ମୋହନା,୧୦/୦୭: ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ଗାଁର ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରୁ ଖସିଲା ପୁଲିସ ଭ୍ୟାନ୍ । ଯେଉଁଥିରେ ୨୦ରୁ ଅଧିକ ଯବାନ । ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।
ସୂଚନା ମୁତାବକ, କୋରାପୁଟର ୨୨ ଜଣ ଯବାନ ପୁରୀରେ ରଥଯାତ୍ରା ପାଇଁ ଡ୍ୟୁଟି କରୁଥିଲେ । ରଥଯାତ୍ରା ସରିବା ପରେ ସମସ୍ତ ଯବାନ ଏକ ବସ୍ ଯୋଗେ କୋରାପୁଟ ଫେରୁଥିଲେ । ହେଲେ ଗୁରୁବାର ଭୋର ୫ଟା ସମୟରେ ଗଜପତି ଜିଲ୍ଲା ମାଣ୍ଡିମେରା ଗାଁ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଫଳରେ ଗାଡ଼ିରେ ଥିବା ଯବାନମାନେ ଫସି ରହିଥିଲେ । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଯବାନମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାଗ୍ରସ୍ତ ବସ୍ରୁ ୨୨ ଜଣ ଯବାନ ସୁରକ୍ଷିତ ଭାବେ ବାହାରିଥିଲେ । ତେବେ ଏହି ଦୁର୍ଘଟଣାରେ ଗାଡ଼ିର ଆଂଶିକ କ୍ଷତି ହୋଇଥିବା ବେଳେ ଯବାନମାନେ ସୁରକ୍ଷିତ ଭାବେ ଏତେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।