ଭୁବନେଶ୍ୱର,୧୫/୦୬: ରଜ ପର୍ବର ଦ୍ୱିତୀୟ ଦିନ ଅବସରରେ ଭୁବନେଶ୍ୱର K-8 କଳିଙ୍ଗ ନଗରସ୍ଥିତ ଗଣେଶ ପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି "ଝୋଟି ପ୍ରତିଯୋଗିତା"। ଟ୍ରେସ ଆଉଟ ସୁକ୍ୟୁରିଟି ଓ K-8 କଳିଙ୍ଗ ନଗର ୟୁଥ୍ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ସୋଆ ମହିଳା ସିକ୍ୟୁରିଟି ଉତ୍ସାହର ସହ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ପାରମ୍ପରିକ ଝୋଟି ଚିତାର ଝଲକ ଦେଖିବାକୁ ମିଳିଥିଲା। ରଙ୍ଗୋଲିରେ ଫୁଲ, ଶଙ୍ଖ, ପଦ୍ମ , ରକ୍ତ ଦାନ ସାଙ୍ଗକୁ ଶ୍ରୀକୃଷ୍ଣଙ୍କ ମନୋରମ ଚିତ୍ର ମଧ୍ୟ ଆଙ୍କିଥିଲେ ପ୍ରତିଯୋଗୀମାନେ।

ତେବେ ସୋଆ ମହିଳା ସିକ୍ୟୁରିଟିମାନେ ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି। ତେଣୁ ରଜ ପର୍ବରେ ତାଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିଥିଲା ସୋଆ। ପ୍ରତିଯୋଗିତା ଶେଷରେ ବିଚାରକ ମଣ୍ଡଳୀ ଶ୍ରେଷ୍ଠ ୩ ଜଣ ଝୋଟି କଳାକାରଙ୍କୁ ପୁରସ୍କୃତ କରିଥିଲେ। ପ୍ରଥମ ପୁରସ୍କାର ଜ୍ୟୋସ୍ନାରାଣୀ ପରିଡ଼ାଙ୍କୁ ମିଳିଥିବା ବେଳେ ଦ୍ୱିତୀୟ ପୁରସ୍କାର ବନିତା ସ୍ୱାଇଁ, ଓ ତୃତୀୟ ପୁରସ୍କାର ମୈତ୍ରୀ ଅମ୍ରିତ ବରାଳ, ରଞ୍ଜିତା ସେଠୀ ଙ୍କୁ ମିଳିଥିଲା।ରଜ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଅସ୍ମିତା ଓ ନାରୀ ଶକ୍ତିର ପ୍ରତୀକ ।

ରଜ ହେଉଛି ନାରୀତ୍ୱର ଉତ୍ସବ। ଯେପରି ମାଟି ମାଆ ୩ ଦିନ ବିଶ୍ରାମ ନିଅନ୍ତି, ସେପରି ଘର ଝିଅ-ବୋହୂଙ୍କୁ ମଧ୍ୟ ସମ୍ମାନ ଓ ବିଶ୍ରାମ ଦିଆଯାଏ। ଏହି ପ୍ରତିଯୋଗିତା ମାଧ୍ୟମରେ ମହିଳାମାନେ ନିଜର ସୃଜନଶୀଳତା ଓ ସାଂସ୍କୃତିକ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଏହା ହିଁ ପ୍ରକୃତ ନାରୀ ସଶକ୍ତିକରଣ ବୋଲି କହିଛନ୍ତି ସୋଆ ଝୋଟି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ଯୁଗଳ କିଶୋର ଦାସ।