PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କଂଗ୍ରେସରୁ ଯୋଗେଶ ସିଂହ ନିଲମ୍ବିତ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ବହୁତ ହୋଇଗଲା । ଆଉ ମନମାନି ବରଦାସ୍ତ କରାଯିବନି । ଏମିତି କଠୋର ବାର୍ତ୍ତା ଦେବାକୁ ଯାଇ କଂଗ୍ରେସ ଆଜି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ଦଳରୁ ନିଲମ୍ବିତ କରିଛି । ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, ଯୋଗେଶ ବାରମ୍ବାର ଗଣମାଧ୍ୟମରେ ବିବୃତି ରଖି ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଥିଲେ । ତେଣୁ ଏଆଇସିସିିର ଅନୁମୋଦନ କ୍ରମେ ଯୋଗେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।

ନିଲମ୍ବନ ଖବରକୁ ଯୋଗେଶ ଅତି ହାଲ୍କା ଭାବେ ନେଇଛନ୍ତି । କହିଛନ୍ତି, ମୁଁ କିଛି ଭୁଲ୍ କରିନି । ଦଳ ବିରୋଧରେ କିଛି ବି କହିନି । ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଉପାଧି ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା କ’ଣ ଦଳ ବିରୋଧୀ କାର୍ଯ୍ୟ? ଅତୀତରେ ଉପା ସରକାର ମନ୍ତ୍ରୀମାନେ ବି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ମୁଁ ପ୍ରଶଂସା କଲେ ଅସୁବିଧା କେଉଁଠି? ଯୋଗେଶ ପୁଣି କହିଛନ୍ତି, ରାହୁଲ ଗାନ୍ଧିଙ୍କ ଗସ୍ତ ଦିନ ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ମୁଁ ରାହୁଲଙ୍କ ସମାବେଶରେ ଯୋଗ ଦେବିନି । ହେଲେ ଅଞ୍ଚଳରୁ କର୍ମୀ ଆସିବେ ବୋଲି କହିଥିଲି । ଏହା କ’ଣ ଦଳ ବିରୋଧୀ କାର୍ଯ୍ୟ? ସେ ଆହୁରି କହିଛନ୍ତି, କଂଗ୍ରେସ ଛାଡ଼ିବି ବୋଲି କେବେ କହିନି । ଯଦି ନିଲମ୍ବନ କରାଗଲା, ତେବେ ଶୀଘ୍ର ବିଧାୟକ ପଦରୁ ବି ଇସ୍ତଫା ଦେବି । ଯୋଗେଶଙ୍କ ପରିବର୍ତ୍ତିତ ଭାଷା ଓ ହାବଭାବରୁ ସେ ବିଜେଡିରେ ଯୋଗ ଦେବା ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ନିଲମ୍ବନ ପରେ ବି ଯୋଗେଶ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତି, ମୋ’ ବ୍ୟକ୍ତିତ୍ୱକୁ ଦେଖି ଲୋକେ ଭୋଟ୍ ଦେଇଥିଲେ । ଏଯାବତ୍ କୌଣସି ଦଳରୁ କିଛି ଅଫର୍ ଆସିନି । ଆଗାମୀ ଦିନରେ କ’ଣ ହେବ, ତାହା ସମୟ କହିବ ।

