PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ନାବାଳକଙ୍କୁ ଅପହରଣ କରି ୫୦ ଲକ୍ଷ ମାଗିଲେ, ଟଙ୍କା ନଦେବାରୁ ପୋଡି ମାରିଦେଲେ ପଡୋଶୀ

ଝାରସୁଗୁଡ଼ା, ୨୯/୦୩ : ଦୀର୍ଘଦିନ ଧରି ପଡ଼ୋଶୀ ଭାବେ ଏକାଠି ରହୁଥିଲେ । ଟଙ୍କା ଲୋଭରେ ପଡ଼ିଶା ଘରର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କୁ ଅପହରଣ କରିନେଲେ । ୫୦ ଲକ୍ଷ ଟଙ୍କା ମିଳିଲେ ଛାଡ଼ି ଦେବେ ବୋଲି ଫୋନ୍‌ କରି କହିଲେ । କିନ୍ତୁ ପରେ ଅପେକ୍ଷା ନ କରି ନାବାଳକଙ୍କୁ ହତ୍ୟା କରି ପୋଡ଼ିଦେଲେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ାରେ । ପୁଲିସ ଘଟଣାର ତଦନ୍ତ କରି ନାବାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଅପହରଣ ଅଭିଯୋଗ ପାଇବା ପରେ ପୁଲିସ ଅଧିକ ତତ୍ପରତା ଦେଖାଇଥିଲେ ନାବାଳକଙ୍କୁ ଉଦ୍ଧାର କରାଯାଇ ପାରିଥାନ୍ତା ବୋଲି ସହରବାସୀ କହିଛନ୍ତି ।

ଘଟଣାଟି ଏହିପରି: ଝାରସୁଗୁଡ଼ା ସହରର ସରବାହାଲ ନ୍ୟୁ ହେଇଟ୍‌ସ ପାଖ କ୍ରିଷ୍ଣା ଏନକ୍ଲେଭ୍‌ରେ ରହୁଥିବା ବ୍ୟବସାୟୀ ସୁମିତ ଅଗ୍ରୱାଲ ଏବଂ ସଙ୍ଗୀତା ଅଗ୍ରୱାଲଙ୍କ ପୁଅ ସମର୍ଥ (୧୪ ବର୍ଷ) ଗତ ୨୭ ତାରିଖ ଅପରାହ୍ଣରେ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ସେ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଯୋଗେ ଘରୁ ବାହାରି ଯାଇଥିଲେ । ସନ୍ଧ୍ୟା ବେଳକୁ ସମର୍ଥଙ୍କ ମୋବାଇଲ୍‌ ଫୋନ୍‌ରୁ ଅପହର୍ତ୍ତା ମାନେ ଫୋନ୍‌ କରି ପରିବାରକୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ଦୁଇ ଥର ଫୋନ୍‌ କରିବା ପରେ ତାହାକୁ ସ୍ୱିଚଡ୍‌ ଅଫ୍‌ କରି ଦେଇଥିଲେ । ପରିବାର ପକ୍ଷରୁ ତୁରନ୍ତ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରାଯାଇଥିଲା । ରାତିରେ ମୋବାଇଲ ଫୋନ୍‌ର ଲୋକେସନ୍‌ ହୀରାକୁଦ ଏବଂ ବୁର୍ଲା ଆଖପାଖରେ ଦେଖାଇଥିବା ପୁଲିସ କହିଛି । ତେବେ ସୁମିତଙ୍କ ଘର ପାଖ ସିସିଟିଭ୍‌ର ଫୁଟେଜ୍‌ ତନଖିବା ପରେ ପୁଲିସ ଅପହର୍ତ୍ତା ଅମିତ କୁମାର ଶର୍ମା ଓ ତାଙ୍କୁ ସହାୟତା କରିଥିବା ବ୍ରଜରାଜନଗର ଗାନ୍ଧୀ ଛକର ଦିନେଶ ଅଗ୍ରୱାଲଙ୍କୁ ୨୮ ତାରିଖ ସନ୍ଧ୍ୟାରେ ଉଠାଇ ନେଇଥିଲା । ସେମାନେ ଅପରାଧ ସ୍ୱୀକାର କରିବା ସହ ସମର୍ଥଙ୍କୁ ହତ୍ୟା କରିଥିବା କହିଥିବା କହିଛନ୍ତି ଝାରସୁଗୁଡ଼ା ଏସ୍‌ପି ସ୍ମିଥ୍‌ ପାରମାର୍‌ ।

