ପୁରୀ ୦୭/୦୭: ମହାପ୍ରଭୁଙ୍କ ମାନବୀୟ ଲୀଳାର ପଟାନ୍ତର ନାହିଁ । ସ୍ନାନଯାତ୍ରାରେ ଅଧିକ ସ୍ନାନ ପରେ ଠାକୁରେ ଅସୁସ୍ଥ । ଏଣୁ ଅଣସର ଘରେ ଠାକୁରଙ୍କ ଅନବସର ସେବାରେ ଲାଗିଛନ୍ତି ଦଇତାପତି ସେବକ । ଏକ ବସ୍ତ୍ର ହୋଇ ନିଷ୍ଠାପର ପରଭାବେ ସେବା କରି ଠାକୁରଙ୍କୁ ସୁସ୍ଥ କରାଇବାରେ ଦିନରାତି ଏକ କରିଦେଇଛନ୍ତି । ଏବେ ଶ୍ରୀଅଙ୍ଗରେ ଓଷ ଲାଗି ଆରମ୍ଭ ହୋଇଥିବାରେ ରବିବାର ଠାକୁରଙ୍କ ପହୁଡ଼ ସମ୍ଭବ ହୋଇ ନଥିଲା । ଦଇତାପତିଙ୍କ ଦ୍ୱାରା ସାମୁହିକ ଭାବେ ଦାରୁବ୍ରହ୍ମଙ୍କ ଅନବସର ସେବା ଜାରି ରହିଛି ।
ମହାପ୍ରଭୁଙ୍କ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କୁହନ୍ତି ପଞ୍ଚମୀରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିଲା । ପରେ ଶ୍ରୀଅଙ୍ଗରେ ଓଷ ଲାଗି ଆରମ୍ଭ ହୋଇଛି । ଦଶମୀରେ ଚକା ବିଜେ ନୀତି । ଚକା ସିଂହାସନକୁ ଉଠିବେଠାକୁରେ । ସେହି ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଓଷ ଲାଗି ନୀତି ଜାରି ରହିବ। ଅଣସର ଶୁଦ୍ଧୁସୁଆର ସେବକ ରାଶି ତେଲ ଓ ଝୁଣାରେ ଓଷ ପ୍ରସ୍ତୁତ କରିଦେବା ପରେ ଏହାକୁ ସମସ୍ତ ଦଇତାପତି ସେବକ ମିଶି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରୁଛନ୍ତି । ଏହାପରେ ଶ୍ରୀଅଙ୍ଗରୁ ତାପ କମିବାକୁ ଓଦାକନା ଲାଗି କରାଯାଉଛି ।
ଅଧିକ ପଢ଼ନ୍ତ :- ବୟସ ମାତ୍ର ୬ ମାସ ୨୧ ଦିନ.. ମହାପ୍ରଭୁଙ୍କ ସେବାରେ ଯୋଗ ଦେଲେ ସର୍ବକନିଷ୍ଠ ଦଇତାପତି, ଶ୍ରୀଅଂଶଙ୍କ କଅଁଳ ସ୍ପର୍ଶରେ ସୁସ୍ଥ ହେବେ ଦାରୁବ୍ରହ୍ମ
ଓଷ ଲାଗି ପରେ ସନ୍ଧ୍ୟା ତଥା ରାତ୍ର କାଳରେ ଜଳ ଭିଜା ବସ୍ତ୍ର ଲାଗି ହେଉଛି । ଅଧିକ ଜ୍ୱର ସମୟରେ ମନୁଷ୍ୟ ଶରୀରରୁ ତାପ ହ୍ରାସ ପାଇଁ ପାଣିପଟି ଦ୍ୱାରା ଚିକିତ୍ସା ଭଳି ଠାକୁରଙ୍କ ଅନନ୍ୟ ମାନବୀୟ ଲୀଳା ଚାଲିଛି । ୧୦ ତାରିଖ ଶୁକ୍ରବାର ଦଶମୀ ତିଥିରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଠାକୁରଙ୍କ ଔଷଧ ଶ୍ରୀମନ୍ଦିରରେ ପହଞ୍ଚିବ । ଏକାଦଶୀ ତିଥିରେ ଠାକୁରଙ୍କ ଓଷ ଲାଗି କରାଗଲେ ଠାକୁରେ ସୁସ୍ଥ ହେବେ ।