ତାରଜାଲି ଫାଙ୍କରୁ ପ୍ରେମର ଇସାରା, ମନର ଝରକା ଡେଇଁ ହୃଦୟରେ ବାଜି ଉଠେ ପ୍ରେମ ଘଣ୍ଟି…

ବାରଙ୍ଗ,୨୫/୦୫(ମନୋଜ ସ୍ୱାଇଁ): ଆଖି ସହ ଆଖି ଯେବେ ମିଶିଯାଏ, ସେତେବେଳେ ମନର ଝରକା ଡେଇଁ ହୃଦୟରେ ପ୍ରେମର ଘଣ୍ଟି ବାଜି ଉଠେ । ସେ ମଣିଷ ହେଉ ଅବା ପଶୁପକ୍ଷୀ, ସମସ୍ତଙ୍କ ପାଖରେ ଯେ ପ୍ରେମର ଆବେଗ ଆଉ ପରିଭାଷା ସମାନ, ତାହାର ନିଦର୍ଶନ ଦେଖିବାକୁ ମିଳିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ । ନନ୍ଦନକାନନର ସିଂହ ‘ଜୟ’ ଓ ସିଂହୀ ‘ବିନି’ଙ୍କ ଚୋରା ପ୍ରେମ ଏବେ ଚର୍ଚ୍ଚାର ବିଷୟ ହୋଇଛି । ହିଂସ୍ର ଜନ୍ତୁ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରେମର ପରିପ୍ରକାଶ କେଉଁ ନବପୁଲକିତ ପ୍ରେମୀଯୁଗଳଙ୍କଠାରୁ କମ୍ ନୁହେଁ । ଏବେ ଦୁହିଁଙ୍କ ପ୍ରେମ କଥା ଖୁଆଡ଼ ମଧ୍ୟରୁ ବାହାରି ପର୍ଯ୍ୟଟକଙ୍କ ମଧ୍ୟରେ ଆଲୋଚନା ହେଲାଣି । ତେଣୁ ଏମାନଙ୍କ ପ୍ରେମରୁ ମଜା ଉଠାଇବା ପାଇଁ ଖୁଆଡ଼ ସମ୍ମୁଖରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି ।
ପ୍ରାଣୀ ଉଦ୍ୟାନର ୨୯(କ) ଖୁଆଡ଼ରେ ରହୁଛନ୍ତି ନନ୍ଦନକାନନରେ ଜନ୍ମିତ ସିଂହୀ ‘କଳ୍ପନା’ ଓ ବିଳାସପୁର ଚିଡ଼ିଆଖାନାରୁ ଆସିଥିବା ସିଂହ ‘ଜୟ’ । ଉଭୟେ ଏସୀୟ ପ୍ରଜାତିର । “କଳ୍ପନା’ ଅଜାଣତରେ ୨୯(ଖ) ଖୁଆଡ଼ରେ ଏକାକି ରହୁଥିବା ସିଂହୀ “ବିନି’କୁ ମନ ଦେଇବସିଛି “ଜୟ’ । ଖାଲି “ଜୟ’ ନୁହେଁ, “ବିନି’ ମଧ୍ୟ ଜୟର ପ୍ରେମରେ ପୁଲକିତ ହେଉଛି । ଇସ୍ରାଏଲରୁ ଆସିଥିବା ଆଫ୍ରିକୀୟ ସିଂହୀ ‘ବିନି’ ଖୋଲା ସ୍ୱଭାବର । ଦୁଇ ଖୁଆଡ଼ ପାଖାପାଖି ଲାଗି ରହିଥିବାରୁ ଆଖିର ଇସାରାରେ ଚାଲିଛି ଦୁହିଁଙ୍କ ପ୍ରେମ । ଦୁଇ ଖୁଆଡ଼ ମଧ୍ୟ ଭାଗରେ ଥିବା ତାରଜାଲି ପାଖରେ ବିନି ଛିଡ଼ାହୋଇ ‘ଜୟ’କୁ ପ୍ରେମ ନିବେଦନ କରୁଥିବା ଦେଖାଯାଏ ।
ଖୁଆଡ଼ ମଧ୍ୟରେ ‘ଜୟ’ ନଥିବା ବେଳେ ଘଡ଼ି ଘଡ଼ି ତା’ଆସିବା ବାଟକୁ ଚାହିଁ ରହେ । ଜୟ କିନ୍ତୁ କଳ୍ପନା ପାଖରେ ରହୁଥିବାରୁ ବିନି ପ୍ରତି ନିଜ ମନର ଭାବକୁ ଖୋଲାଖୋଲି ପ୍ରକାଶ କରିପାରୁନି । ତେଣୁ ‘କଳ୍ପନା’ ଅଜାଣତରେ ଲୁଚି ଲୁଚି ଆସି ତାରଜାଲି ପାଖରେ ଛିଡ଼ା ହୁଏ “ଜୟ’ । ‘ବିନି’କୁ ଅପଲକ ନୟନରେ ଚାହିଁ ରହେ । ତା’ପାଖକୁ ଯିବାକୁ ଚେଷ୍ଟାକରେ । କଳ୍ପନା ଏହି ଲୁଚାଛପା ପ୍ରେମ ସମ୍ପର୍କରେ କିଛିଟା ଆଭାସ ପାଇଥିବାରୁ “ଜୟ’କୁ ଜଗି ରହେ । “ଜୟ’ କଳ୍ପନାକୁ ଡରି ଡରି ବିନିକୁ ଦେଖିବାକୁ ବ୍ୟାକୁଳ ହୁଏ । ଯେତେବେଳେ କଳ୍ପନା ଖୁଆଡ଼ ଭିତରକୁ ଚାଲିଯାଏ, “ଜୟ’ ୨୯(ଖ) ଖୁଆଡ଼କୁ ଚାହିଁ “ବିନି’କୁ ଖୁବ୍ ଖୋଜେ । “ବିନି’ ତାର ଜାଲି ପାଖକୁ ଆସିଗଲେ “ଜୟ’ ତା’ ପାଖକୁ ଧାଇଁଯାଏ । ଦୁହେଁ ମିଶିବାକୁ ଚେଷ୍ଟା କରନ୍ତି । କିନ୍ତୁ ବାଧକ ସାଜେ ଦୁଇ ଖୁଆଡ଼ର ତାରଜାଲି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ-ସିଂହୀଙ୍କ ଏହି ଚୋରା ପୀରତି ଏବେ ଜନ୍ତୁପ୍ରେମୀଙ୍କୁ ଆକର୍ଷିତ କରୁଛି ।