କିଭ୍ : ୟୁକ୍ରେନ୍ ନିଜର ଦୂରଗାମୀ ଡ୍ରୋନ୍ କ୍ଷମତା ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛି। ଚଳିତ ବର୍ଷ ୪,୦୦୦ କିଲୋମିଟର ଏବଂ ଆଗାମୀ ବର୍ଷ ସୁଦ୍ଧା ୧୦,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ଡ୍ରୋନ୍ ରେଞ୍ଜ ହାସଲ କରିବା ୟୁକ୍ରେନର ଲକ୍ଷ୍ୟ ରହିଛି। ନିଜେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଯେ, ତାଙ୍କ ସେନା ଦ୍ରୁତ ଗତିରେ ଡ୍ରୋନ୍ ଭଣ୍ଡାରକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ କାମ କରୁଛି। ଜେଲେନସ୍କିଙ୍କ ବୟାନ ଏମିତି ସମୟରେ ଆସିଛି, ଯେବେ ୟୁକ୍ରେନ ଓ ରୁଷର ପରସ୍ପର ଉପରେ ଡ୍ରୋନ୍ ଆକ୍ରମଣ ବଢି ଚାଲିଛି। ୟୁକ୍ରେନର ଏହି ଦୂରଗାମୀ ଡ୍ରୋନ୍ ଯୁଦ୍ଧ ମୈଦାନରେ ରୁଷର ଚିନ୍ତାକୁ ବଢାଇ ଦେଇ ପାରେ।
ୟୁକ୍ରେନର ସାମରିକ କ୍ଷମତା, ବିଶେଷକରି ଡ୍ରୋନ୍ ବିକାଶ ସମ୍ପର୍କରେ ଜେଲେନସ୍କିଙ୍କୁ ପ୍ରଶ୍ନ କରାଯାଇ ଥିଲା। ଏହାର ଉତ୍ତରରେ ସେ କହିଥିଲେ, "ବର୍ତ୍ତମାନ ଆମ ପାଖରେ ୩,୦୦୦ କିଲୋମିଟର କିମ୍ବା ତା'ଠାରୁ କିଛି ଅଧିକ ଦୂରତା ଅତିକ୍ରମ କରି ପାରୁଥିବା ଡ୍ରୋନ୍ ଅଛି। ଖୁସିର କଥା ଏହା ଯେ, ଚଳିତ ବର୍ଷ ଆମ ପାଖରେ ୪,୦୦୦ କିଲୋମିଟର ରେଞ୍ଜର ଡ୍ରୋନ୍ ଥିବ। ଆସନ୍ତା ବର୍ଷ ସୁଦ୍ଧା ୫,୦୦୦ ରୁ ୧୦,୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରି ପାରୁଥିବା ଡ୍ରୋନ୍ ଆମ ଅସ୍ତ୍ରଶସ୍ତ୍ର ଭଣ୍ଡାରର ଅଂଶ ହୋଇ ଯିବ।
ଭୋଲୋଡିମିର ଜେଲେନସ୍କି ମାର୍ଚ୍ଚ ୨୦୨୫ରେ ଆନୁଷ୍ଠାନିକ ଭାବେ ଏକ ଡ୍ରୋନର ସଫଳ ପରୀକ୍ଷଣ ବିଷୟରେ ଘୋଷଣା କରି ଥିଲେ। ସେହି ପରୀକ୍ଷଣରେ ଏକ UAV (ଚାଳକବିହୀନ ବିମାନ) ପ୍ରଥମ ଥର ପାଇଁ ୩,୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଥିଲା। ସେତେବେଳେ ଜେଲେନସ୍କି କହି ଥିଲେ ଯେ, ୟୁକ୍ରେନ୍ ଦୂରଗାମୀ ଅସ୍ତ୍ରଶସ୍ତ୍ରର ଏକ ଶୃଙ୍ଖଳା ପ୍ରସ୍ତୁତ କରୁଛି, ଯାହା ଦେଶର ସୁରକ୍ଷା ନିଶ୍ଚିତ କରିବାରେ ସାହାଯ୍ୟ କରିବ।
ଜେଲେନସ୍କିଙ୍କ କହିବାନୁସାରେ, ୟୁକ୍ରେନ୍ ଉନ୍ନତମାନର ଦୂରଗାମୀ ଡ୍ରୋନ୍ ବିକଶିତ କରିଛି। ଏହି ଡ୍ରୋନ୍ ଗୁଡ଼ିକ ୩,୦୦୦ କିଲୋମିଟର ଦୂରତାରେ ଥିବା ଲକ୍ଷ୍ୟକୁ ସଠିକ୍ ଟାର୍ଗେଟ୍ କରି ପାରିବେ। ରୁଷ ଭିତରେ ହୋଇଥିବା ବିଭିନ୍ନ ଅପରେସନରେ ଏଗୁଡ଼ିକର ବ୍ୟବହାର କରାଯାଇ ସାରିଛି, ଯେଉଁଥିରେ ଟ୍ୟୁମେନ୍ ଅଞ୍ଚଳରେ ହୋଇଥିବା ଆକ୍ରମଣ ଅନ୍ତର୍ଭୁକ୍ତ। ଏହି ଡ୍ରୋନ୍ ଗୁଡ଼ିକ ଜରିଆରେ ରୁଷ ସେନାର ଲଜିଷ୍ଟିକ୍ସକୁ ଲକ୍ଷ୍ୟ କରାଯାଇ ଥିଲା।
ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନ୍ ରୋବୋଟ୍ ଗୁଡ଼ିକୁ ନିଜର 'ଫ୍ରଣ୍ଟଲାଇନ୍ ସୈନିକ' କରିବାକୁ ଚେଷ୍ଟା କରୁଛି। ମାନବରହିତ ଯୁଦ୍ଧ ପାଇଁ ୟୁକ୍ରେନ୍ ରୁଷ ବିପକ୍ଷରେ ୨୫,୦୦୦ ରୋବୋଟ୍ (UGV) ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି। ଏହାର ଗୁରୁତ୍ୱକୁ ବୁଝି ୟୁକ୍ରେନୀ କମାଣ୍ଡରମାନେ ଏବେ ରୋବୋଟ୍ ଉପରେ ଅଧିକ ନିର୍ଭର କରୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଏହି ୟୁକ୍ରେନୀ ରୋବୋଟ୍ ଗୁଡ଼ିକ ଏମିତି ମେସିନ ,ଯିଏକି ମାଇନ୍ସ ବିଛାଇବା, ଆହତ ସୈନିକଙ୍କୁ ଉଦ୍ଧାର କରିବା, ସାମଗ୍ରୀ ପହଞ୍ଚାଇବା ଏବଂ ଶତ୍ରୁର ଠିକଣା ଉପରେ ଆକ୍ରମଣ କରିବାରେ ସକ୍ଷମ। ଚଳିତ ବର୍ଷ ଅପ୍ରେଲ ମାସରେ ୟୁକ୍ରେନ୍ ସେନା UGV ଜରିଆରେ ୧୦,୨୮୧ ଥର ସାମଗ୍ରୀ ପହଞ୍ଚାଇବା ଏବଂ ସୈନିକଙ୍କୁ ଉଦ୍ଧାର କରିବା ମିଶନ୍ ସଫଳତାର ସହ ପୂରଣ କରିଛି।
ଆହୁରି ମଧ୍ୟ ପଢନ୍ତୁ - Missile attack on Aramco: ବିଶ୍ୱର ସର୍ବବୃହତ ତେଲ କମ୍ପାନୀ ଆରାମକୋ ଉପରେ ଆକ୍ରମଣ, ୟେମେନର କ୍ଷେପଣାସ୍ତ୍ର ମାଡ଼ରେ ଥରିଲା ସାଉଦି ଆରବ