ରାହୁଲଙ୍କ ଭୁବନେଶ୍ୱର ଗସ୍ତ ପୂର୍ବରୁ ବିଧାୟକ ନବ ଦାସ, ଯୋଗେଶ ସିଂହ ଓ ପ୍ରକାଶ ବେହେରା ଅଚାନକ୍ ଏମିତି ବଦଳିଗଲେ, ରାଜ୍ୟ କଂଗ୍ରେସକୁ ସଙ୍କଟ ଭିତରକୁ ଠେଲି ଦେଲେ । ଏହାକୁ ନେଇ କିଛିଦିନ ହେବ କଂଗ୍ରେସ ବ୍ୟାକ୍ ଫୁଟ୍ରେ ଥିବାବେଳେ ନିର୍ବାଚନ ପୂର୍ବରୁ କର୍ମୀ ମହଲରେ ନିରାଶା ଖେଳି ଯାଇଛି । ଏଭଳି ସ୍ଥିତିର ମୁକାବିଲା ପାଇଁ ନିରଞ୍ଜନଙ୍କ ଟିମ୍ ଏବେ ଅଣ୍ଟା ଭିଡ଼ିଛି । ଦଳର ପ୍ରଥମ ଲକ୍ଷ୍ୟ, ଆସନ୍ତା ୨୫ ତାରିଖ ରାହୁଲଙ୍କ ସମାବେଶକୁ ସଫଳ କରିବା । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ରାହୁଲ ପ୍ରଥମ କରି ଓଡ଼ିଶା ଆସୁଛନ୍ତି । ରାହୁଲଙ୍କ ସମାବେଶରୁ ହିଁ ଓଡ଼ିଶାରେ କଂଗ୍ରେସ ୨୦୧୯ ନିର୍ବାଚନର ପ୍ରଚାର ଆରମ୍ଭ କରିବ । ତେଣୁ ରାହୁଲଙ୍କ ସମାବେଶ ରାଜ୍ୟ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏହାକୁ ଜିଦ୍ ଭଳି ନେଇଛି କଂଗ୍ରେସ ନେତୃମଣ୍ଡଳୀ । ନବ, ଯୋଗେଶ କିମ୍ବା ପ୍ରକାଶଙ୍କ ବାହାନାରେ ରାହୁଲଙ୍କ କାର୍ଯ୍ୟକ୍ରମ ଆୟୋଜନରେ ଯେପରି କୌଣସି ଆଞ୍ଚ୍ ନ ଆସେ, ସେଥିପାଇଁ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି । ହାଇକମାଣ୍ଡ ବାର୍ତ୍ତା ଦେଇଛନ୍ତି, ମନୋବଳ ଭାଙ୍ଗନି । ନିର୍ବାଚନ ପାଇଁ ଆଗକୁ ବଢ଼ । ଯେଉଁମାନେ ଦଳ ଡେଇଁବାକୁ ବ୍ୟାକୁଳ ହେଉଛନ୍ତି, ତାଙ୍କୁ ପରୱା କରନି । ଯେତେ ବଡ଼ ନେତା ହେଲେ ବି କଠୋର କାର୍ଯ୍ୟାନୁଷ୍ଠାନ ନିଅ ।
ହାଇକମାଣ୍ଡଙ୍କଠାରୁ ଏଭଳି କ୍ଷମତା ପାଇବା ପରେ ରାଜ୍ୟ କଂଗ୍ରେସ ଏବେ ଆକ୍ସନ ମୁଡ୍କୁ ଆସିଛି । ନବଙ୍କୁ ଦଳରୁ ବହିଷ୍କାର ନିର୍ଦ୍ଦେଶ ପରେ ଆଜି ଯୋଗେଶଙ୍କୁ ନିଲମ୍ବନ କରାଯାଇଛି । ବିବାଦୀୟ ବିବୃତି ପାଇଁ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ବିରୋଧରେ ବି ଦଳ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ କଂଗ୍ରେସ ବାର୍ତ୍ତା ଦେବାକୁ ଚାହୁଁଛି, ଦଳ ସବୁଠୁ ବଡ଼ । କୌଣସି ନେତା ଦଳଠାରୁ ବଡ଼ ନୁହନ୍ତି । ଶୃଙ୍ଖଳା କମିଟି ଆବାହକ ଶ୍ରୀ ସେଠୀ କହିଛନ୍ତି, ଗତକାଲି ଶୃଙ୍ଖଳା କମିଟି ବୈଠକ ବସିଥିଲା । ଏହା ପରେ ଯୋଗେଶଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ୨୪ ଘଣ୍ଟାରେ ଉତ୍ତର ରଖିବାକୁ କୁହାଯାଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ଭିତରେ କୌଣସି ଉତ୍ତର ନ ମିଳିବାରୁ ଏଆଇସିସିର ଅନୁମୋଦନ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି ।