PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ମୋବାଇଲରେ ବୁଲୁଛି ଝାରପଡ଼ା ଜେଲର ଅସଲ ଚିତ୍ର: ଏବେ କଏଦୀଙ୍କ ପାଖରେ ସ୍ମାର୍ଟ ଫୋନ୍‌ ଓ ଗଞ୍ଜେଇ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଝାରପଡ଼ା ଜେଲ୍‌ ହେଉଛି ରାଜ୍ୟର ଅନ୍ୟତମ ସ୍ୱତନ୍ତ୍ର କାରାଗାର । ବାହାରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଜଗିଛନ୍ତି । କିନ୍ତୁ ଭିତରେ ଚାଲିଛି କଳା କାରନାମା । ଜେଲ୍‌ ଭିତରେ କଏଦୀଙ୍କୁ ସ୍ମାର୍ଟ ଫୋନ୍‌ ମିଳିଯାଉଛି । କିଛି କଏଦୀ ଜେଲ ଭିତରେ ଚାଲିଥିବା ବେଆଇନ କାରବାରର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ୍‌ କରିଛନ୍ତି । ୪ ମିନିଟ୍‌ର ଉକ୍ତ ଭିଡିଓକୁ ଦେଖିଲେ କେଉଁ ୱାର୍ଡେନ୍‌ ଗଞ୍ଜେଇ ଯୋଗାଉଛି, କିଏ ଟଙ୍କା ଆଦାୟ କରୁଛି, ମୋବାଇଲ୍‌ ଫୋନ୍‌ କେମିତି ଯୋଗାଣ ହେଉଛି ଆଦି ସବୁକିଛି ଜଣାପଡ଼ୁଛି । ଏଥିରୁ ଝାରପଡ଼ା ଜେଲ୍‌ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭିଡିଓ ସପ୍ତାହେ ତଳେ ରେକର୍ଡ ହୋଇଥିବା ଜଣାପଡ଼ିଛି । ଏହା ବ୍ୟତୀତ କିଛି ଫଟୋ ମଧ୍ୟ ଭାଇରାଲ୍‌ ହୋଇଛି ।

ଉକ୍ତ ୪ ମିନିଟ୍‌ ଭିଡିଓ ଫୁଟେଜରୁ ଜେଲ୍‌ର ଚାରିକାନ୍ଥ ଭିତରେ ଚାଲିଥିବା ଅନେକ ଅଜଣା କଥା ପଦାକୁ ଆସିଛି । ଜେଲ୍‌ ଡାକ୍ତର ଓ ୱାର୍ଡେନ୍‌ଙ୍କ ବ୍ୟବହାରଠୁ ଆରମ୍ଭ କରି କଏଦୀଙ୍କ ରହିବା, ଖାଇବା, ଗଞ୍ଜେଇ ବେପାର ଓ ନିର୍ଯାତନାର ଉଦାହରଣ ରହିଛି । ଭିଡିଓରେ ଜଣେ କିଛି ଗଞ୍ଜେଇ ପୁଡ଼ିଆ ଦେଖାଉଛନ୍ତି । ଉକ୍ତ ପୁଡିଆ ବଜାରରେ ୧୦ ଟଙ୍କାରେ ମିଳୁଛି । ହେଲେ ଜେଲ୍‌ରେ ଏହି ପୁଡ଼ିଆ ୬୦ଟଙ୍କାରେ ୱାର୍ଡେନ୍‌ ପ୍ରବୋଧ ଯୋଗାଇ ଦେଉଛନ୍ତି । ପ୍ରବୋଧଙ୍କୁ ୩ ଶହ ଟଙ୍କା ଦେଲେ ସେ ପାଣି ବୋତଲରେ ଆସ୍କା ୪୦ ମଦ ପହଞ୍ଚାଇ ଦେଉଛନ୍ତି ବୋଲି କଏଦୀ କହୁଛନ୍ତି । ତା’ଛଡା ଉକ୍ତ ଭିଡିଓରେ ସିଗାରେଟ୍‌, ଗୁଟଖା, ମୋବାଇଲ୍‌ ଫୋନ, ସିମ୍‌ କାର୍ଡ, ଚିଲମ ଆଦି ଦେଖିବାକୁ ମିଳୁଛି । ନିମ୍ନମାନର ଖାଦ୍ୟ, ଅପରିଷ୍କାର ଶୋଇବା ଘରର ଦୃଶ୍ୟ ଦେଖାଯାଉଛି । ଯିଏ ପ୍ରବୋଧଙ୍କୁ ୧୦୦ ଟଙ୍କା ଦେଉଛି ତାଙ୍କ ଘର ଲୋକଙ୍କ ସହ ଭିଡିଓ କଲ୍‌ରେ ଯୋଗାଯୋଗ ବ୍ୟବସ୍ଥା ହୋଇଯାଉଛି । ଜେଲରେ ନିଯୁକ୍ତି ଚକ୍ଷୁ ଡାକ୍ତର ସବୁ ରକମର ରୋଗୀଙ୍କୁ ଦେଖୁଛନ୍ତି । ଜ୍ୱର ପାଇଁ ଯେଉଁ ଔଷଧ ତାକୁ ପେଟ କାଟୁଥିବା କଏଦୀକୁ ଦେଉଛନ୍ତି ।

