ବ୍ରହ୍ମପୁର ୦୧/୦୭: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ ପରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍ ଏବେ ସାମ୍ନାକୁ ଆସୁଛି । ପୁଲିସ ହତ୍ୟା ମାମଲାରେ ସାକ୍ଷ୍ୟ ପ୍ରମାଣକୁ ବଳିଷ୍ଠ କରିବା ପାଇଁ ନୂଆ ୨୭ ଜଣ ସାକ୍ଷୀ ଏବଂ କିଛି ସାକ୍ଷୀଙ୍କ ବୟାନ କୋର୍ଟରେ ଦାଖଲ କରିଛି । ଏବେ ହତ୍ୟା ମାମଲାରେ ମୁଖ୍ୟ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍ଏସ୍୧୦୩)କୁ ବାଦ୍ ଦେଇଛି ପୁଲିସ । ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ୱାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ବିହାରରୁ ଆସିଥିବା ସହଯୋଗୀ ଶିଶୁପାଲ କୁମାର ପାଶୱାନ, କୁନ୍ଦନ ପାଶୱାନ, ଶୂନ୍ୟ ଚନ୍ଦ୍ର ଦାସ, ସୁନୀଲ ହୋତା, ଉମା ବିଷୋୟୀଙ୍କ ଉପରେ ହତ୍ୟା ଦଫା ଉଠିଥିବା ଦାଖଲ ଚାର୍ଜସିଟ୍ରୁ ଜଣାପଡ଼ିଛି ।
ପୁଲିସ ପ୍ରାଥମିକ ଭାବେ ଯେଉଁ ଚାର୍ଜସିଟ୍ ଦେଇଥିଲା ସେଥିରେ ସମସ୍ତଙ୍କ ନାମରେ ହତ୍ୟା ଦଫା ରହିଥିଲା । କିନ୍ତୁ ତଦନ୍ତ ପରେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିବା ସମୟରେ ଉପରୋକ୍ତ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଦଫା ଉଠିଥିବା ଜଣାପଡ଼ିଛି । ପୀତବାସଙ୍କୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ନାମରେ ରହିଛି ହତ୍ୟା ଦଫା । ସେପଟେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଂଗଠିତ ଅପରାଧ (ବିଏନ୍ଏସ୍ ୧୧୧) ଦଫା ରହିଛି ।
ଅଧିକ ପଢ଼ନ୍ତୁ :- Binika News : ବିନିକା ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ
ଅଭିଯୁକ୍ତଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି, ପୁଲିସ ତଦନ୍ତ ରିପୋର୍ଟ ଅନୁସାରେ ଚାର୍ଜସିଟ୍ରେ ୧୪ ଜଣଙ୍କ ହତ୍ୟା ଦଫା ଉଠାଇଛି । ମାମଲା କୋର୍ଟରେ ବିଚାରାଧୀନ ରହିଛି । ସେପଟେ ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି, ହତ୍ୟା ଦଫା ଉଠିଛି କିନ୍ତୁ ସମସ୍ତଙ୍କ ବିରୋଧରେ ରହିଛି ସଂଗଠିତ ଅପରାଧ । ହତ୍ୟା ଦଫା ସହ ତାହା ସମାନ ଏବଂ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି । ଅନ୍ୟପକ୍ଷରେ ପୁଲିସ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ପେନ୍ ଡ୍ରାଇଭ୍ରେ କୋର୍ଟରେ ଦାଖଲ କରିଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଅଭିଯୁକ୍ତଙ୍କ ଓକିଲଙ୍କୁ ଦିଆଯାଇ ନାହିଁ ।
ଚାର୍ଜସିଟ୍ ଅନୁସାରେ ୨ ଜଣ ସାକ୍ଷୀ ପୁଲିସ ନିକଟରେ ବୟାନ ରଖି କହିଛନ୍ତି ଯେ, ଗତବର୍ଷ ଗୋଷାଇଁନୂଆଗାଁର କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ ଓ ଶୂନ୍ୟଚନ୍ଦ୍ର ଦାସ । ସେଠାରେ ପୀତବାସଙ୍କ ହତ୍ୟାକୁ ନେଇ ଆଲୋଚନା ହୋଇଥିବା ଉଭୟ ପୁଲିସ ନିକଟରେ ବୟାନ ରଖିଛନ୍ତି ।