ପୁରୀ,୦୭/୦୭: ତିନ ରଥରେ ଲାଗିଲା କନ୍ୟାପଟା । ତିନି ରଥରେ ମୋଟ ୩୨ଟି କନ୍ୟା ପଟା ଲଗାଯାଏ । ଗୁଜ ଓ ଅଂଶୁଆରୀ ମଝିରେ ଲାଗୁଛି କନ୍ୟାପଟା । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ନନ୍ଦିଘୋଷ ରଥ, ତାଳଧ୍ୱଜ ରଥରେ ୧୨ଟି ଲେଖାଏଁ ଓ ଦେବୀ ରଥରେ ୮ଟି କନ୍ୟା ପଟା ଲଗାଯାଏ । ଏଥିସହ ରଥରେ ହାତୀଆଳମାଳ ଲଗାଯାଇଛି । ଏସବୁ ରଥ ଉପରିଭାଗ ଦୁଆରଘଡ଼ା ନିକଟରେ ଲାଗିଛି ।
ନିର୍ମାଣକାରୀଙ୍କ କହିବା ଅନୁସାରେ, ଚକ ଦେଖା ନଗଲା ଭଳି କନ୍ୟାପଟା ସବୁ ରଥରେ ଲାଗେ । ରଥରେ ବେଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଠାକୁରଙ୍କ ପହଣ୍ଡି ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ଘରେ ପହଞ୍ଚିଛି ତାଳ ଚାରମାଳ । ରଥରୁ ପହଣ୍ଡି ହୋଇ ଶ୍ରୀବିଗ୍ରହଙ୍କ ଆଡ଼ପମଣ୍ଡପ ବିଜେ ପାଇଁ ଏସବୁ ଆବଶ୍ୟକ । ଚଳିତ ବର୍ଷ ରଥ ପ୍ରସ୍ତୁତି କାର୍ଯ୍ୟ ଆଗୁଆ ଚାଲିଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । ପୂର୍ବରୁ ଶଗଡ଼ରେ ରଥଖଳାରୁ ସାଳ ମାଲ ଗୁଣ୍ଡିଚା ଘରେ ପହଞ୍ଚାଯାଇଥିଲା । ଏହା ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଆବଶ୍ୟକ ହେବ ।
ଅଧିକ ପଢ଼ନ୍ତୁ :- Rath Khala Update: ନେତ୍ରୋତ୍ସବର ଯଥେଷ୍ଟ ପୂର୍ବରୁ ସରିଥିବ ରଥ ନିର୍ମାଣ, କଳସ ଉଠିଲା ପରେ କଣିଫାଉଡ଼ା ବାଡ଼ିଆ ଶେଷ ହେବ
ରୂପକାର ସେବକମାନେ ରଥର ଅଶ୍ୱ ଓ ସାରଥିଙ୍କ ମରାମତି କାର୍ଯ୍ୟ ସାରିଛନ୍ତି । ଦେବଦଳନ ରଥର ଗୋଟିଏ ଅଶ୍ୱର ପଛ ବାମ ଗୋଡ଼ ବଦଳାଯାଇଛି । ମରାମତି ସଂପୂର୍ଣ୍ଣ ପରେ ଅଶ୍ୱମାନଙ୍କୁ ରଙ୍ଗ ପାଇଁ ଚିତ୍ରକରଙ୍କୁ ହସ୍ତାନ୍ତର କରାଯାଇଛି । ଚିତ୍ରକର ସେବକମାନେ ତିନି ରଥର ପ୍ରଭା ରଙ୍ଗ କାର୍ଯ୍ୟ ଶେଷ କରୁଛନ୍ତି। ସାରଥିଙ୍କ ରଙ୍ଗ କାର୍ଯ୍ୟ ଜାରି ରହିଛି । ରଥ ସିଂହାସନ ବେଦି ଚତୁଃପାଶ୍ୱର୍ରେ ଗାଈଗୋଠ ଚିତ୍ର ଶେଷ ହୋଇଛି । ଦର୍ଜୀ ସେବକମାନେ ବିଳାସ ପଟି ଫିଟିଂ ଶେଷ କରିବା ସହ ତିନି ରଥର ୧୨ ଦୁଆରଘଡ଼ାର ଚନ୍ଦ୍ରଶାଳୀରେ ଫୁଲପକା କାର୍ଯ୍ୟ ସାରୁଛନ୍ତି । ପୋଟଳ କନାରେ ଲେସ୍ ଲଗାଯାଉଛି । କମାର ସେବକମାନେ ରଥରେ କାର୍ଯ୍ୟ ପାଇଁ କୋଠସୁଆଁସିଆଙ୍କ ଆବଶ୍ୟକ ସାମଗ୍ରୀ ତିଆରୁଛନ୍ତି ।