‘ପ୍ରମେୟ’ର ରିୟଲିଟି ଚେକ୍‌
ଝାରପଡ଼ା ଜେଲର ଚାରିକାନ୍ଥ ଭିତର ଭିଡିଓ ଦେଖିବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ବୁଧବାର ଆମେ ସେଠାରେ ପହଞ୍ଚିଥିଲୁ । ସମୟ ଦିନ ଏଗାରଟା । ସାକ୍ଷାତ ପ୍ରକୋଷ୍ଠ ପାଖରେ ଭିଡ଼ ଜମିଥାଏ । ଏପଟେ ପ୍ରବେଶ ଫାଟକ ନିକଟରେ ଜଣେ ୱାର୍ଡେନ୍‌ ରେଜିଷ୍ଟ୍ରର୍‌ ଧରି ବସିଥାନ୍ତି । ଜଣେ ଦୁଇଜଣ ୱାର୍ଡେନ୍‌ ଏପଟ ସେପଟ ହେଉଥାନ୍ତି । ଭିତରକୁ ଯାଉଥାଏ ଫଳମୂଳ, ବିସ୍କୁଟ, ମିକ୍ସଚର, ମୁଢି ଆଦି ଖାଦ୍ୟଦ୍ରବ୍ୟ । ଅଧିକାଂଶ ପୁଡ଼ିଆ ସହିତ ଲାଖି ରହିଥାଏ ଗୁଟ୍‌ଖା, ବିଡି, ସିଗାରେଟ୍‌ ସାଙ୍ଗକୁ ୫୦ ଓ ୧୦୦ ଟଙ୍କିଆ ନୋଟ୍‌ । ନୋଟ୍‌ ତକ ରଖି ୱାର୍ଡେନ ଖାଦ୍ୟ ପୁଡ଼ିଆକୁ ଭିତରକୁ ଛାଡ଼ୁଥାନ୍ତି । ଏଭଳି ବେଆଇନ କାରବାର ଦେଖି ସେଠାରେ କାର୍ଯ୍ୟରତ ଜଣେ ୱାର୍ଡେନଙ୍କୁ ଆମେ ପଚାରିଲୁ । କିନ୍ତୁ ସେ ସିଧା ଫାଙ୍କିଦେଲେ । କିଛି ନିଶାଦ୍ରବ୍ୟ ଯାଉନି, ଖାଲି ଗୁଟ୍‌ଖା ଯାଉଛି ବୋଲି କହିଲେ ।

ଏହି ସମୟରେ ଜଣେ ବୁଢ଼ୀ ମାଉସୀଙ୍କ ସହ ଦେଖା ହୋଇଗଲେ । ତାଙ୍କ ସହ କିଛି କଥାବାର୍ତ୍ତା ହେଲୁ । ତାଙ୍କ ପୁଅ ଠକେଇ କେସ୍‌ରେ ଜେଲ୍‌ରେ ଅଛନ୍ତି । ସେ ତାଙ୍କୁ ଭେଟିବାକୁ ଆସିଛନ୍ତି । ପୁଅ ପାଇଁ କିଛି ରନ୍ଧା ଖାଦ୍ୟ ଆଣିଛି ବୋଲି ସେ କହିଲେ । ଜେଲ ଭିତରକୁ ଏହି ରନ୍ଧା ଖାଦ୍ୟ କେମିତି ଯିବ ବୋଲି ପଚାରିବାରେ ସେ କହିଲେ, ଜେଲ୍‌ ଭିତରକୁ କ’ଣ ନ ଯାଉଛି କହୁନାହାନ୍ତି । ଗୁଟ୍‌ଖା, ସିଗାରେଟ୍‌, ବିଡି, ଗଞ୍ଜେଇ, ମଦ ସବୁ ଯାଉଛି । ମୋ ପୁଅର ଗଞ୍ଜେଇ ଟିକେ ନ ହେଲେ ତା’ ଦେହ ଖରାପ ହୁଏ । ତେଣୁ ମୁଁ ଗଞ୍ଜେଇ ପୁଡ଼ିଆ ସହ ଖାଇବା ଜିନିଷ ଭିତରକୁ ପଠାଇବି ବୋଲି ଶତପଥୀ ବାବୁଙ୍କୁ ଖୋଜୁଛି । ସେ ୧୦୦ ଟଙ୍କା ଓ ୪ ଟି ଗଞ୍ଜେଇ ପୁଡ଼ିଆ ନେବେ । ୨ ଟା ମୋ ପୁଅକୁ ଦେଇ ବାକି ୨ ଟା ସେ ରଖିବେ । ଏହି ସମୟରେ ମୋଟା ହୋଇ ଚଷମା ପିନ୍ଧି ଜଣେ ମୋଟା ଲୋକ ମୁଖ୍ୟ ଫାଟକ ଫାଙ୍କରେ ବେକ କାଢ଼ିଥିଲେ । ବୁଢ଼ୀ ମାଉସୀ ଧାଇଁ ଯାଇଁ ଗଞ୍ଜେଇ ପୁଡିଆ, ଖାଇବା ତାଙ୍କୁ ଦେଇଥିଲେ । ଆମକୁ ଚିହ୍ନାଇ କହିଥିଲେ ଇଏ ହେଉଛନ୍ତି ଶତପଥୀ ବାବୁ । ତାଙ୍କ ଭାଇ ଆଇଜି ଅଫିସ୍‌ରେ କାମ କରୁଛନ୍ତି । ଜେଲରଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ତାଙ୍କୁ ଡରନ୍ତି । ମୁଁ ଜଣଙ୍କ ମାଧ୍ୟମରେ ୩ ମାସ ହେଲଣି ତାଙ୍କୁ ଧରିଛି । ତାଙ୍କ ମୋବାଇଲରେ ମୋ ପୁଅ ସବୁବେଳେ କଥା ହେଉଛି । ତମର ଯଦି ଭିତରକୁ କାହା ପାଖକୁ କିଛି ବି ଦେବାର ଅଛି, କୁହ । ମୁଁ ଶତପଥୀ ବାବୁଙ୍କୁ କହିଦେବେ । ସେତିକିରେ ଆମେ ସବୁ କଥା ବୁଝି ଯାଇଥିଲୁ ।

ତାଙ୍କ ସହ କଥା ହେବା ପରେ ମୁଲାକାତ୍‌ ପ୍ରକୋଷ୍ଠ ଆଡ଼େ ଆମେ ମୁହଁ ବୁଲାଇଥିଲୁ । ସେଠି ବି କିଛି କମ୍‌ ନ ଥିଲା । ସବୁ ଚାଲିଥିଲା ବିନ୍ଦାସ୍‌ । ଜଣେ ମହିଳା ଜାଲି ପାଖରେ ଫୋନ୍‌ ଲଗାଇ ଛିଡା ହୋଇଥିଲେ । ଦୂରରୁ ଦେଖି ଆମେ କିଛି ବୁଝି ପାରି ନ ଥିଲୁ । ପାଖକୁ ଗଲା ପରେ ଯାହା ଦେଖିଲୁ ବିଶ୍ୱାସ କରିପାରିଲୁନି । ଜାଲି ଆର ପଟେ ଥିବା କଏଦୀ ମହିଳା ଧରିଥିବା ଫୋନ୍‌ରେ କଥା ହେଉଥିଲେ । ଯଦି କିଛି ଶୁଭୁ ନ ଥିଲା ଲାଉଡ୍‌ ସ୍ପିକର୍‌ ଅନ୍‌ କରି ଦେଉଥିଲେ । ଆମେ କଏଦୀଙ୍କ ସମ୍ପର୍କୀୟ ଭଳି ସେଠାରେ ବୁଲୁଥିଲୁ । କଥାବାର୍ତ୍ତା ସରିଲା ପରେ ମହିଳାଙ୍କୁ ଏ ବିଷୟରେ କିଛି ପଚାରିଲୁ । ସେ ଥ ଥ ମ ମ ହୋଇଗଲେ । କଏଦୀଙ୍କ ସମ୍ପର୍କୀୟ ବୋଲି ଆମେ କହିଲୁ । ମହିଳା ଜଣଙ୍କ କହିଲେ ଯେତେବେଳେ ଦରକାର ଫୋନ୍‌ରେ କଥାବାର୍ତ୍ତା ହୋଇପାରିବ । ଏହା ଶୁଣିବା ପରେ ଜଣେ ୱାର୍ଡରଙ୍କ ପାଖକୁ ଗଲୁ । କଥା ଛଳରେ ତାଙ୍କୁ ଏ ବିଷୟରେ ପଚାରିଲୁ । କିନ୍ତୁ ସେ ପ୍ରଥମେ କିଛି କହି ନ ଥିଲେ । ଅନ୍ୟ ବିଷୟରେ କିଛି ସମୟ କଥା ହେବା ପରେ ସେ କହିଲେ ଆଜ୍ଞା ଏଠି ସବୁ ଚାଲୁଛି । ୨ଜି ଜାମର ଲାଗିଛି । ଲୋକ ୪ଜି ଫୋନ୍‌ ଧରୁଛନ୍ତି । କ’ଣ କାମ ଦେବ । ଏମିତିରେ ବି ଆମେ ଜାମର ଅନେକ ଦିନ ହେଲ କାମ କରୁନି ।