ନୂଆଦିଲ୍ଲୀ, ୭।୭: ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ଜଷ୍ଟିନ୍‌ ସାଟୋଙ୍କର ଏକ ଲିଙ୍କଡ୍‌ଇନ୍‌ ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ସେ ୩୬୦ରୁ ୫୩ ମାର୍କ (ପ୍ରାୟ ୧୫%) ରଖିଥିବା ସ୍ପଷ୍ଟ କରିଛନ୍ତି । ଏହା ସତ୍ତେ୍ୱ ବିଶ୍ୱର ୩ ପ୍ରତିଷ୍ଠିତ ପ୍ରତିଷ୍ଠାନ- ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ, ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟ ଓ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (କାଲଟେକ୍‌)ରେ ପାଇଲେ । ନିଜସ୍ୱ କୃତିତ୍ୱ ଉପରେ ଫୋକସ୍‌ ପରିବର୍ତ୍ତେ ଭାରତରେ ପ୍ରଯୁକ୍ତି ପ୍ରତିଭାର ଗଭୀରତା ଏବଂ ଭିନ୍ନ ଶିକ୍ଷା ବ୍ୟବସ୍ଥା କିଭଳି ବିଦ୍ୟାର୍ଥୀଙ୍କୁ ମୂଲ୍ୟାଙ୍କନ କରୁଛି, ସାଟୋ ପୋଷ୍ଟ ଜରିଆରେ ତା ଉପରେ ଆଲୋକପାତ କରିଛନ୍ତି । ସେ ନିଜ ଅନୁଭବ ପୋଷ୍ଟରେ ଲେଖିଛନ୍ତି, ଆଇଆଇଟିରେ ଗ୍ରହଣୀୟତା ହାର ୧%ରୁ କମ୍‌ । ତାଙ୍କ ଅନୁସାରେ, ଏହି ଫଳ ବିଦ୍ୟାର୍ଥୀଙ୍କ ମୋଟ୍‌ ଦକ୍ଷତା ଅପେକ୍ଷା ଭାରତରେ ଇଞ୍ଜିନିୟରିଙ୍ଗ ଆଶାୟୀ ବିଦ୍ୟାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତାକୁ ଦର୍ଶାଉଛି ।

ଏହା ବି ପଢ଼ନ୍ତୁ... Dark pattern : ଅନ୍‌ଲାଇନ୍‌ ସପିଂରେ ୮୮% ଗ୍ରାହକ ଡାର୍କ ପାଟର୍ଣ୍ଣର ଶିକାର, ବର୍ଷକୁ କ୍ଷତି ୨୮,୦୦୦ କୋଟି, ହିଡେନ୍‌ ଚାର୍ଜ ଯୋଡ଼ି ଲୁଟୁଛନ୍ତି କମ୍ପାନି

ଷ୍ଟାନ୍‌ଫୋର୍ଡରେ ପଦାର୍ଥବିଜ୍ଞାନ ଓ ଗଣିତ ଅଧ୍ୟୟନ କରୁଥିବା ସାଟୋ ନିକଟରେ ‘ସ୍କାର୍ମି’ ନାମକ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିଛନ୍ତି । ସେ ଏହାକୁ ଭାରତ ଆଣିବାକୁ ଘୋଷଣା କରିଛନ୍ତି । ତାଙ୍କ ମତରେ, ଇଞ୍ଜିନିୟରିଙ୍ଗ ପ୍ରତିଭା ନିମନ୍ତେ ଭାରତ ଏକ ବଡ଼ ହବ୍‌ । ସେ ଲେଖିଛନ୍ତି, ଗୁଗଲ୍‌, ମାଇକ୍ରୋସଫ୍ଟ, ମାଇକ୍ରନ, ସ୍କାର୍ମି, ମାଷ୍ଟରକାର୍ଡ... ଏ ସବୁ ଭାରତ-ଜନ୍ମିତ ପ୍ରତିଭାଙ୍କ ଦ୍ୱାରା ପରିଚାଳିତ । ସେ ମଧ୍ୟ ନିଜ ଷ୍ଟାର୍ଟଅପ୍‌ ପାଇଁ ଭାରତରୁ ଆଶାୟୀ ଉଦ୍ଭାବକଙ୍କୁ ଆମନ୍ତ୍ରଣ କରିଛନ୍ତି ଏବଂ କହିଛନ୍ତି, ଆମେ ଇଣ୍ଟର୍ନଙ୍କୁ ନିଯୁକ୍ତି ଦେଉଛୁ । ତେଣୁ ଆପଣ ଯଦି ଭାରତର, ମୁଁ ଆପଣଙ୍କ ସହ ଯୋଡ଼ିହେବାକୁ ଚାହେଁ । ଏହି ପୋଷ୍ଟ ଇଣ୍ଟରନେଟ୍‌ରେ ଆଲୋଚନାର ବିଷୟ ହୋଇଛି । ଭାରତର ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ଓ ଅଗ୍ରଣି ଆମେରିକୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ମଧ୍ୟରେ ପାର୍ଥକ୍ୟକୁ ଏହା ଉଜାଗର କରିଛି ।