ନୂଆଦିଲ୍ଳୀ: ମହକାଶ ଯାତ୍ରା ସାରି ପୃଥିବୀ ପୃଷ୍ଠକୁ ଫେରିବା ପରେ ଭାବିପତ୍ନୀଙ୍କୁ ଅଭିବାଦନ ଜଣାଇବାକୁ ଯାଇଥିଲେ ବ୍ଲୁ ଅରିଜିନ୍‌ର ମାଲିକ ଜେଫ୍‌ ବେଜସ୍‌ । କିନ୍ତୁ ଏହି ସମୟରେ ଘଟିଗଲା ଅଘଟଣ । ବେଜସ୍‌ଙ୍କ ଖୁସି କିଛି ସମୟ ପାଇଁ ଦୁଃଖରେ ପରିଣତ ହୋଇଗଲା । ତାଙ୍କର ଭାବିପତ୍ନୀ  ଲରେନ ସାଞ୍ଚେଜ୍‌ ୧୧ ମିନିଟ୍‌ର ମହାକାଶ ଯାତ୍ରା ସାରି ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ । ଏହି ସମୟରେ ଜେଫ୍‌ ବେଜସ୍‌ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେଠାରେ ପହଞ୍ଚିଥିଲେ । କିନ୍ତୁ ହଠାତ ଜେଫ୍‌ ବେଜସ୍‌ ମୁହଁମାଡ଼ି ତଳେ ପଡ଼ିଯାଇଥିଲେ ।   ଲରେନ୍‌ଙ୍କ ସମେତ ଆମେରିକୀୟ ଗାୟିକା କ୍ୟାଟି ପେରୀ ଏବଂ ସାମ୍ବାଦିକ ଗେଲ୍‌ କିଙ୍ଗଙ୍କୁ ନେଇ ଯାଇଥିବା ବ୍ଲୁ ଅରିଜିନ୍‌ର ରକେଟ୍‌ ପୃଥିବୀ ପୃଷ୍ଠରେ ସୁରକ୍ଷିତ ଅବତରଣ କରିଛି । 

ଆମାଜନ୍ ପ୍ରତିଷ୍ଠାତା ୬୧ ବର୍ଷୀୟ ଜେଫ୍‌ ବେଜସ୍‌ ପ୍ରବଳ ଉତ୍ସାହର ସହ କ୍ୟାପସୁଲ୍‌ ପାଖରେ ପହଞ୍ଚିଥିଲେ । କିନ୍ତୁ ଏହି ସମୟରେ ଛୋଟିଆ ଖାଲରେ ତାଙ୍କର ପାଦ ପଡ଼ିଯିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ମୁହଁମାଡ଼ି ତଳେ ପଡ଼ିଯାଇଥିଲେ । ବେଜସ୍‌ ତଳେ ପଡ଼ିଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।  ଟେକ୍ସାସରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିବା କ୍ୟାପସୁଲ୍‌ର ଭିଡିଓଗ୍ରାଫି କରାଯାଇଥିଲା । ସେପଟେ ବେଜସ୍‌ ତଳେ ପଡ଼ିଯିବା ପରେ ମଧ୍ୟ ପୁଣି ଥରେ ଉଠିଥିଲେ ଏବଂ କ୍ୟାପୁସୁଲର ଦ୍ବାର ପାଖରେ ଛିଡ଼ା ହୋଇଯାଇଥିଲେ ।ବେଜସ୍ ନିଜର ଦୁଇ ବାହୁକୁ ମେଲାଇ ଭାବିପତ୍ନୀଙ୍କୁ ସ୍ବାଗତ କରିଥିଲେ । ଲରେନ୍‌ ସାଞ୍ଚେଜ୍‌ କ୍ୟାପୁସୁଲ୍‌ରୁ ବାହାରିବା କ୍ଷଣି ବେଜସଙ୍କୁ ଆଲିଙ୍ଗନ କରିଥିଲେ । 

 ୬୧ ବର୍ଷୀୟ ପ୍ରେମିକ ବେଜସ୍‌ ତଳେ ପଡ଼ିଯିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଜାରି ରହିଛି । ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ବେଜସ୍‌ ମୁହଁମାଡ଼ି ତଳେ ପଡ଼ିଯିବା ଘଟଣା ଖବରର ଶିରୋନାମା ପାଲଟିଛି । ଲୋକେ କହୁଛନ୍ତି, ଜିମ୍‌ ସମୟରେ ତାଙ୍କୁ ଭାରସାମ୍ୟ ରକ୍ଷା କରିବାକୁ ପ୍ରଶିକ୍ଷଣ ମିଳିନାହିଁ ।ସେହିଭଳି ବେଜସ୍‌ଙ୍କ ସମର୍ଥନରେ ମଧ୍ୟ ଲୋକେ ମତ ରଖିଛନ୍ତି । ସେ ପଡ଼ିଯିବା ପରେ କିଭଳି ଶୀଘ୍ର ଉଠି ଛିଡ଼ା ହୋଇଥିଲେ, ତାକୁ ପ୍ରଶଂସା କରିଛନ୍ତି ନେଟିଜେନ୍ସ । 

 ସୂଚନାଯୋଗ୍ୟ, ବ୍ଲୁ ଅରିଜିନ୍‌ ନିଜର ୧୧ ତମ ମାନବ ଉଡ଼ାଣ ପରୀକ୍ଷଣରେ ସଫଳତା ହାସଲ କରିଛି  । କ୍ୟାଟି ପେରୀ, ଲରେନ୍‌  ସାଞ୍ଚେଜଙ୍କ ସମେତ ୬ ଜଣ ମହିଳାଙ୍କୁ ନେଇ ମହାକାଶ ଯାତ୍ରା କରିଥିବା ଏହି ରକେଟ୍‌ ୧୧ ମିନଟ୍ ପରେ ପୃଥିବୀ ପୃଷ୍ଠକୁ ଫେରିଆସିଥିଲା । ଏହା ବ୍ଲୁ ଅରିଜନ୍‌ର ପ୍ରଥମ ଏବଂ ବିଶ୍ବର ଦ୍ବିତୀୟ ଅଲ୍ ଓ୍ବିମେନ୍‌ କ୍ରୁ ମିଶନ୍ ।  ଏହି ମିଶନ୍‌ରେ ଆମେରିକୀୟ ସିଙ୍ଗର କ୍ୟାଟି ପେରୀ, ବେଜସଙ୍କ ଭାବିପତ୍ନୀ ଏବଂ ସାମ୍ବାଦିକ ଲରେନ୍‌ ସାଞ୍ଚେଜ୍‌,  ଗେଲ୍‌ କିଙ୍ଗ, ନାସାର ପୂର୍ବତନ ରକେଟ୍ ବୈଜ୍ଞାନିକ ଆୟିଶା ବୋ, ଆଡଭୋକେଟ୍‌ ଆମାଣ୍ଡା ନୁଏନ୍‌ ଏବଂ ଫିଲ୍ମ ପ୍ରଯୋଜକ କେରିଆନେ ଫ୍ଲିନ୍‌ ସାମିଲ ଥିଲେ ।