ନୂଆଦିଲ୍ଲୀ: ବିହାରରେ ଆରଜେଡି ପରେ ଜେଡିୟୁ ଏବେ ଦାବି କରିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ କରାଯାଉ। ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଜେଡିୟୁ ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ, ନୀତିଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ଉଚିତ। ସେ ଦାବି କରିଛନ୍ତି ଯେ, ବିହାରର ଲୋକମାନେ ମଧ୍ୟ ସମାନ ଚାହାଁନ୍ତି। ମିଶ୍ର କହିଛନ୍ତି ଯେ ନୀତିଶ କୁମାର ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଏହା ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି, ତେଣୁ ତାଙ୍କ ଅଭିଜ୍ଞତାର ସୁଯୋଗ ନିଆଯିବା ଉଚିତ।

ଏହା ଉପଯୁକ୍ତ ସମ୍ମାନ ହେବ : ଜେଡିୟୁ ବିଧାୟକ

ଜେଡିୟୁ ବିଧାୟକ କହିଛନ୍ତି, "ମୁଁ ଶୁଣିଛି ଯେ ମୋଦିଙ୍କ କ୍ୟାବିନେଟ ବିସ୍ତାର ହେବ। ନୀତିଶ କୁମାର କେନ୍ଦ୍ରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତେଣୁ, ତାଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ଉଚିତ। ଏହା ତାଙ୍କୁ ଉପଯୁକ୍ତ ସମ୍ମାନ ହେବ।"

ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ କରାଯିବା ଉଚିତ : ଆରଜେଡି

ପୂର୍ବରୁ, ବରିଷ୍ଠ ଆରଜେଡି ନେତା ମୁକେଶ ରୋଶନ କହିଥିଲେ ଯେ, ନୀତିଶ କୁମାରଙ୍କୁ କେନ୍ଦ୍ରରେ ଏକ ପ୍ରମୁଖ ଦାୟିତ୍ୱ ଦିଆଯିବା ଉଚିତ। ସେ କହିଛନ୍ତି ଯେ, ନୀତିଶ କୁମାରଙ୍କୁ କୃଷି ଏବଂ ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯିବା ଉଚିତ ଏବଂ ତାଙ୍କୁ ଉପପ୍ରଧାନମନ୍ତ୍ରୀ ମଧ୍ୟ କରାଯିବା ଉଚିତ। ଆରଜେଡି ନେତା କହିଛନ୍ତି ଯେ ଏହା ବିହାର ପାଇଁ ଗର୍ବର ବିଷୟ ହେବ।

ନୀତିଶ କୁମାର ଏବେ ରାଜ୍ୟସଭା ସଦସ୍ୟ…

ସୂଚନାଥାଉକି, କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ କ୍ୟାବିନେଟ ବିସ୍ତାର ନେଇ କଳ୍ପନାଜଳ୍ପନା ଚାଲିଛି। ଏପରି ପରିସ୍ଥିତିରେ, ଜେଡିୟୁ ସୁଯୋଗ ହାତଛଡ଼ା କନରି ନୀତିଶ କୁମାରଙ୍କ ନାମ ଆଣିଛି। ନୀତିଶ କୁମାର ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଏବଂ ଜେଡିୟୁର ମୁଖ୍ୟ। ତାଙ୍କ ପୁଅ ନିଶାନ୍ତ କୁମାର ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ ଯେ, ନୀତିଶ କୁମାର ୧୪ ଏପ୍ରିଲ୍, ୨୦୨୬ରେ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ୧୦ ଏପ୍ରିଲ୍ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସମ୍ରାଟ ଚୌଧୁରୀ ୧୫ ଏପ୍ରିଲ୍ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ବିଜେପି ପାଇଁ, ସମ୍ରାଟ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା, କାରଣ ଏହା ରାଜ୍ୟରେ ଦଳ ପ୍ରଥମ ଥର ପାଇଁ ଏହି ପଦବୀ ହାସଲ କରିଥିଲା ।

ଏହା ସହ ପଢନ୍ତୁ : Crime News : ଦେଶରେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ବିବାଦରୁ ବଢୁଛି ହତ୍ୟା, ସବୁଠାରୁ ଆଗରେ ବିହାର, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର