଇଲା ପରି କଳା ପାଲଟି ଯାଇଛି । ଏଣୁ ସଙ୍ଗେ ସଙ୍ଗେ ବୋତଲ ରଖିଥିବା ଲୋକେ ୱାଟକୋ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସେପଟେ ୱାଟକୋ କର୍ତ୍ତୃପକ୍ଷ ଜଳରେ ଜଣ୍ଡିସ ବ୍ୟାପିବା ଭଳି ପ୍ରଦୂଷଣ ଦେଖି ଲୋକଙ୍କୁ ପାଣି ବ୍ୟବହାର କରିବା ପାଇଁ ମନା କରିଥିଲେ । ସେହିପରି ବଡ଼ଗଡ଼ ଉପରସାହି, କଳିଙ୍ଗ ବସ୍ତି, ବ୍ରହ୍ମେଶ୍ୱର ପାଟଣାରେ ମଧ୍ୟ ଜଣ୍ଡିସ ବ୍ୟାପିଛି । ଆକ୍ରାନ୍ତ ଲୋକଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି ।