ଅମରାବତି, ୧୭/୦୨: ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍‌ସ ସୋମବାର ଆନ୍ଧ୍ରପ୍ରଦେଶ ଗସ୍ତ କରିଥିଲେ । ଏହି ସମୟରେ ତାଙ୍କୁ ଯେଉଁ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା, ତାହାକୁ ନେଇ ବିବାଦ ଉପୁଜିଛି । ଆମେରିକାର ବହୁଚର୍ଚ୍ଚିତ ଜେଫ୍ରି ଏପ୍‌ଟିନ୍ ସେକ୍ସ ଫାଇଲରେ ଗେଟ୍‌ସଙ୍କ ନାମ ଆସିଥିବାରୁ ତାଙ୍କର ଏଭଳି ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନାକୁ ସମାଲୋଚନା କରାଯାଇଛି ।

ଏଥିସହ ନିଜ ଉତ୍ପାଦ ଲାଗି ସେ ଭାରତକୁ ଏକ ପରୀକ୍ଷାଗାର ଭାବେ ବ୍ୟବହାର କରିବାକୁ ଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏପ୍‌ଟିନ୍ ଫାଇଲ୍‌ରେ ନାମ ଆସିବା ପରେ ଆମେରିକୀୟ ଅରବପତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ପୂର୍ବରୁ ଆଜି ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ନାରା ଲୋକେଶ ଏବଂ କ୍ୟାବିନେଟ୍ର ଅନେକ ସଦସ୍ୟ ଗନ୍ନାବରମ ବିମାନବନ୍ଦରରେ ବିଲ୍ ଗେଟ୍‌ସଙ୍କୁ ସ୍ୱାଗତ କରିଥିଲେ ।

ଏହାପରେ ‘ଏକ୍ସ’ରେ ଲୋକେଶ ଲେଖିଥିଲେ, ଅମରାବତିରେ ଆପଣଙ୍କୁ ସ୍ୱାଗତ ବିଲ୍ ଗେଟ୍ସ । ଆଜି ଗନ୍ନାବରମ ବିମାନବନ୍ଦରରେ ଗେଟ୍ସ ଫାଉଣ୍ଡେସନର ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ମୋ ପାଇଁ ଖୁସିର ବିଷୟ ଥିଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ୧୯୯୭ରୁ ଗେଟ୍‌ସଙ୍କ ସହ ଥିବା ତାଙ୍କର ସମ୍ପର୍କ ବାବଦରେ ବଖାଣିଥିଲେ । ଏହାପରେ ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ସମାଲୋଚନା କରିଥିଲେ ।