ଅପରପକ୍ଷରେ ବରଗଡ଼ ଜିଲ୍ଲାର ଭେଡେନ ଥାନା ଋଷୁଡା ଫାଣ୍ଡି ବଇପୁର ଗ୍ରୀଡ୍‌ ତଥା ଝାଇଜୋର ନିକଟରେ ମଙ୍ଗଳବାର (୨୮ ତାରିଖ) ସକାଳେ ଜଳୁଥିବା ଅବସ୍ଥାରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ଏକ କାର୍‌ରେ ୪ ଜଣ ଆସି ମୃତଦେହକୁ ପୋଡ଼ି ପଳାଇଥିବା କିଛି ଲୋକ ଦେଖିଥିଲେ ଏବଂ ଘଟଣାସ୍ଥଳରୁ ଏକ ରକ୍ତ ଲଗା କଟୁରି ମିଳିଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ସନ୍ଦେହ ହେଉଥିବାରୁ ପୁଲିସ ଗୋଡ଼ଭଗାରୁ ବିନକା ପର୍ଯ୍ୟନ୍ତ
ଅନେକ ସ୍ଥାନରେ ସିସିଟିଭି ଫୁଟେଜ ରାତିସାରା ଯାଞ୍ଚ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିବା ପରେ
ସନ୍ଧ୍ୟାରେ ଶବ ବ୍ୟବଛେଦ ପାଇଁ ବରଗଡ଼ ପଠାଇଥିଲା । ବୁଧବାର ସକାଳୁ ପୁଣି ଥରେ ବରଗଡ଼ ଏସ୍‌ପି, ଅତିରିକ୍ତ ଏସ୍‌ପି, ଅତାବିରା ଓ ଭେଡେନ ଥାନା
ଆଇଆଇସି ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ । ବିଭିନ୍ନ ଥାନାକୁ ସୂଚନା ଦେବା ପରେ ଝାରସୁଗୁଡ଼ାର ଜଣେ ଦଶମ ଶ୍ରେଣୀ ଛାତ୍ର ସମର୍ଥ ଗତ ୨୭ ତାରିଖ ନିଖୋଜ ହୋଇଥିବା ଜଣାପଡ଼ିଥିଲା । ଏହା ପରେ ସମର୍ଥଙ୍କ ପରିବାରକୁ ସୂଚନା ଦେବା ପରେ ସେମାନେ ଆସି ମୃତଦେହ ଚିହ୍ନଟ କରିଥିଲେ ।

ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ୁଛି, ସମର୍ଥ ଘରୁ ସ୍କୁଟରରେ ବାହାରି ଯିବା ପରେ କିଛି ଦୂରରେ ଅଭିଯୁକ୍ତ ଅମିତ ତାଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କୁ ସାଙ୍ଗରେ ନେଇ ଚାଲିଯାଉଛି । ଆଜି ଶବ ବ୍ୟବଚ୍ଛେଦ କରାଯିବା ସହ ଝାରସୁଗୁଡ଼ା ପୁଲିସ ତନାଘନା ଚଳାଇଛି । କେଉଁ କାରଣରୁ ହତ୍ୟା କରାଯାଇଛି
ସେ ସମ୍ପର୍କରେ ପୁଲିସ ପକ୍ଷରୁ କିଛି କୁହାଯାଇ ନାହିଁ । ତଦନ୍ତ ଚାଲିଥିବାରୁ ସମସ୍ତ ବିଷୟ ଖୁବ୍‌ଶୀଘ୍ର ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି ।

ସୂଚନାଯୋଗ୍ୟ, ଅଭିଯୁକ୍ତ ଅମିତ କୁମାର ଶର୍ମା ଝାରସୁଗୁଡ଼ା ବିଜୁନଗରଠାରେ ଏକ ମାର୍ବଲ ଦୋକାନ କରିବା ସହ ବୃନ୍ଦାବନ କଲୋନୀରେ ରହନ୍ତି । ତାଙ୍କର ପଡ଼ୋଶୀ ଭାବେ ବହୁ ଦିନ ଧରି ସୁମିତ ଅଗ୍ରୱାଲ ମଧ୍ୟ ରହୁଥିଲେ । ଉଭୟଙ୍କ ମଧ୍ୟରେ ବହୁ ଭଲ ସମ୍ପର୍କ ଥିଲା । ମୃତ ଛାତ୍ର ସମର୍ଥଙ୍କୁ ଅଭିଯୁକ୍ତଙ୍କ ଝିଅ ରାଖୀ ବାନ୍ଧୁଥିବା ମଧ୍ୟ କୁହାଯାଇଛି । ସେମାନଙ୍କ ମଧ୍ୟରେ ସମ୍ପର୍କର ନିବିଡ଼ତା କାରଣରୁ ଛାତ୍ର ଜଣଙ୍କ ବିଶ୍ୱାସ କରି ସାଙ୍ଗରେ ଚାଲିଯାଇଥିବା ପୁଲିସ କହିଛି । କିଛିଦିନ ହେଲା ସୁମିତଙ୍କ ପରିବାର ବୃନ୍ଦାବନ କଲୋନୀ ଛାଡ଼ି ସରବାହାଲ ଅଞ୍ଚଳରେ ରହୁଛନ୍ତି । ହେଲେ ବ୍ୟବସାୟିକ ନା ଆଉ କେଉଁ କାରଣରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ହେଲା ତାହା ଅସ୍ପଷ୍ଟ ରହିଛି । ଏହି ହତ୍ୟାକାଣ୍ଡ ଏବଂ ଅପହରଣ ଘଟଣାରେ ଆଉ କେଉଁମାନେ ସଂପୃକ୍ତ ରହିଛନ୍ତି ନା ଏହି ଦୁଇ ଜଣ ଅଭିଯୁକ୍ତ ରହିଛନ୍ତି ତାହା ବି ଅସ୍ପଷ୍ଟ ରହିଛି । ଝାରସୁଗୁଡ଼ାରେ ଏଭଳି କାଣ୍ଡ ପୂର୍ବରୁ କେବେ ଘଟି ନ ଥିବାରୁ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ହତ୍ୟାକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି ଜୋର୍‌ ଧରିଛି ।