ପୁଞ୍ଛରେ ଜାରି ରହିଛି ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ,ଗୁଳିମାଡ଼ରେ ବିଏସଏଫ୍ ଯବାନ ଶହୀଦ ଏବଂ ୬ ବର୍ଷର ଶିଶୁ ମୃତ

ନୂଆଦିଲ୍ଲୀ,୧।୪: ପାକିସ୍ତାନ ପଟୁ ସୀମାରେ ଜାରି ରହିଛି ଗୁଳିମାଡ଼। ଆଜି ପୁଞ୍ଛରେ ସୀମାପାର ଅସ୍ତ୍ରବିରତୀ ଉଲଂଘନ କରି ପାକିସ୍ତାନ ପଟୁ ମୋର୍ଟାର ମାଡ ହୋଇଥିଲା। ଏହି ଗୁଳିମାଡ଼ରେ ବିଏସ୍ଏଫର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି। ଏହା ସହ ଜଣେ ୬ ବର୍ଷୀ ଶିଶୁର ମୃତ୍ୟୁ ଘଟିଛି। ବିଏସ୍ଏଫ ପକ୍ଷରୁ କୁହାଯାଇଛି ପାକିସ୍ତାନ ପଟୁ ଜାରି ରହିଥିବା ଗୁଳିକାଣ୍ଡରେ ୫ଜଣ ଯବାନ ଆହତ ହୋଇସାରିଲେ। ସେମାନଙ୍କ ମଧ୍ୟରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ନେଲ ଦେବେନ୍ଦ୍ର ଆନନ୍ଦ ସାମ୍ବାଦିକଙ୍କୁ କହିଛନ୍ତି ସକାଳ ୭ଟା ୪୫ ମିନିଟରେ ପାକିସ୍ତାନୀ ସୈନିକ ଶାହପୁର ଓ କୈରାନା ସେକ୍ଟରରେ ମୋର୍ଟାର ମାଡ଼ କରିଥିଲେ। ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନରେ ପୁଞ୍ଛର ୯ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି।ସେନା ପକ୍ଷରୁ କୁହାଯାଇଛି ପାକିସ୍ତାନ ପଟୁ ବିନା କାରଣରେ ରାଜୌରି ଏବଂ ନୌସେରା ସେକ୍ଟରରେ ଗୁଳିକାଣ୍ଡ ଜାରି ରହିଛି। ଭାରତ ସେନା ପୋଷ୍ଟକୁ ଟାର୍ଗେଟ କରି ବାରମ୍ବାର ବହୁ ସଂଖ୍ୟାରେ ମୋର୍ଟାର ମାଡ କରାଯାଉଛି। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ୍ ଦେଉଛି।