ନୂଆଦିଲ୍ଲୀ,୧୯।୨:  ‘ଆ ତାଉ ସୈନି, ହମନେ ଭି ବିଠାଲେ ଜାହାଜ୍‌ମ, ବିଠାଭେଗା କେ’...।’ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନିଙ୍କ ହେଲିକପ୍ଟର ଉଡାଣ ଭରିବାର ଥିଲା। ହଠାତ ଏଭଳି କିଛି ଶୁଣିବାକୁ ମିଳିଲା ହେଲିପ୍ୟାଡ୍‌ରେ। ଏହି ସମୟରେ ହେଲିକପ୍ଟରଠାରୁ ପ୍ରାୟ ୫୦ ମିଟର ସୁରକ୍ଷା ବଳୟ ଭିତରେ କିଛି ଏଭଳି ଅନ୍ଦାଜରେ ଜଣେ ଯୁବକ କହିଥିଲେ। ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ତାଉ (ବାପାଙ୍କ ବଡ଼ ଭାଇଙ୍କୁ ଏଭଳି ସମ୍ବୋଧନ କରାଯାଏ)ମୋତେ ଟିକେ ହେଲିକପ୍ଟରରେ ବସା’ ବୋଲି କହିଥିଲେ। ହେଲେ ସେ କେବେ ଜାଣିନଥିଲେ ତାହା ସତ ହୋଇଯିବ। ମୁଖ୍ୟମନ୍ତ୍ରୀ ଏହା ଶୁଣିବା ମାତ୍ରେ ଯୁବକ ଜଣକୁ ଡାକି ହେଲିକପ୍ଟରରେ ବସାଇଥିଲେ।

ଜିନ୍ଦର ଉଚାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଚାନାରେ ଜଣେ ଯୁବକ ଏଭଳି କଥା ଶୁଣିବାପରେ ମୁଖ୍ୟମନ୍ତ୍ରୀ ନିଜ ପାଖକୁ ଡାକି ହେଲିକପ୍ଟରରେ କିଛି ମିନିଟ୍ ପର୍ଯ୍ୟନ୍ତ ବସାଇଥିଲେ। ହରିୟାଣା ବିଜେପି ଏହି ପୁରା ଘଟଣାର ଭିଡିଓ ସେୟାର କରିଛି। ଯୁବକ ଜଣଙ୍କର ନାଁ ହେଉଛି ସୋନୁ। ସେ ମୁଖ୍ୟମନ୍ତ୍ରୀ ପାଖକୁ ଯାଇ ଫୁଲ ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଡାକିଥିବାରୁ ଯୁବକ ଜଣକ ଖୁସି ହୋଇଯାଇଥିଲେ। ସେ କହିଛନ୍ତି ମୋତେ ଖୁବ୍ ଖୁସି ଲାଗିଲା। ମୁଖ୍ୟମନ୍ତ୍ରୀ କହିଲେ,ଆମ ସରକାରରେ ସମସ୍ତଙ୍କର କାମ ହେବ। ଅନ୍ୟପକ୍ଷେ ବିଜେପି ସୋସିଆଲ ମିଡିଆ ହାଣ୍ଡେଲରେ ସେୟାର କରାଯାଇଥିବା ଏହି ଭିଡିଓ ଅନେକ ୟୁଜର ପସନ୍ଦ କରିଛି। କିଛି ୟୁଜର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ସେଭଳି ଆଉ କିଛି ୟୁଜର କହିଛନ୍ତି, ଏସବୁ ପୂର୍ବରୁ ପ୍ଲାନିଂ ଥିଲା।

ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ଜିନ୍ଦରେ ଉଚାନା ବିଧାନସଭା ନିର୍ବାଚନମଣ୍ଡଳୀର ଧନ୍ୟବାଦ ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସମାବେଶରେ ସେ ଉଚାନା ଅଞ୍ଚଳର ବିକାଶ ପାଇଁ ୧୦୩.୩୧ କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତ ୧୧ ବର୍ଷ ମଧ୍ୟରେ, ଅଞ୍ଚଳର ବିକାଶ ପାଇଁ ୯୮ଟି ଘୋଷଣା କରାଯାଇଛି, ଯେଉଁଥିରୁ ୭୮ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୧୪୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।